ଅନୁପଙ୍କୁ ଫାଶୀଦଣ୍ଡ ପାଇଁ ଗୁହାରି କଲେ ପୂର୍ବ ସ୍ୱାମୀ

କଳ୍ପନା ଓ ୧୪ ବର୍ଷର ନିଷ୍ପାପ ନାବାଳିକା ବବ୍‌ଲିଙ୍କୁ ହତ୍ୟା ଘଟଣା

କଳ୍ପନା ଓ ୧୪ ବର୍ଷର ନିଷ୍ପାପ ନାବାଳିକା ବବ୍‌ଲିଙ୍କୁ ହତ୍ୟା କରିଥିବା ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡ ମିଳୁ ବୋଲି କହିଛନ୍ତି କଳ୍ପନାଙ୍କ ପୂର୍ବ ସ୍ବାମୀ ତଥା ବବ୍‌ଲିଙ୍କ ବାପା ସୁନିଲ ଶ୍ରୀବାସ୍ତବ। ରାୟଗଡ଼ରେ ଅନୁପଙ୍କୁ କୋର୍ଟଚାଲାଣ କରାଯାଉଥିବା ବେଳେ କୋହଭରା କଣ୍ଠରେ ସେ କହିଛନ୍ତି ମୋ ଝିଅ ତାଙ୍କର କ’ଣ କରିଥିଲା? ୨୦୦୫ରେ କଳ୍ପନା ଓ ତାଙ୍କର ଛାଡ଼ପତ୍ର ପ‌େର ବବ୍‌ଲି ମା ପାଖରେ ରହୁଥିଲା। ହେଲେ ବାପା ହିସାବରେ ସେ ତା’ ବାହାଘର କରିବାକୁ ଚାହୁଥ‌ିଲେ। ହେଲେ ଜୀବନ କ’ଣ ଜାଣିବା ପୂର୍ବରୁ ତାକୁ ନିର୍ମମ ଭାବେ ହତ୍ୟା କରାଗଲା। ଏଭଳି ଅପରାଧୀକୁ ଫାଶୀଦଣ୍ଡ ହିଁ ମିଳିବା ଦରକାର ବୋଲି ସୁନିଲ କହିଛନ୍ତି।

ସୁନିଲଙ୍କୁ ପ୍ରେମବିବାହ କରିଥିଲେ କଳ୍ପନା
ପ୍ରଥମେ ସୁନିଲଙ୍କୁ ପ୍ରେମବିବାହ କରିଥିଲେ କଳ୍ପନା। କଳ୍ପନାଙ୍କ ବାପା ପୂଜାପାଠ କରୁଥିଲେ। ସୁନିଲଙ୍କ ବାପାଙ୍କ ଦେହ ଅଧିକାଂଶ ସମୟ ଖରାପ ରହୁଥିବାରୁ ତାଙ୍କ ଘରେ ବି ପୂଜାପାଠ ହେଉଥିଲା। ଏପରି ଯିବା ଆସିବାରେ ସୁନିଲ ଓ କଳ୍ପନାଙ୍କ ମଧ୍ୟରେ ଦେଖାସାକ୍ଷାତ ଓ ପ୍ରେମ ହୋଇଥିଲା। ପରେ ସେମାନେ ବିବାହ କରିଥିଲେ। ସେମାନଙ୍କର ଝିଅଟିଏ ବି ହୋଇଥିଲା। କିନ୍ତୁ ଏହି ବିବାହ ବେଶିଦିନ ତିଷ୍ଠି ରହିଲାନି। ବାରମ୍ବାର ପାରିବାରିକ କଳହ ଯୋଗୁଁ ସେମାନେ ଅଲଗା ହୋଇଗଲେ। କଳ୍ପନାଙ୍କ ଉଚ୍ଚାକାଙ୍‌କ୍ଷା ଓ ପାରିବାରିକ କଳହ ବିବାହ ବିଚ୍ଛେଦର ମୂଳ କାରଣ ଥିଲା ବୋଲି ସୁନୀଲ କହିଛନ୍ତି।

