ଅତୀତର ଆଇନାରୁ

ଦ୍ବୈତ ନିର୍ବାଚନମଣ୍ଡଳୀ ବା ଡବଲ-ମେମ୍ବର୍ଡ ସିଟ୍

୧୯୫୨ ପ୍ରଥମ ସାଧାରଣ ନିର୍ବାଚନ ଭଳି ଏଥର ମଧ୍ୟ ସାଧାରଣ ନିର୍ବାଚନରେ ଦ୍ବେତ ସଦସ୍ୟତା ବ୍ୟବସ୍ଥା ରହିଲା। ୧୯୫୭ ଲୋକସଭା ନିର୍ବାଚନ ପାଇଁ ୭ଟି ଆସନ ବୃଦ୍ଧି କରାଯାଇ ମୋଟ ୪୦୩ ଆସନରେ ୪୯୪ ଜଣ ନିର୍ବାଚିତ ହେବାର ବ୍ୟବସ୍ଥା ରହିଲା। ସେଥିରୁ ୩୧୨ଟି ଆସନରେ ଜଣେ ଲେଖାଏଁ ନିର୍ବାଚିତ ହୋଇଥିବା ବେଳେ ଅବଶିଷ୍ଟ ୯୧ ଆସନରେ ଦୁଇଜଣ ଲେଖାଏଁ ନିର୍ବାଚିତ ହେଲେ। ଏହି ବ୍ୟବସ୍ଥା ପରବର୍ତ୍ତୀ ନିବାର୍ଚନରୁ ଉଚ୍ଛେଦ କରାଗଲା। ପୂର୍ବ ନିର୍ବାଚନ ଅପେକ୍ଷା କଂଗ୍ରେସ ଦଳ ଏ ଥର ୭ଟି ଆସନ ଅଧିକ (ମୋଟ ୩୭୧) ପାଇଲା। ଏସ୍‌.ଏ.ଡାଙ୍ଗେଙ୍କ ନେତୃତ୍ବରେ କମ୍ୟୁନିଷ୍ଟ ଦଳ କଂଗ୍ରେସ ପଛକୁ ମାତ୍ର ୨୭ ଆସନ ପାଇଥିଲା।

ଦ୍ବିତୀୟ ସାଧାରଣ ନିବାର୍ଚନରେ ଅବତୀର୍ଣ୍ଣ ହୋଇଥିବା ମୋଟ ୪୫ ଜଣ ମହିଳାଙ୍କ ମଧ୍ୟରୁ ୨୨ ଜଣ ଜିତିଥିଲେ। ପ୍ରଧାନମନ୍ତ୍ରୀ ନେହରୁଙ୍କ ଜାମାତା ଫିରୋଜ ଗାନ୍ଧି ରାଏବରେଲିରୁ କ୍ରମାଗତ ଦ୍ବିତୀୟ ଥର ପାଇଁ ନିର୍ବାଚିତ ହୋଇଥିବା ବେଳେ ପ୍ରଥମ ନିର୍ବାଚନରେ ହାରିଥିବା ଅଟଳ ବିହାରୀ ବାଜପେୟୀ ପ୍ରଥମ ଥର ପାଇଁ ଜିତିଥିଲେ। ଏହି ନିର୍ବାଚନ ପରେ ବୈଦେଶିକ ମନ୍ତ୍ରୀ ଭି.କେ.କ୍ରିଷ୍ଣମେନନ୍ ବହୁତ କ୍ଷମତାଶାଳୀ ହୋଇଉଠିଥିଲେ।

ଖରାପ ପରମ୍ପରା ଆରମ୍ଭ

୧୯୫୭ରେ ହୋଇଥିବା ଦ୍ବିତୀୟ ସାଧାରଣ ନିର୍ବାଚନରେ ପ୍ରଥମ ଥର ପାଇଁ ଲୋକେ ମତଦାନ କେନ୍ଦ୍ର ଦଖଲ ବା ‘ବୁଥ୍‌ କ୍ୟାପ୍‌ଚରିଂ’ ବିଷୟରେ ଶୁଣିଲେ। ଏହି ନିର୍ବାଚନରେ ବିହାରର ବେଗୁସରାଇ ଆସନ ଅନ୍ତର୍ଗତ ରଚିୟାରି ଗ୍ରାମର କଚ୍ଚାରିତୋଲା ମତଦାନ କେନ୍ଦ୍ରରେ ସରୟୁଗ ପ୍ରସାଦ ସିଂହଙ୍କ ପାଇଁ ସ୍ଥାନୀୟ ଗୁଣ୍ଡା କାମଦେଓ ସିଂହ ଓ ତାଙ୍କ ସମର୍ଥକମାନେ ବୁଥ୍ ଦଖଲ କରିଥିଲେ। ସୂଚନାଯୋଗ୍ୟ, ଉକ୍ତ ଆସନରେ ସେଥର ପ୍ରବୀଣ କମ୍ୟୁନିଷ୍ଟ ନେତା ଚନ୍ଦ୍ରଶେଖର ସିଂହ ପ୍ରଥମ ଥର ପାଇଁ ନିର୍ବାଚିତ ହୋଇଥିଲେ। ପରେ ୧୯୭୨ରେ ବେଗୁସରାଇର ସେହି ଡନ୍ କାମଦେଓଙ୍କୁ ଜଣେ କେନ୍ଦ୍ରମନ୍ତ୍ରୀ ନିଜ ବୁଥ୍ କ୍ୟାପ୍‌ଚରିଂ କାମରେ ଲଗାଇଥିବା ଅଭି‌େଯାଗ ହୋଇଥିଲା। ପରବର୍ତ୍ତୀ ସମୟରେ ବୁଥ୍ ଜବରଦଖଲ ପ୍ରକ୍ରିୟା ଆମ ଦେଶର ନିର୍ବାଚନ ବ୍ୟବସ୍ଥାକୁ ବହୁ ପରିମାଣରେ କଳୁଷିତ କରିଥିବା ଦେଖାଯାଇଥିଲା। ନିର୍ବାଚନ ଆୟୋଗଙ୍କ ଦ୍ବାରା ଆଦର୍ଶ ଆଚଣବିଧି ଆଜିକାଲି କଡ଼ାକଡ଼ି ଲାଗୁ କରିବାକୁ ଚେଷ୍ଟା କରାଯାଉଥିବା ସତ୍ତ୍ବେ ଏହି ବ୍ୟାଧିରୁ ଭାରତକୁ ଏବେ ବି ମୁକ୍ତି ମିଳିନାହିଁ।

