ସିନେମା ହଲ୍‌ ଏବେ ଭୂତକୋଠି

ସିନେମା ହଲ୍‌, ମଲ୍‌ଟିପ୍ଲେକ୍ସ ଅନ୍ଧାର, ରାଜଧାନୀରେ ୨୩ ବଡ଼ ପରଦା ପାଇଁ ବଡ଼ ଚିନ୍ତା

ଭୁବନେଶ୍ୱର : ଲକ୍‌ଡାଉନ୍‌, ସଟ୍‌ଡାଉନ୍‌। କରୋନାକୁ ନିୟନ୍ତ୍ରଣକୁ ଆଣିବା ପାଇଁ ସରକାର ଗୋଟେ ପରେ ଗୋଟେ କଟକଣା ଲଗେଇଛନ୍ତି। ପୁଣି ଅନ୍‌ଲକ୍‌ ପର୍ଯ୍ୟ‌ାୟରେ କଟକଣା ସହ ମାର୍କେଟ୍‌‌, ମଲ୍‌ ଖୋଲିବାକୁ ଅନୁମତି ଦେଇଛନ୍ତି। ଅଥଚ ସିନେମା ହଲ୍‌ର ଭାଗ୍ୟ ଖୋଲୁ ନାହିଁ। ଏହା କେବଳ ସିନେମା ହଲ୍‌ଗୁଡ଼ିକୁ ଧରାଶାୟୀ କରିଦେଇନାହିଁ, ବରଂ ସିନେମା ସହ ସଂଶ୍ଳିଷ୍ଟ ବ୍ୟକ୍ତିବିଶେଷଙ୍କ ହଂସା ଉଡ଼ାଇ ଦେଲାଣି। ୧୯୯୯ ମହାବାତ୍ୟାର କଳା ବାଦଲ ଏବେ ବି ସିନେମା ହଲ୍‌ ଉପରୁ ହଟିନାହିଁ। ଏଣେ ପାଖାପାଖି ୫ ମାସ ଧରି ବନ୍ଦ ହୋଇଯିବା ସିନେମା ହଲ୍‌ର ଭବିଷ୍ୟତ ଧୂଳିସାତ୍‌ ହେବାକୁ ବସିଲାଣି। ହଲ୍‌ରେ କାମ କରୁଥିବା କର୍ମଚାରୀମାନେ ନିଜ ଜୀବିକାକୁ ନେଇ ସନ୍ଦିହାନ ହୋଇପଡ଼ିଛନ୍ତି। ସିନେମା ହଲ୍‌ ଏକ ଶିଳ୍ପ ହୋଇଥିଲେ ବି ସରକାରଙ୍କର ଏଥି ପ୍ରତି ସାମାନ୍ୟ ଦରଦ ରହୁନି।

ଓଡ଼ିଶାରେ ଆଗରୁ ୩୦୦ ସିନେମା ହଲ୍‌ ଥିଲେ ହେଁ ୧୯୯୯ ମହାବାତ୍ୟା ପରେ ଓ କାଳକ୍ରମେ ଅନ୍ୟ କେତେକ କାରଣରୁ ୨୦୦ରୁ ଅଧିକ ସିନେମା ହଲ୍‌ ବନ୍ଦ ହୋଇଗଲା। ଫଳରେ ହଲ୍‌ ସଂଖ୍ୟା ୧୦୦ରେ ସୀମିତ ହୋଇଯାଇଛି। ଏବେ ପୁଣି କରୋନା ସଙ୍କଟ ଯୋଗୁଁ ଏବେ ଆହୁରି ୩୦ ସିନେମା ହଲ୍‌ରେ ତାଲା ଝୁଲିବା ସ୍ଥିତି ଦେଖାଗଲାଣି। ଆର୍ଥିକ ମେରୁଦଣ୍ଡ ଦୋହଲି ଯାଇଥିବା ସିନେମା ହଲ୍‌କୁ ବଞ୍ଚାଇ ରଖିବା ଲାଗି ଅଲ୍‌ ଓଡ଼ିଶା ସିନେମା ହଲ୍‌ ମାଲିକ ସଂଘ ପକ୍ଷରୁ ସରକାରଙ୍କ ନିକଟରେ ନିବେଦନ କରାଯାଇଛି। ହେଲେ ସରକାରଙ୍କର ସିନେମା ହଲ୍‌ ପ୍ରତି ସାମାନ୍ୟତମ ଆନ୍ତରିକତା ନାହିଁ। ଏମିତି କି ମିନିମମ ଫିକ୍ସଡ ପାୱାର ଚାର୍ଜ ତଥା ସର୍ବନିମ୍ନ ନିର୍ଧାରିତ ବିଦ୍ୟୁତ ଦେୟକୁ ମଧ୍ୟ ସରକାର ଛାଡ଼ କରିନାହାନ୍ତି। ଇତି ମଧ୍ୟରେ କରୋନା ସଙ୍କଟ ସମୟକୁ ଦୃଷ୍ଟିରେ ରଖି ଆନ୍ଧ୍ରପ୍ରଦେଶ ସରକାର ତାଙ୍କ ରାଜ୍ୟରେ ସିନେମା ହଲ୍‌ ଉପରୁ ସର୍ବନିମ୍ନ ନିର୍ଧାରିତ ବିଦ୍ୟୁତ ଦେୟ ଉଠାଇ ଦେଇଛନ୍ତି। ଅଥଚ ଏଠି ସିନେମା ହଲ୍‌ ପ୍ରତି ସରକାରଙ୍କର ଦୃଷ୍ଟି ନାହିଁ।