ସୁନ୍ଦରପଦାରେ ତ୍ରିତଳ ପ୍ରାସାଦ
କଳ୍ପନାଙ୍କୁ ଅୟସରେ ରଖିବା ଓ ସହଜରେ ମିଳାମିଶା କରିବାକୁ ଅନୁପ ୨୦୧୧ରେ ଭୁବନେଶ୍ବରର ସୁନ୍ଦରପଦା ଅଞ୍ଚଳରେ ତାଙ୍କ ପତ୍ନୀ ସୁଷମାଙ୍କ ନାଁରେ ଏକ ଜମି କିଣିଥିଲେ। ଉକ୍ତ ଜମିରେ ୩ ତାଲା ବିଶିଷ୍ଟ ଫ୍ଲାଟ୍‌ ନିର୍ମାଣ କରିବାକୁ ଶରତ କୁମାର ସାହୁ ନାମକ ଜଣେ ବ୍ୟକ୍ତିକୁ ଦେଇଥିଲେ। ଶରତ ଫ୍ଲାଟ୍‌ ନିର୍ମାଣ କରି ଅନୁପଙ୍କ ହସ୍ତାନ୍ତର କରିବା ପରେ ସେଥିରେ କଳ୍ପନାଙ୍କୁ ପତ୍ନୀ ଓ ବବ୍‌ଲିକୁ ଝିଅର ପରିଚୟ ଦେଇ ରଖିଥିଲେ। ଦେଖାଶୁଣା କରିବାକୁ ତଳ ମହଲାରେ ଅପର୍ତି ସାହୁ ନାମକ ମହିଳାଙ୍କୁ ରଖିଥିଲେ। ଝିଅକୁ ନିକଟସ୍ଥ ସେଣ୍ଟ ଜାଭିୟର୍ସ ଇଂଲିସ ମିଡିୟମ୍‌ ସ୍କୁଲ୍‌ରେ ଭର୍ତି କରିବା ସହିତ ଆଡମିସନ୍‌ ରେଜିଷ୍ଟର୍‌ରେ ନିଜକୁ ଗାଡିଅନ୍‌ର ପରିଚୟ ଦେଇଥିଲେ।

କଲ୍‌ଗାର୍ଲ ବିବାଦରୁ ହତ୍ୟା ବୋଲି ପ୍ରଥମେ ଭାବିଥିଲା ପୁଲିସ
୨୦୧୬ ମେ ୭ ତାରିଖରେ ଛତିଶଗଡ଼ ରାୟଗଡ଼ ଜିଲ୍ଲା ସମ୍ବଳପୁରୀର ଶାକମ୍ବରୀ କାରଖାନା ନିକଟରେ ବଙ୍ଗୁରସିଆ ରାସ୍ତାରେ ଦୁଇଟି ମୃତଦେହ ପଡ଼ିଥିବା ଖବର ପାଇଥିଲେ ଚକ୍ରଧରନଗର ଥାନା ଅଧିକାରୀ। ଶବ ଦୁଇଟି ଦୁଇଜଣ ମହିଳାଙ୍କର ବୋଲି ଜଣାପଡ଼ୁଥିଲେ ବି ସେମାନଙ୍କୁ ଚିହ୍ନି ହେଉନଥିଲା। ସେମାନଙ୍କ ଉପରେ ଗାଡ଼ି ମଡ଼ାଇ ଦିଆଯାଇଥିବାରୁ ମୁହଁ ବିକୃତ‌ ହୋଇଯାଇଥିଲା। ପ୍ରଥମେ ଏହା ଏକ କଲ୍‌ଗାର୍ଲ ବିବାଦରୁ ହତ୍ୟାକାଣ୍ଡ ହୋଇଥାଇପାରେ ବୋଲି ପୁଲିସ ସନ୍ଦେହ କରିଥିଲା। ତତ୍‌କାଳୀନ ଆଇଜି ପୱନଦେବ ସେ ଅନୁସାରେ ତଦନ୍ତକୁ ଆଗକୁ ନେବାକୁ ତଦନ୍ତକାରୀ ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ। ହତ୍ୟା ପରେ ଗାଡ଼ି ଚଢ଼ାଇ ପ୍ରମାଣନଷ୍ଟ ଉଦ୍ୟମ କରାଯାଇଥିବା ପୋଷ୍ଟମର୍ଟମ ରିପୋର୍ଟରୁ ସୂଚନା ମିଳିବା ପରେ ରାଜ୍ୟର ପ୍ରାୟ ଦେଢ଼ଶହ କଲ୍‌ଗାର୍ଲଙ୍କୁ ମୃତକଙ୍କ ଫଟୋ ଦେଖାଇ ପଚରାଉଚରା କରାଯାଇଥିଲା। ହେଲେ ନିରାଶ ହୋଇଥିଲା ପୁଲିସ।

