ଶିହରଣହୀନ ସ˚ପର୍କ

ଡକ୍ଟର ଦେବୀଲାଲ ମିଶ୍ର

ଏବେ ସାମାଜିକ ଗଣମାଧୢମ ଆମ ଜୀବନକୁ ଗଭୀର ଭାବେ ପ୍ରଭାବିତ କରିଛି। ଏକ ସ˚ସ୍ଥା ଦ୍ବାରା ସ˚ଗୃହୀତ ତଥ୍ୟ ଅନୁସାରେ ବିଶ୍ବରେ ଏବେ ୪.୩୮୮ ବିଲିଅନ(ଏକ ବିଲିଅନର ଅର୍ଥ ଶହେ କୋଟି) ଇଣ୍ଟରନେଟ୍‌ ବ୍ୟବହାରକାରୀ ଅଛନ୍ତି। ସେମାନଙ୍କ ମଧୢରୁ ସାମାଜିକ ଗଣମାଧୢମ ବ୍ୟବହାରକାରୀଙ୍କ ସ˚ଖ୍ୟା ହେଉଛି ୩.୪୮୪ ବିଲିଅନ୍‌। ସର୍ବାଧିକ ଇଣ୍ଟରନେଟ୍‌ ବ୍ୟବହାରକାରୀ ରାଷ୍ଟ୍ରମାନଙ୍କ ମଧୢରେ ଭାରତର ସ୍ଥାନ ଦ୍ବିତୀୟ। ଆମ ଦେଶରେ ୪୬୬ ନିୟୁତ ଇଣ୍ଟରନେଟ୍‌ ବ୍ୟବହାରକାରୀ ଅଛନ୍ତି ଓ ସକ୍ରିୟ ସାମାଜିକ ଗଣମାଧୢମ ବ୍ୟବହାରକାରୀଙ୍କ ସ˚ଖ୍ୟା ୨୬୦ ନିୟୁତ। ପୁଣି ଜଣାଯାଇଛି ଯେ ଭାରତରେ ଇଣ୍ଟରନେଟ୍‌ ବ୍ୟବହାରକାରୀମାନେ ସବୁଠାରୁ ଅଧିକ ସମୟ ସାମାଜିକ ଗଣମାଧୢମରେ ବିତାଇ ଥାଆନ୍ତି। ସେଠାରେ ବିଶେଷ ଭାବେ ବାର୍ତ୍ତା ସ˚ଚାରରେ ବ୍ୟାପୃତ ରହନ୍ତି।