Justdial

ହଲ୍‌ ମାଲିକ ସଂଘର ସଭାପତି ତଥା ଶ୍ରୀୟା କମ୍ପ୍ଲେକ୍ସର ସ୍ବତ୍ତ୍ବାଧିକାରୀ ବିଜେନ୍ଦ୍ର କୁମାର ମହାନ୍ତି କହିଛନ୍ତି, ସିନେମା ହଲ୍‌ଗୁଡ଼ିକ ମରିଯିବା ଭଳି ପରିସ୍ଥିତି ସୃଷ୍ଟି ହେଲାଣି। ଏଣେ ଫିଲ୍ମ ବି ନାହିଁ। ସର୍ବନିମ୍ନ ନିର୍ଧାରିତ ବିଦ୍ୟୁତ ଦେୟ ଛାଡ଼ କରିବାକୁ ସରକାରଙ୍କ ନିକଟରେ ବାରମ୍ବାର ଦାବି କରିଥିଲେ ହେଁ ସୁଫଳ ମିଳୁନି। ୨ ମାସ ଏ ବାବଦ ଅର୍ଥ ନେବେ ନାହିଁ ବୋଲି ଘୋଷଣା କରିଥିଲେ ଯେ ତାହା ବି ପରବର୍ତୀ ସମୟରେ ନେଇଗଲେ। ଅବସ୍ଥା ଯେ ଅତ୍ୟନ୍ତ ଶୋଚନୀୟ ହେଲାଣି ସେଥିପ୍ରତି ସରକାରଙ୍କ ଧ୍ୟାନ ନଥିବା ଦେଖି ବହୁତ କଷ୍ଟ ଲାଗୁଛି।

ଏଣେ ଅନ୍‌ଲକ୍‌ ୩.୦ ରେ ମଲ୍‌ଟିପ୍ଲେକ୍ସ ଖୋଲିବାକୁ ଅନୁମତି ନ ମିଳିବା ନେଇ ଅସନ୍ତୋଷ ପ୍ରକାଶ କରିଛି ମଲ୍‌ଟିପ୍ଲେକ୍ସ ଆସୋସିଏସନ୍‌ ଅଫ୍ ଇଣ୍ଡିଆ। ନିର୍ଦିଷ୍ଟ ଏସ୍‌ଓପି ଓ ଗାଇଡ୍‌ଲାଇନ୍‌ ସହ ସିନେମା ଦେଖିବାର ସୁଯୋଗ ଦେବାକୁ ମଲ୍‌ଟିପ୍ଲେକ୍ସ ଅଣ୍ଟା ଭିଡ଼ିଥିଲେ ହେଁ ସରକାରଙ୍କ ଅନୁମତି ନ ମିଳିବା ପରେ ସେମାନେ ଆହୁରି ଭାଙ୍ଗିପଡ଼ିଛନ୍ତି। ଅନଲକ୍‌ ୩.୦ର ଘୋଷଣା ପରେ ଅନ୍‌ଲକ୍‌ ୪.୦ରେ ସିନେମା ହଲ୍‌ ଓ ମଲ୍‌ଟିପ୍ଲେକ୍ସକୁ ଅନୁମତି ମିଳିବ ନା ନାହିଁ ସେନେଇ ଅନିଶ୍ଚିତତା ହଟିନଥିବାରୁ ଏହା ସିନେମା ହଲ୍‌ ଓ ମଲ୍ଟିପ୍ଲେକ୍ସ ବ୍ୟବସାୟୀଙ୍କ ଚିନ୍ତା ବଢ଼ାଇ ଦେଇଛି। ଆଉ ଏକ ବିଡ଼ମ୍ବନା ହେଉଛି, ସବୁ ହିନ୍ଦି ଫିଲ୍ମ ଏବେ ଓଟିଟି ପ୍ଲାଟ୍‌ଫର୍ମର ସାହାରା ନେଲେଣି। ତେଣୁ ସିନେମା ହଲ୍‌ ଖୋଲିଲେ ବି ଆଉ ଫିଲ୍ମ ନାହିଁ। ଏଣେ ଓଡ଼ିଆ ଫିଲ୍ମ ନିର୍ମାଣ ବି ବନ୍ଦ। ପୁଣି ଚିନ୍ତା ବଢ଼େଇଛି କରୋନା ଭୟ।

ଏଭଳି ସ୍ଥିତିରେ ଯଦି ସିନେମା ହଲ୍‌ ଖୋଲିଦେବାକୁ ସରକାର ଅନୁମତି ବି ଦିଅନ୍ତି, ତେବେ ଦର୍ଶକ ଆସିବେ କି ନାହିଁ ସେନେଇ ସିନେମା ହଲ୍‌ ସ୍ବତ୍ତ୍ବାଧିକାରୀଙ୍କ ଚିନ୍ତା ବଢ଼ିଯାଇଛି।