ପୁଲିସର ୩ ପ୍ରମୁଖ ସାକ୍ଷୀ
ଏହି ହାଇ ପ୍ରୋଫାଇଲ୍‌ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ନିକଟରେ ପହଞ୍ଚିବାକୁ ପୁଲିସ ୩ଟି ସାକ୍ଷୀ ସହାୟକ ହୋଇଥିଲା। ପ୍ରଥମ ଥିଲା ମୋବାଇଲ୍‌ ନମ୍ବର: ଅନୁପ ବ୍ୟବହାର କରୁଥିବା ନମ୍ବର ଦୁଇଟି ହତ୍ୟାକାଣ୍ଡ ଦିନ ହମିରପୁର ଅଞ୍ଚଳରେ ଥିବା ମୋବାଇଲ୍‌ ଟାୱାର ଅଧୀନରେ ଚଳଚଞ୍ଚଳ ହେଉଥିବା ବିଶ୍ଳେଷଣରୁ ଜଣାପଡ଼ିଥିଲା। ଦ୍ବିତୀୟ ପ୍ରମାଣ: ନିକଟସ୍ଥ ଏକ ଢାବାରେ ବସିଥିବା କିଛି ମହିଳା ଓ ପୁରୁଷ। ସେମାନେ ଅନୁପ ଓ ବର୍ମନ ଟପ୍ପୋ(ଡ୍ରାଇଭର)କୁ ଚିହ୍ନ ପାରି ନଥିଲେ ମଧ୍ୟ କହିଥିବା ରୂପ(ହୁଲିଆ)ରୁ ପୁଲିସକୁ ତଦନ୍ତରେ ସହଜ ହୋଇଥିଲା। ସେହିପରି ତୃତୀୟ ପ୍ରମାଣ ଥିଲା କଳ୍ପନାଙ୍କ ପୂର୍ବ ସ୍ବାମୀ ସୁନୀଲ ଶ୍ରୀବାସ୍ତବ। ସୁନୀଲଙ୍କୁ ପଚରାଉଚରା କରିବା ତାଙ୍କ ମତାମତ ମଧ୍ୟ ପୁଲିସକୁ ସହାୟକ ହୋଇଥିଲା। ସୁନୀଲଙ୍କ କହିବା ଅନୁଯାୟୀ ସେ ତାଙ୍କ ଝିଅ ବବ୍‌ଲିକୁ ଭେଟିବାକୁ କଳ୍ପନାଙ୍କ ଘରକୁ ଯାଆନ୍ତି। ସେତେବେଳେ ସେ ଅନେକ ଥର ଅନୁପଙ୍କୁ ସେଠାରେ ଦେଖିଛନ୍ତି। ଏପରିକି କଳ୍ପନାକୁ ରକ୍ଷିତା କରି ନ ରଖି ବିବାହ କରିବାକୁ ତାଙ୍କୁ କହିଥିଲେ। ମାତ୍ର ଅନୁପ ସେତେବେଳେ ତାଙ୍କୁ ଧମକ ‌ଚମକ ଦେଇଥିଲେ। ତାଙ୍କଠାରୁ ଦୂରେଇ ଯିବାକୁ ଧମକ ଦେବା ସହିତ ଏହା ତାଙ୍କ ବ୍ୟାପାର ସେ କ’ଣ କରିବେ ବା ନକରିବେ ତାଙ୍କୁ ପରାମର୍ଶ ଦେବା ଦରକାର ନାହିଁ ବୋଲି କହିଥିଲେ। ସୁନୀଲଙ୍କ ଏହି ମତ ପୁଲିସକୁ ମଧ୍ୟ ଅନୁପଙ୍କ ନିକଟରେ ପହଞ୍ଚିବାରେ ସହାୟକ ହୋଇଥିଲା। ଅନ୍ୟପକ୍ଷରେ ଅନୁପ ଓ କଳ୍ପନା ଉଭୟ ସ୍ବାମୀ ଓ ସ୍ତ୍ରୀ ଭାବରେ ରହୁଥିଲେ ମଧ୍ୟ ୨୦୧୬ରୁ ତାଙ୍କର ପତ୍ତା ନ ମିଳିବା ସଂପର୍କରେ କେହି କୌଣସି ଥାନାରେ ନିଖୋଜ ଅଭିଯୋଗ ନ କରିବା ପୁଲିସର ସନ୍ଦେହ ବଢ଼ାଇ ଦେଇଥିଲା।

