କାନ୍ଦିକାନ୍ଦି ଭଗବାନଙ୍କୁ ଆମ୍ବୁଲାନ୍ସରେ ହସ୍ପିଟାଲ ନେଇ ଡାକ୍ତରଙ୍କୁ କରିଥିଲେ ଏଭଳି ଅନୁରୋଧ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଶାହାଜାହାନପୁର ଜିଲ୍ଲାରୁ ଏକ ଅଦ୍ଭୁତ ଘଟଣା ସାମ୍ନାକୁ ଆସିଛି।  ଜଣେ ବ୍ୟକ୍ତି କାନ୍ଦିକାନ୍ଦି ଭଗବାନ ଲଡ଼ୁଗୋପାଳଙ୍କୁ ଆମ୍ବୁଲାନ୍ସରେ ଧରି ଡାକ୍ତରଖାନାରେ ପହଞ୍ଚିଥିଲେ। ଡାକ୍ତରଙ୍କୁ ଭେଟିବା ପରେ ତାଙ୍କ ଲଡ଼ୁଗୋପାଳଙ୍କ ଚିକିତ୍ସା କରିବାକୁ କହିଥିଲେ। ଏହି ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଶାହାଜାହାନପୁର ଖୁଟର ପୁଲିସ ଷ୍ଟେସନ ଅଞ୍ଚଳରେ ଅବସ୍ଥିତ ସୁଜାନପୁର ଗାଁରେ ରିଙ୍କୁ ନାମକ ଜଣେ ବ୍ୟକ୍ତି ବସବାସ କରନ୍ତି। ସେ ଗତ ମଙ୍ଗଳବାର ସନ୍ଧ୍ୟାରେ ଭଗବାନ ଲଡୁ ଗୋପାଳଙ୍କ ଏକ ଛୋଟ ପ୍ରତିମାକୁ ଧରି କାନ୍ଦିକାନ୍ଦି ସରକାରୀ ଆମ୍ବୁଲାନ୍ସରେ ସ୍ଥାନୀୟ ସରକାରୀ ଡାକ୍ତରଖାନାରେ ପହଞ୍ଚିଥିଲେ।

ସେଠାରେ ପହଞ୍ଚିବାପରେ ଡାକ୍ତରଙ୍କୁ କହିଥିଲେ,‘ ଆଜ୍ଞା ସାର ମୁଁ ଲଡୁ ଗୋପାଳଙ୍କୁ ଗାଧୋଉଥିବା ବେଳେ ଖସି ପଡ଼ିଲେ। ତାଙ୍କର ହାତ ଭାଙ୍ଗି ଯାଇଛି ବହୁତ କଷ୍ଟ ହେଉଥିବ ତୁରନ୍ତ ଚିକିତ୍ସା କରାଇ ‌ଔଷଧ ଦିଅନ୍ତୁ। ଯେମିତି କି ସେ ଶୀଘ୍ର ଭଲ ହୋଇଯିବେ।’

ଏହି ଘଟଣା ସମୟରେ ଉପସ୍ଥିତ ଥିବା ଲୋକଙ୍କ କହିବାନୁସାରେ, ଡାକ୍ତର ରିଙ୍କୁଙ୍କ ଭକ୍ତି ଦେଖି ଲଡ଼ୁଗୋପାଳଙ୍କ ହାତରେ ଔଷଧ ଲଗାଇ ଦେଇଥିଲେ। ଏହାପରେ ରିଙ୍କୁ ଲଡୁଗୋପାଳଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବାକୁ ଜିଦ ଧରିଥିଲେ। ଡାକ୍ତରମାନେ ରିଙ୍କୁଙ୍କୁ ବୁଝାଇ କହିଥିଲେ, ‘ତୁମର ଲଡ଼ୁ ଗୋପାଳ ଏବେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି। ଅଯଥାରେ ହସ୍ପିଟାଲରେ କାହିଁକି ଭର୍ତ୍ତି କରିବ। ଘରକୁ ନେଇଗଲେ ସେ ଖୁସି ହେ‌ବେ।’

ଡାକ୍ତରଙ୍କ ଠାରୁ ଏଭଳି କଥା ଶୁଣି ରିଙ୍କୁ ଖୁସି ହୋଇ ଲଡ଼ୁ‌ ଗୋପାଳଙ୍କୁ ଗେଲ କରି ଆଲିଙ୍ଗନ କରିଥିଲେ। ଏହାପରେ ଆଖିରୁ ଲୁହ ‌ପୋଛି ଲଡ଼ୁ ଗୋପାଳଙ୍କ ସହିତ ଘରକୁ ଫେରିଥିଲେ।

 

ସମ୍ବନ୍ଧିତ ଖବର