୧୯୬୨ ନିର୍ବାଚନରେ କଂଗ୍ରେସ ଓ ନେହରୁଙ୍କ ପତିଆରା ବୃଦ୍ଧି

୧୯୬୨ ତୃତୀୟ ସାଧାରଣ ନିର୍ବାଚନ ବେଳକୁ ଦେଶ ଏକ ପୋଖତ ଗଣତନ୍ତ୍ରରେ ରୂପାନ୍ତରିତ ହୋଇସାରିଥାଏ। ପୂର୍ବଥର ୧୯.୩ କୋଟି ମତଦାତାଙ୍କୁ ନେଇ ବିଶ୍ବର ସର୍ବବୃହତ୍ ଗଣତନ୍ତ୍ରରେ ରୂପାନ୍ତରିତ ହୋଇଥିବା ଭାରତ ଏହାର ତୃତୀୟ ସାଧାରଣ ନିର୍ବାଚନ ବେଳକୁ ମୋଟ ୨୧.୭ କୋଟି ମତଦାତାଙ୍କୁ ଭୋଟର ତାଲିକାରେ ସାମିଲ କରିସାରିଥିଲା। ତନ୍ମଧ୍ୟରୁ ୧୦ କୋଟି କେବଳ ମହିଳା ମତଦାତା ଥିଲେ। ପୂର୍ବରୁ କମ୍ୟୁନିଷ୍ଟମାନେ କଂଗ୍ରେସ ଦଳର ମୁଖ୍ୟ ପ୍ରତିଦ୍ବନ୍ଦ୍ବୀ ରହିଆସିଥିଲେ। କିନ୍ତୁ ଇତିମଧ୍ୟରେ ଚକ୍ରବର୍ତ୍ତୀ ରାଜଗୋପାଳାଚାରୀଙ୍କ ନେତୃତ୍ବାଧୀନ ଦକ୍ଷିଣପନ୍ଥୀ ସ୍ବତନ୍ତ୍ର ନିଜ କାୟାବିସ୍ତାର କରିଥିଲା। ଅପରପକ୍ଷେ ଦକ୍ଷିଣରେ ଡିଏମ୍‌କେ ମଧ୍ୟ ନିଜ ପ୍ରଭାବ ବିସ୍ତାର କରିପାରିଥିଲା।

ଦ୍ବିତୀୟ ସାଧାରଣ ନିର୍ବାଚନ ପରେ ଇନ୍ଦରା ଗାନ୍ଧିଙ୍କ ଉତ୍‌ଥାନ ହୁଏ। ନେହରୁ କନ୍ୟା ଇନ୍ଦିରାଙ୍କୁ ନେଇ କଂଗ୍ରେସ ଦଳରେ ତାଙ୍କ ଅନୁଗତ ଓ ପୁରୁଣା ହସ୍ତୀଙ୍କ ମଧ୍ୟରେ ଗୋଷ୍ଠୀବିବାଦର ସୂତ୍ରପାତ ହେଲା। ତେବେ ଏ ସବୁ ସତ୍ତ୍ବେ ନେହରୁ ନେତୃତ୍ବାଧୀନ କଂଗ୍ରେସ ୧୯୬୨ ନିର୍ବାଚନରେ ବହୁତ ସଫଳତା ପାଇଥିଲା। ଅକାଳୀ ଦଳ, ମୁସ୍‌ଲିମ ଲିଗ୍, ହିନ୍ଦୁ ମହାସଭା ଭଳି ଦଳଗୁଡ଼ିକର ପ୍ରଦର୍ଶନ ଶୋଚନୀୟ ରହିଥିଲା। ନେହରୁ ଶେଷଥର ପାଇଁ ଫୁଲପୁର ଲୋକସଭା ଆସନରୁ ବଡ଼ ବ୍ୟବଧାନରେ ଜିତିଥିଲେ।

ସମ୍ବନ୍ଧିତ ଖବର