ଅନୁପଙ୍କ ନାମ ଥିବା ଫଳକ ଭାଙ୍ଗିଲେ
ରାଜପୁର ପଞ୍ଚାୟତ ଜଗନ୍ନାଥ ମନ୍ଦିରରେ ଲାଗିଥିବା ଅନୁପ ସାଏଙ୍କ ଫଳକକୁ ଲୋକେ ଭାଙ୍ଗି ଦେଇଛନ୍ତି। ଏପରିକି ପଞ୍ଚାୟତର ବିଭିନ୍ନ ସ୍ଥାନରେ ତାଙ୍କ ନାଁରେ ଲାଗିଥିବା ଫଳକୁ ଭାଙ୍ଗି ଦେବାକୁ ଗ୍ରାମବାସୀ କହିଥିବା ଜଣାପଡ଼ିଛି।

ମିଳିନି ହତ୍ୟାକାଣ୍ଡରେ ବ୍ୟବହୃତ ରଡ୍‌
କଳ୍ପନା ଓ ତାଙ୍କ ଝିଅକୁ ହତ୍ୟା କରିବାରେ ବ୍ୟବହାର ହୋଇଥିବା ଲୁହା ରଡ୍‌ ଏଯାଏ ପୁଲିସକୁ ହସ୍ତଗତ ହୋଇ ନାହିଁ। ଅନୁପଙ୍କୁ ଏ ସଂପର୍କରେ ପଚରା ଯିବାରୁ ସେ ଏ ସଂପର୍କରେ ଜାଣି ନଥିବା କହିଥିଲେ। ତେବେ କାର୍‌ରେ ବ୍ୟବହୃତ ହେଉଥିବା ଏକ ରଡ୍‌କୁ ସେ ହତ୍ୟା ପାଇଁ ବ୍ୟବହାର କରିଥିବା କହିଥିଲେ। ଏହି ରଡ୍‌ ଡାଇଭର୍‌ ବର୍ମନ ପାଖରେ ଥାଇପାରେ ବୋଲି ପୁଲିସ କହିଛି। ତେବେ ବର୍ମନ ଧରାପଡ଼ିବା ପରେ ହତ୍ୟାରେ ବ୍ୟବହାର ହୋଇଥିବା ଲୁହା ରଡ୍‌ ସମ୍ପର୍କରେ ଜଣାପଡ଼ିବ ବୋଲି ପୁଲିସ କହିଛି।

