‘ଘୋଷଯାତ୍ରା’ କଥା

ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାର ବହୁ ନାମ ମଧ୍ୟରୁ ‘ଘୋଷଯାତ୍ରା’ ଗୋଟିଏ। କିନ୍ତୁ କାହିଁକି ଏହାର ନାମ ‘ଘୋଷଯାତ୍ରା’ ହୋଇଛି?
ଏ ସଂପର୍କରେ ଯେଉଁସବୁ କାହାଣୀ, କିଂବଦନ୍ତି ପ୍ରଚଳିତ, ସେଥିରୁ ଗୋଟିଏ ହେଉଛି- ବଙ୍ଗୀୟ କାୟସ୍ଥ ବା ଗୋପାଳମାନଙ୍କର ଏକ ବଂଶଗତ ଉପାଧି ବା ସାଙ୍ଗିଆ ହେଉଛି ‘ଘୋଷ’। ଅତୀତ କାଳରେ ରାଜାମାନଙ୍କର ଏକ ମୁଖ୍ୟ ସଂପଦ ଥିଲା ‘ଗୋ-ସଂପଦ’ ବା ଗୋଧନ। ସେହି ଗୋଧନମାନଙ୍କୁ ରାଜପ୍ରାସାଦଠାରୁ ଦୂରରେ, ବନ-ପଲ୍ଲୀ ଭିତରେ ରଖାଯାଉଥିଲା। ଏହି ‘ଘୋଷ’ ବା ଗୋପାଳକମାନେ ସେମାନଙ୍କର ରକ୍ଷଣାବେକ୍ଷଣ କରୁଥିଲେ। ରାଜାମାନେ ମଝିରେ ମଝିରେ ଭଲଦିନ ଦେଖି ପଟୁଆରରେ ସେଠାକୁ ପରିଦର୍ଶନରେ ଯାଉଥିଲେ। ସେହି ଯାତ୍ରା ପଟୁଆର ଥିଲା ‘ଘୋଷ-ଯାତ୍ରା’।
‘ମହାଭାରତ’ରେ ଅନ୍ୟ ଏକ ଘୋଷଯାତ୍ରାର ବର୍ଣ୍ଣନା ଅଛି। ପାଣ୍ଡବମାନେ ବନବାସରେ ଥିବାବେଳେ, କର୍ଣ୍ଣ ପ୍ରଭୃତିଙ୍କର ପରାମର୍ଶରେ ଦୁର୍ଯ୍ୟୋଧନ ନିଜର ଐଶ୍ୱର୍ଯ୍ୟ ପ୍ରଦର୍ଶନପାଇଁ ସେମାନେ ରହୁଥିବା ଜୈତ୍ରବନକୁ ପଟୁଆରରେ ଯାତ୍ରା କରିଥିଲେ। ସେଥିପାଇଁ ସେ ରଥ ପଠାଇ ଶ୍ରୀକୃଷ୍ଣ ଓ ବଳରାମଙ୍କୁ ମଧ୍ୟ ଲୋଡ଼ିଥିଲେ। ତାହା ଥିଲା ଅନ୍ୟ ଏକ ଘୋଷଯାତ୍ରା।
କିନ୍ତୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଏପରି କୌଣସି ଯାତ୍ରା ନୁହେଁ। କାରଣ, ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା, ଗୋ-ପଲ୍ଲୀ ବା ବନପଲ୍ଲୀକୁ ଯାତ୍ରା ନୁହେଁ। ପୁଣି କୌଣସି ପ୍ରତିପକ୍ଷଙ୍କୁ ନିଜର ବଳବୈଭବ ଦେଖାଇବାର ଯାତ୍ରା ମଧ୍ୟ ଏ ନୁହେଁ। ଏ ଦୃଷ୍ଟିରୁ ପଣ୍ଡିତ ନୀଳକଣ୍ଠ ଦାସ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାକୁ ‘ଘୋଷଯାତ୍ରା’ କୁହାଯିବାକୁ ବିରୋଧ କରିଛନ୍ତି। ତାଙ୍କ ମତରେ, ମୈତ୍ରୀଦେବ ଶ୍ରୀଜଗନ୍ନାଥଙ୍କୁ ଗୋପୀବଲ୍ଲଭ କୃଷ୍ଣ କରିବାପାଇଁ ଏହା ଏକ ସଂକୀର୍ଣ୍ଣ ଉଦ୍ୟମ।
ଆଉ ଗୋଟିଏ ‘ରଥଯାତ୍ରା’ କଥା ମଧ୍ୟ ଶ୍ରୀକୃଷ୍ଣଙ୍କ ପ୍ରସଙ୍ଗରେ ଅଛି। ତାହା ହେଉଛି- କୃଷ୍ଣ ଓ ବଳରାମଙ୍କ ମଥୁରାଯାତ୍ରା। କଂସମାମୁଙ୍କ ନିମନ୍ତ୍ରଣ ପାଇ ବାଳକ ବଳରାମ ଓ କୃଷ୍ଣ ଧନୁଯାତ୍ରା ଦେଖିବାକୁ ରଥରେ ମଥୁରା ଯାତ୍ରା କରିଥିଲେ। ‘କେଶବ କୋଇଲି’ରେ ତାହା ଅତି ଆବେଗପୂର୍ଣ୍ଣ ଭାବରେ ରୂପପାଇଛି। ତାହା ହେଉଛି- ‘ଗଲା ପୁତ୍ର ବାହୁଡ଼ି ନଇଲା’। କାରଣ, ସେହି ରଥ ଆଉ ଗୋପପୁରକୁ ଫେରି ନଥିଲା। ଜୈତ୍ରବନ ଯାତ୍ରାରୁ ମଧ୍ୟ ଶ୍ରୀକୃଷ୍ଣ ଆଉ ଯାତ୍ରାରମ୍ଭ ସ୍ଥାନକୁ ଫେରି ନଥିଲେ। କିନ୍ତୁ ଶ୍ରୀକ୍ଷେତ୍ରର ରଥଯାତ୍ରାରେ ତିନିରଥ ପୁଣି ଯାତ୍ରାରମ୍ଭ ସ୍ଥଳକୁ ଅର୍ଥାତ୍ ଶ୍ରୀମନ୍ଦିରର ସିଂହଦ୍ୱାରକୁ ଫେରିଥାନ୍ତି।
ଏଣୁ ଶ୍ରୀକୃଷ୍ଣ ବା ଦୁର୍ଯ୍ୟୋଧନଙ୍କ ରଥଯାତ୍ରା ସହିତ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାର କୌଣସି ସଂପର୍କ ନାହିଁ ବା ସେ ଅନୁସାରେ ଏହା ‘ଘୋଷଯାତ୍ରା’ ହୋଇନାହିଁ।

ସମ୍ବନ୍ଧିତ ଖବର