Telegraph India

ରାଜଧାନୀରେ ୨୩ ବଡ଼ ପରଦା ପାଇଁ ବଡ଼ ଚିନ୍ତା
ଭୁବନେଶ୍ବର : ରାଜଧାନୀରେ ଲୋକଙ୍କୁ ମନୋରଞ୍ଜନ ଯୋଗାଉଥିଲେ ୨୩ ବଡ଼ ପରଦା। ୭ଟି ହଲ୍‌ ଶ୍ରୀୟା, ଶ୍ରୁତି, ସ୍ବାତୀ, ମହାରାଜା, କେଶରୀ, ରବି ଓ ଏକାମ୍ର ସିନେମା ହଲ୍‌ରେ ୭ଟି ପରଦା ରହିଛି। ପୁଣି ୪ଟି ମଲ୍‌ଟିପ୍ଲେକ୍ସରେ ରହିଛି ୧୬ଟି ପରଦା। ରାଜଧାନୀବାସୀଙ୍କ ମନୋରଞ୍ଜନର ଏକ ପ୍ରମୁଖ ମାଧ୍ୟମ ଏସବୁ। ସାଧାରଣତଃ ଶୁକ୍ରବାର ସିନେମା ରିଲିଜ୍‌ ହେଲେ ଲଗାତର ତିନି ଦିନ ହଜାର ହଜାର ଲୋକ ହଲ୍‌ ମୁହାଁ ହେଉଥିଲେ। ଅନ୍ୟ ଦିନଗୁଡ଼ିକରେ ବି ଦର୍ଶକଙ୍କ ଉପସ୍ଥିତି କିଛି କମ୍ ନ ଥିଲା। ବିଭିନ୍ନ କାରଣ ପାଇଁ ହଲ୍‌ରେ ବ୍ୟବସାୟ ପୂର୍ବ ପରି ହେଉ ନ ଥିଲେ ମଧ୍ୟ କିଛି ଖରାପ ନ ଥିଲା। ସ୍ବାତୀ, ସ୍ତୁତି ପରି କିଛି ହଲ୍‌ ନବୀକରଣ କରି ଦର୍ଶକଙ୍କୁ ଏକ ଅତ୍ୟାଧୁନିକ ପରିବେଶରେ ମନୋରଞ୍ଜନ ଯୋଗାଇବାକୁ ଉଦ୍ୟମ କରୁଥିଲେ।

ମାର୍ଚ୍ଚ ୨୪ ତାରିଖରୁ କରୋନା ଲକ୍‌ଡାଉନ୍ ଆରମ୍ଭ ହେବା ସହ ହଲ୍‌ଗୁଡ଼ିକରେ ତାଲା ଝୁଲୁଛି। ‌ଲୋକଙ୍କ ମନୋରଞ୍ଜନର ଏକ ପ୍ରମୁଖ ମାଧ୍ୟମ ଖାଲି ବନ୍ଦ ହୋଇ ନାହିଁ, ବରଂ ଶହ ଶହ କର୍ମଚାରୀଙ୍କ ଜୀବିକା ଉପରେ ସାଂଘାତିକ ପ୍ରହାର ହୋଇଛି। କର୍ମଚାରୀମାନେ ହାତ ବାନ୍ଧି ଘରେ ବସି ରହିଛନ୍ତି। ମଲ୍ଟିପ୍ଲେକ୍ସଗୁଡ଼ିକରେ ଘର ଭଡ଼ା ‌କର୍ତ୍ତୃପକ୍ଷଙ୍କ ଚିନ୍ତାର କାରଣ ହେଲାଣି। ମଲ୍‌ଗୁଡ଼ିକୁ ଖୋଲିବା ପାଇଁ ଅନୁମତି ମିଳିଲା ପରେ ଆଜି ଠାରୁ ଭୁବନେଶ୍ବରରେ ପ୍ରାୟ ସମସ୍ତ ସପିଂ ମଲ୍‌ ଖୋଲିଛି। କିନ୍ତୁ ‌ମଲ୍‌ରେ ଥିବା ମଲ୍ଟିପ୍ଲେକ୍ସଗୁଡ଼ିକ ଖୋଲି ନାହିଁ। ଅଗଷ୍ଟ ମାସରେ ହଲ୍‌ କିମ୍ବା ମଲ୍ଟିପ୍ଲେକ୍ସ ଖୋଲିବାର କୌଣସି ସମ୍ଭାବନା ନାହିଁ। କରୋନା କେବେ ଦୂର ହେବ ଓ ହଲ୍‌ଗୁଡ଼ିକ ଚଳଚଞ୍ଚଳ ହେବ, ସେହି ଚିନ୍ତାରେ ମାଲିକ ଓ କର୍ମଚାରୀମାନେ ଦିନ କାଟୁଛନ୍ତି।

ସମ୍ବନ୍ଧିତ ଖବର