ସରକାରୀ ଦପ୍ତରରେ ଯଦି କିଛି କର୍ମଚାରୀ ସେମାନଙ୍କ ଉପରିସ୍ଥ ଅଧିକାରୀମାନଙ୍କୁ ‘ଭାଇ’ ବୋଲି ସମ୍ବୋଧନ କରୁଥାଆନ୍ତି, ତେବେ ସେମାନେ ଆଉ ସେମିତି କରି ପାରିବେ ନାହିଁ। କାରଣ ଏଭଳି ସମ୍ବୋଧନକୁ ସରକାରୀ ଦପ୍ତରର ‘ଡେକୋରମ’ ବା ‘ଶାଳୀନତା’ର ଅବମାନନା ବୋଲି ବିଚାର କରାଯାଇ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଉପରିସ୍ଥ ଅଧିକାରୀମାନଙ୍କୁ ‘ସାର୍’ ପରିବର୍ତ୍ତେ କାହା କାହା ଦ୍ବାରା ‘ଭାଇ’ ବୋଲି ଡକାଯିବା ବୋଧହୁଏ ଉଚ୍ଚ ପ୍ରଶାସନ ଲାଗି ଶ୍ରୁତିକଟୁ ସାବ୍ୟସ୍ତ ହୋଇଛି।
Sambad is now on WhatsApp
Join and get latest news updates delivered to you via WhatsApp
‘ସାର୍’ ଶବ୍ଦଟିର ଓଡ଼ିଆ ରୂପାନ୍ତର ମହାଶୟ ସିନା, ବ୍ୟବହାରର ବହୁଳତା ଭିତରେ ‘ସାର୍’ ଶବ୍ଦ ଗୋଟିଏ (ପ୍ରାୟ) ଓଡ଼ିଆ ଶବ୍ଦରେ ପରିଣତ ହେଲାଣି। ଏପରି କି ଆମ ରାଜ୍ୟରେ (ଦେଶରେ ମଧୢ) ଶିକ୍ଷକମାନଙ୍କ ପ୍ରତିଶବ୍ଦ ହେଉଛି ‘ସାର୍’। ତେବେ, ଏକ ବୃହତ୍ତର ପରିଧିରେ ଏହି ‘ସାର୍’ ସମ୍ବୋଧନ ଦପ୍ତରର କର୍ମଚାରୀମାନଙ୍କ ଭିତରେ ରହିଥିବା ସୋପାନଗତ ତାରତମ୍ୟକୁ ସିଦ୍ଧ କରିଥାଏ। ଏକ ସ୍ତରୀକୃତ ପ୍ରଶାସନରେ ପଦର ଗରିମା ବଜାୟ ରଖିବା ଲାଗି ବ୍ରିଟିସମାନେ ଏ ଦେଶ ଛାଡ଼ି ଗଲା ବେଳେ ଏହି ‘ସାର୍’ ଶବ୍ଦଟିକୁ ଭାରତୀୟମାନଙ୍କ ଲାଗି ଛାଡ଼ି ଦେଇ ଯାଇଥିଲେ। କାରଣ, ସେମାନଙ୍କ ନିଜ ଦେଶରେ ଏହି ଶବ୍ଦର ଏଭଳି ଲୌକିକ ପ୍ରଚଳନ ନାହିଁ। ସେଠାରେ ଜଣେ ‘ସାର୍’ ଆମ ଦେଶର ଜଣେ ‘ଭାରତ ରତ୍ନ’ଙ୍କ ସହିତ ସମତୁଲ। କେବଳ ବ୍ରିଟେନ୍ ରାଣୀଙ୍କ ଦ୍ବାରା ‘ନାଇଟ’ ଉପାଧିରେ ସମ୍ମାନିତ ବ୍ୟକ୍ତିଙ୍କୁ ‘ସାର୍’ ବୋଲି ସମ୍ବୋଧନ କରାଯାଇଥାଏ। ଯଦିଓ ଦରଖାସ୍ତ ବା ଦାପ୍ତରିକ ଚିଠିପତ୍ରରେ ‘ସାର୍’ ଶବ୍ଦର ବ୍ୟବହାର ସେଠାରେ ରହିଛି, କିନ୍ତୁ ମୌଖିକ ଭାବେ ସେଠାକାର ଦପ୍ତରର ସବୁଠାରୁ ତଳିଆ କର୍ମଚାରୀ ମଧ୍ୟ ସର୍ବୋଚ୍ଚ ସ୍ତରର ଅଧିକାରୀଙ୍କୁ ନାମ ଧରି ସମ୍ବୋଧନ କରନ୍ତି, ଏବ˚ ଉଭୟ ପଟୁ ସମ୍ବୋଧନରେ ନାମ ପୂର୍ବରୁ ‘ମିଷ୍ଟର’ ଶବ୍ଦ ଲଗାଯାଏ। ଏବେ ଆମ ଦେଶର ‘କର୍ପୋରେଟ୍’ କ୍ଷେତ୍ରରେ ମଧୢ ‘ସାର୍’ ଶବ୍ଦଟି ଅପସୃୟମାଣ ହେବାକୁ ବସିଲାଣି। କିନ୍ତୁ ଆମ ଦେଶରେ ପ୍ରଶାସନ ଏହି ଊନବି˚ଶ ଶତାବ୍ଦୀର ଔପଚାରିକତାର ଯନ୍ତାରୁ ମୁକୁଳି ପାରି ନାହିଁ।
ଅନେକ ସ୍ଥଳରେ ଦେଖିବାକୁ ମିଳେ ଯେ ଏକାଠି ଖେଳାବୁଲା କରୁଥିବା ଅତ୍ୟନ୍ତ ଘନିଷ୍ଠ ସହପାଠୀ ଘଟଣାଚକ୍ରରେ ଗୋଟିଏ ଦପ୍ତରରେ ଅତି ଉପରିସ୍ଥ ଓ ନିହାତି ଅଧସ୍ତନ ଭାବେ କାର୍ଯ୍ୟ କରନ୍ତି। ଏଭଳି ଏକ ବିଡ଼ମ୍ବିତ ସ୍ଥିତିରେ ‘ସାର୍’ ଶବ୍ଦର ଉପସ୍ଥିତି ଯେଉଁ ମର୍ମଦାହର କାରଣ ହୁଏ, ତାହା କେବଳ ଅନୁଭବୀ ହିଁ ଜାଣନ୍ତି। କିନ୍ତୁ ଯେତେବେଳେ ଏହି ଔପନିବେଶିକ ଉଚ୍ଛିଷ୍ଟ ଆମର ଏକ ଖାଦ୍ୟ ପର˚ପରାରେ ପରିଣତ ହୋଇସାରିଛି, ହଠାତ୍ ଏହାର ଊର୍ଦ୍ଧ୍ବକୁ ଉଠିବା ହୁଏ’ତ ବର୍ତ୍ତମାନ ଲାଗି ସମ୍ଭବ ନୁହେଁ।