ଆଜିର ସମୟରେ ବାର୍ତ୍ତା ସ˚ଚାରର ସ୍ତର ଓ ପ୍ରକାର ଭେଦରେ ବୈପ୍ଳବିକ ପରିବର୍ତ୍ତନ ଆସିଛି। ଏହା ଆମ ଜୀବନକୁ ଗଭୀର ଭାବେ ପ୍ରଭାବିତ ମଧୢ କରୁଛି। ଆମେ ବିସ୍ମରି ଯାଉଛେ ଯେ ଇଣ୍ଟରନେଟ୍‌ ଓ ଡିଜିଟାଲ ଦୁନିଆ ବାହାରେ ଏକ ବାସ୍ତବ ଦୁନିଆ ମଧୢ ରହିଛି। ପ୍ରକୃତରେ ଡିିଜିଟାଲ ଦୁନିଆର ଆଧାର ହେଉଛି ଏକ ପ୍ରତୀୟମାନ ବାସ୍ତବତା ବା ‘ଭର୍ଚୁଆଲ ରିଏଲିଟି’। କିନ୍ତୁ ଆମେମାନେ ‘ପ୍ରକୃତ ବାସ୍ତବତା’କୁ ‘ପ୍ରତୀୟମାନ ବାସ୍ତବତା’ର ଛାଞ୍ଚରେ ପକାଇ ଜୀବନକୁ ସେଇ ଭାବେ ବଞ୍ଚିବାକୁ ଚାହୁଁଛୁ ଓ ସ˚ପର୍କକୁ ସେଇ ଭାବେ ଗଢ଼ିବାକୁ ଚାହୁଁଛୁ। ତେଣୁ, ଆମ ଭିତରେ ଥିବା ପାରସ୍ପରିକ ସ˚ପର୍କ ଗଭୀର ଭାବେ ଆକ୍ରାନ୍ତ ହେଉଛି। ଉଦାହରଣଟିଏ ଦେଖନ୍ତୁ। ପୂର୍ବରୁ ଜଣଙ୍କୁ ଚିଠିଟିଏ ଲେଖିଲା ବେଳେ ପ୍ରେରକ ଜଣକ ନିଜର ଭାବକୁ ଭାଷାର ରୂପ ଦେବା ଲାଗି ଯତ୍‌ପ‌ରେନାସ୍ତି ଉଦ୍ୟମ କରୁଥିଲେ। ପ୍ରାପକ ଚିଠିଟି ପାଇ ପଢ଼ିଲା ବେଳେ ରୋମା˚ଚିତ ହେଉଥିଲା, ତା ମନରେ ଶିହରଣ ଖେଳି ଯାଉଥିଲା; ସରଳ ଓଡ଼ିଆରେ କହିଲେ ତାହା ମରମକୁ ଛୁଉଁଥିଲା। ଉଭୟ ପ୍ରେରକ ଓ ପ୍ରାପକ ପରସ୍ପର ଠାରୁ ଅନେକ ଦୂରରେ ଥିବା ସତ୍ତ୍ବେ, ଅନେକ ଦିନ ଧରି ପରସ୍ପରକୁ ଦେଖି ନ ଥିବା ବା ପରସ୍ପର ଠାରୁ ଶୁଣି ନ ଥିବା ସତ୍ତ୍ବେ ସେଇ ଗୋଟିଏ ଚିଠିରେ ଏକାତ୍ମ ହୋଇଯାଉଥିଲେ। ସେଥିଲାଗି ଆଗ କାଳରେ ହାତ ଲେଖା ଅନେକ ଚିଠି ସବୁ ମହାର୍ଘ ସାହିତ୍ୟିକ ସ˚ପଦରେ ପରିଣତ ହୋଇ ଅମରତ୍ବ ଲାଭ କରିଛି। ପଣ୍ତିତ ଜବାହରଲାଲ ନେହରୁ ଜେଲ ଭିତରୁ କନ୍ୟା ଇନ୍ଦିରା ଗାନ୍ଧୀଙ୍କ ପାଖକୁ ଲେଖିଥିବା ଚିଠି ହେଉ ବା ପ୍ରସିଦ୍ଧ ଚେକୋସ୍ଲୋଭାକିଆର ଲେଖକ ଫ୍ରାନ୍‌ଜ କାଫ୍‌କାଙ୍କ ଚିଠିର ସମ୍ଭାର ହେଉ, ଆଜି ବି ବିଶ୍ବ ସାରା ଳକ୍ଷ ଲକ୍ଷ ପାଠକପାଠିକାଙ୍କ ମନ ହରଣ କରୁଛି। କିନ୍ତୁ କେବଳ ପ୍ରସିଦ୍ଧ ସାହିତ୍ୟିକ, ବିଦ୍ବାନ ବା ଗୁଣୀ ଲୋକଙ୍କ ଦ୍ବାରା ଲିଖିତ ପତ୍ର ନୁହେଁ, ସାଧାରଣ ସ୍ତରରେ ଲେଖାଯାଉଥିବା ଚିଠି ସବୁରେ ଯାହା ଦିଶୁଥିଲା, ତାହା ହେଉଛି ସ˚ପର୍କର ଗହନତା।

ହାୟ, ତାହା ଏବେ ଆଉ ନାହିଁ। ହାତ ଲେଖା ପତ୍ରର ଆବେଦନ ତ ଇ-ମେଲରେ କିଛିଟା ନିଷ୍ପ୍ରଭ ହୋଇଯାଇଥିଲା। ଯାହା ବି ଥିଲା ତାହା ‘ହ୍ବାଟ୍‌ସଆପ୍‌’ର ଗୋଟିଏ ବାକ୍ୟ ବା କୋଟିଏ ଶବ୍ଦ ବା ସ˚କ୍ଷିପ୍ତୀକରଣ ଅଥବା ସ୍ମାଇଲି ରୂପକ ଅଭିବ୍ୟକ୍ତିରେ ସମାପ୍ତ ହୋଇଯାଇଛି।

ଡିଜିଟାଲ ମାଧୢମରେ କାରବାର କରୁଥିବା ଆମେ ସମସ୍ତେ ସ˚ପର୍କର ପରିସରକୁ ତ ବୃଦ୍ଧି କରିଛେ, ଆମ ସ˚ପର୍କର ହିତାଧିକାରୀଙ୍କ ସ˚ଖ୍ୟା ବି ବଢ଼ିଛି, କିନ୍ତୁ ସ˚ପର୍କରେ ଗଭୀରତା ନାହିଁ। ଏବର ଡିଜିଟାଲ ସ˚ପର୍କ ସବୁ ଯେମିତି ଶୁଷ୍କ, ଶିଥିଳ, ଶିହରଣହୀନ ବନ୍ଧନ ପାଲଟି ଯାଇଛି।

ରେଭେନ୍ସା ବିଶ୍ବବିଦ୍ୟାଳୟ, କଟକ
[email protected]

ସମ୍ବନ୍ଧିତ ଖବର