ସ୍ବାସ୍ଥ୍ୟ ହିଁ ସମ୍ପଦ

ଆନ୍ତର୍ଜାତିକ ସାର୍ବଜନୀନ ସ୍ବାସ୍ଥ୍ୟସେବା ଦିବସ ଉପଲକ୍ଷେ - ଡକ୍ଟର ଦେବୀଲାଲ ମିଶ୍ର

ପ୍ରତିବର୍ଷ ଡିସେମ୍ବର ମାସ ୧୨ ତାରିଖରେ ବିଶ୍ବବ୍ୟାପୀ ସାର୍ବଜନୀନ ସ୍ବାସ୍ଥ୍ୟସେବା ଦିବସ ପାଳିତ ହୋଇଥାଏ। ସାର୍ବଜନୀନ ସ୍ବାସ୍ଥ୍ୟସେବାର ଗୁରୁତ୍ବ, ପ୍ରତ୍ୟେକ ବ୍ୟକ୍ତିର ସହଜ ଓ ଗୁଣବତ୍ତାସମ୍ପନ୍ନ ସ୍ବାସ୍ଥ୍ୟସେବା ପ୍ରାପ୍ତ କରିବାର ଅଧିକାର ଓ ବିକଶିତ ତଥା ବ୍ୟାପକ ସ୍ବାସ୍ଥ୍ୟସେବାଜନିତ ଭିତ୍ତିଭୂମି ନିର୍ମାଣର ଆବଶ୍ୟକତା ପ୍ରତି ସଚେତନତା ସୃଷ୍ଟି କରିବା ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ। ପ୍ରତ୍ୟେକ ରାଷ୍ଟ୍ରର ପ୍ରଗତିରେ ସ୍ବାସ୍ଥ୍ୟସେବାର ଏକ ମହତ୍ତ୍ବପୂର୍ଣ୍ଣ ଯୋଗଦାନ ରହିଛି। ଉତ୍ତମ ସ୍ବାସ୍ଥ୍ୟ ହିଁ ଉଭୟ ବ୍ୟକ୍ତି ଓ ସମାଜ ପାଇଁ ଶ୍ରେଷ୍ଠ ସମ୍ପତ୍ତି। ଆଜି ହିଁ ବିଶ୍ବରେ ଅନେକ ଲୋକ ଉତ୍ତମ ସ୍ବାସ୍ଥ୍ୟସେବାରୁ ବଞ୍ଚିତ। ଅଭାବ ଓ ଦାରିଦ୍ର୍ୟର ପ୍ରଭାବ ଏଥିପାଇଁ ମୁଖ୍ୟତଃ ଦାୟୀ। କୋଭିଡ୍‌ ମହାମାରୀ ସମୟରେ ଆମେ ସମସ୍ତେ ସ୍ବାସ୍ଥ୍ୟସେବା ତଥା ସ୍ବାସ୍ଥ୍ୟସେବାଜନିତ ଭିତ୍ତିଭୂମିର ଗୁରୁତ୍ବକୁ ହୃଦୟଙ୍ଗମ କଲେ। ସେଇ ଅନୁଭୂତିରୁ ଶିକ୍ଷା ନେଇ ସବୁସ୍ତରରେ ଉତ୍ତମ ସ୍ବାସ୍ଥ୍ୟସେବାର ସାର୍ବଜନୀନ ପହଞ୍ଚକୁ ସୁନିଶ୍ଚିତ କରିବାର ପ୍ରୟାସ କରାଯିବା ଆବଶ୍ୟକ।