ଛତିଶଗଡ଼ ରାଜନୀତି ଯୋଗୁ ତଦନ୍ତ ବିଳମ୍ବିତ!
୨୦୧୭ ମସିହା ସୁଦ୍ଧା ଛତିଶଗଡ଼ ପୁଲିସ ଅନୁପଙ୍କ ବିରୋଧରେ ଅଧିକାଂଶ ତଥ୍ୟ ଓ ପ୍ରମାଣ ପାଇ ସାରିଥିଲା। କଳ୍ପନାଙ୍କ ମୋବାଇଲ୍‌ କଲ୍‌ ରେକର୍ଡ ଓ ମୋବାଇଲର ଲୋକେସନ୍‌ ସବୁ କାହାଣୀ ସ୍ପଷ୍ଟ କରି ଦେଇଥିଲା। ଏହାପରେ କଳ୍ପନାଙ୍କ ପୂର୍ବ ସ୍ବାମୀ ସୁନିଲ ଓ ଝିଅ ବବ୍‌ଲିର ଡିଏନ୍‌ଏ ଟେଷ୍ଟ କରାଯାଇଥିଲା। ଉଭୟଙ୍କ ଡିଏନ୍‌ଏ ମେଳ ଖାଇଥିଲା। ସୁନିଲ ବି ବହୁ ମହତ୍ତ୍ବପୂର୍ଣ୍ଣ ସୂଚନା ପୁଲିସକୁ ଦେଇଥିଲେ। ଅନୁପ ହିଁ ଅଭିଯୁକ୍ତ ବୋଲି ପୁଲିସ ଜାଣିସାରିଥିଲା। କିନ୍ତୁ ସେତେବେଳକୁ ବିଜେଡ‌ିରେ ଯୋଗ ଦେଇ ସାରିଥିଲେ ଅନୁପ ସାଏ। ଉଠାଜଳସେଚନ ନିଗମ ଅଧ୍ୟକ୍ଷ ମଧ୍ୟ ଥିଲେ। ସେପଟେ ଛତିଶଗଡ଼ରେ ଥିଲା ବିଜେପି ସରକାର। ଓଡ଼ିଶାର ବିଜେଡି ଓ କେନ୍ଦ୍ରର ବିଜେପି ସରକାର ମଧ୍ୟରେ ବନ୍ଧୁତା ପ୍ରଭାବିତ ହେବା ଆଶଙ୍କାରେ ଛତିଶଗଡ଼ ପୁଲିସ ଏହି ମାମଲାକୁ ବେଶି ଗୁରୁତ୍ବ ଦେଇନଥିଲା ବୋଲି ଚର୍ଚ୍ଚା ହେଉଛି। ତେବେ ଛତିଶଗଡ଼‌େର ସରକାର ପରିବର୍ତ୍ତନ ପୁଣି ଥରେ ପୁଲିସ ସକ୍ରିୟ ହୋଇଥିଲା। ଗତ ୬ ମାସ ହେଲାଣି ଅନୁପଙ୍କ ଉପରେ ଗୁଇନ୍ଦାମାନେ ବରାବର ନଜର ରଖୁଥିଲେ। ଏହାପରେ ତାଙ୍କୁ ଗତ ୧୨ ତାରିଖରେ ତାଙ୍କ ଘର ନିକଟ ସାଇ ମନ୍ଦିରରୁ ଉଠାଇ ନେଇଥିଲେ ସାଦା ପୋଷାକରେ ଥିବା ଛତିଶଗଡ଼ର ପୁଲିସ କର୍ମୀ।

ସମ୍ବନ୍ଧିତ ଖବର