୨୦୧୨ ଡିସେମ୍ବର ୧୨ ତାରିଖରେ ସଂଯୁକ୍ତରାଷ୍ଟ୍ର ମହାସଭା ସାର୍ବଜନୀନ ସ୍ବାସ୍ଥ୍ୟସେବାକୁ ନେଇ ଏକ ପ୍ରସ୍ତାବ ପାରିତ କରିଥିଲା। ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ସମସ୍ତଙ୍କୁ ସବୁଠାରେ ଉତ୍ତମ ଏବଂ ସହଜ ସ୍ବାସ୍ଥ୍ୟସେବା ପ୍ରଦାନ। ୨୦୧୭ ଡିସେମ୍ବର ୧୨ ତାରିଖ ଦିନ ଜାତିସଂଘ ଡିସେମ୍ବର ୧୨ ତାରିଖକୁ ଇଣ୍ଟରନ୍ୟାସନାଲ ୟୁନିଭର୍ସାଲ ହେଲ୍ଥ କଭରେଜ୍‌ ଡେ (UHC Day) ଭାବେ ପାଳନ କରିବାକୁ ନିଷ୍ପତ୍ତି ନେଲା। ଏକ ଉନ୍ନତ ସ୍ବାସ୍ଥ୍ୟସେବା ସର୍ବଦା ସମ୍ବେଦନଶୀଳ, ସହଜଲବ୍ଧ, ଗୁଣବତ୍ତାସମ୍ପନ୍ନ ଏବଂ ଉତ୍ତରଦାୟୀ ହେବା ଜରୁରୀ। ଏଥିରେ ଭେଦଭାବର କୌଣସି ସ୍ଥାନ ରହିବା ଉଚିତ ନୁହେଁ। ଏହି ବର୍ଷ ସାର୍ବଜନୀନ ସ୍ବାସ୍ଥ୍ୟସେବା ଦିବସର ବିଷୟ ରହିଛି ‘ଆମେ ଚାହୁଥିବା ପୃଥିବୀର ନିର୍ମାଣ: ସମସ୍ତଙ୍କ ପାଇଁ ଏକ ସୁସ୍ଥ ଭବି‌ଷ୍ୟତ’। ସମସ୍ତଙ୍କ ପାଇଁ ଏକ ସୁସ୍ଥ ଭବିଷ୍ୟତ ନିର୍ମାଣ କରିବାକୁ ହେଲେ ଆମକୁ ଆମ ସ୍ବାସ୍ଥ୍ୟସେବା ବ୍ୟବସ୍ଥାକୁ ଅଧିକ ଦୃଢ଼, ପ୍ରବାହୀ ଏବଂ ନ୍ୟାୟସଂଗତ କରିବାକୁ ପଡ଼ିବ। ଉତ୍ତମ ସ୍ବାସ୍ଥ୍ୟସେବା ପାଇଁ ସମସ୍ତଙ୍କର ସମାନ ଅଧିକାର ରହିବା ଦରକାର।

ସାର୍ବଜନୀନ ସ୍ବାସ୍ଥ୍ୟସେବା ମୁଖ୍ୟତଃ ନିଷ୍ପକ୍ଷତା, ଭେଦଭାବ-ଶୂନତା ଓ ସ୍ବାସ୍ଥ୍ୟର ଅଧିକାର ଉପରେ ପର୍ଯ୍ୟବସିତ। ସୁନ୍ଦର ସ୍ବାସ୍ଥ୍ୟ ବିନା ଏକ ସୁନ୍ଦର ଭବିଷ୍ୟତ ଅକଳ୍ପନୀୟ। ଆମ ଉପନିଷଦ କହେ ‘ଶରୀରମାଦ୍ୟଂ ଖଳୁ ଧର୍ମସାଧନମ୍‌।’ ଅର୍ଥାତ୍‌ ସୁସ୍ଥ ଶରୀର ଦ୍ବାରା ହିଁ ସମସ୍ତ କାର୍ଯ୍ୟ ଓ କର୍ତ୍ତବ୍ୟ ସମ୍ପାଦନ ସମ୍ଭବ। ଏଥିପାଇଁ ସମସ୍ତଙ୍କୁ ସବୁସ୍ତରରେ ସଚେତନ ଓ ପ୍ରଯତ୍ନଶୀଳ ହେବାକୁ ପଡ଼ିବ। ତା’ହେଲେ ସମସ୍ତଙ୍କ ଭବିଷ୍ୟତ ସୁସ୍ଥ ସୁନ୍ଦର ହୋଇପାରିବ।

ଅଧ୍ୟାପକ, ରେଭେନ୍ସା ବିଶ୍ବବିଦ୍ୟାଳୟ

ସମ୍ବନ୍ଧିତ ଖବର