ଲକ୍ଷ୍ମୀପୁରାଣ କଥା-୨୮: ‘ବର ଦେଇଂକରି ଗଲେ ଦରିଦ୍ରଭଂଜନୀ’

ଅସିତ ମହାନ୍ତି

ଶ୍ରୀୟା ଚଣ୍ଡାଳୁଣୀ ଉପରେ ପ୍ରସନ୍ନ ହୋଇ ଲକ୍ଷ୍ମୀଠାକୁରାଣୀ ତାକୁ ବର ଦେଲେ। କିନ୍ତୁ ବଳରାମ ଦାସଙ୍କ ‘ଲକ୍ଷ୍ମୀପୁରାଣ’ ଅନୁସାରେ, ସେହି ବର ନିଃସର୍ତ୍ତ ନଥିଲା। ଠାକୁରାଣୀ ଅବଶ୍ୟ ଜାଣିଥିଲେ, ଶ୍ରୀୟା ଆଗରୁ ବ୍ରତ କରୁଥିଲା ଏବଂ ବର ପାଇବା ପରେ ବି ବ୍ରତ କରିବ। ତଥାପି, ଧନ, ଜନ, ଗୋପ, ଲକ୍ଷ୍ମୀ ପାଇଯିବା ପରେ, କାଳେ ବ୍ରତକଥା ଭୁଲିଯିବ, ସେଥିପାଇଁ ଲକ୍ଷ୍ମୀ ତାକୁ ଟିକିଏ ଆକଟ କଲେ। କହିଲେ-
“ମୋହ ବ୍ରତ କରି ତୁ ଲୋ ବଞ୍ଚୁଥିବୁ ଦିନ
ମୋହର ବ୍ରତକୁ ତୁ ଲୋ ନ କରିବୁ ଆନ।”

ସ୍ୱାଭାବିକ ଭାବରେ, ଶ୍ରୀୟା ତାଙ୍କ ଆଜ୍ଞାକୁ ଶିରୋଧାର୍ଯ୍ୟ କରିଛି। ଏହିପରି ଭାବରେ, ତାହାର ବର୍ଣ୍ଣନା ଅଛି-
“ଚଣ୍ଡାଳୁଣୀ ବୋଲୁଅଛି ଶିରେ କର ଦେଇଂ
ଯେଉଁ ଆଗ୍ୟାଂ ହେବ ମୋତେ ଠାକୁରାଣୀ ଆଇଂ।।”

ଯେଉଁ ‘ଲକ୍ଷ୍ମୀପୁରାଣ’ ବହିଟି ବିଦ୍ୱାନ୍‌ବର୍ଗଙ୍କ ଦ୍ୱାରା ସଂପାଦିତ ହୋଇ ପ୍ରକାଶ ପାଇଛି, ଏହା ତାହାର ୫୪ ପଦ। ପରବର୍ତ୍ତୀ ପାଠକୁ ଅନୁଧ୍ୟାନ କଲେ ହୃଦ୍‌ବୋଧ ହୁଏ- ଏହାର ଗୋଟିଏ ସଂଯୋଗସୂତ୍ର ଅଛି ୬୫ ପଦରେ। ସେଥିରେ ଉଲ୍ଲେଖ ଅଛି-
“ବର ଦେଇଂକରି ଗଲେ ଦରିଦ୍ରଭଂଜନୀ
ବିଜେ କରି ଯାଉଂଛନ୍ତି ଦେବୀ କମଳିଣୀ।।”

କିନ୍ତୁ ସେଥିରେ ୫୫ ପଦରୁ ୬୪ ପଦ ମଧ୍ୟରେ ଗୁରୁବାରର ବିଧି-ନିଷେଧଗୁଡ଼ିକ ଅଛି। ସେହି ବିଧି-ନିଷେଧଗୁଡ଼ିକ ପୂର୍ବରୁ ଆଲୋଚିତ ହୋଇଛି। (ଦ୍ର. ଲକ୍ଷ୍ମୀପୁରାଣ କଥା- ୨୪ ଓ ୨୫)। ତାହାକୁ ଅନୁଧ୍ୟାନ କଲେ ମନେହୁଏ, ହୁଏତ ବଳରାମ ଦାସଙ୍କ ରଚିତ ମୂଳ ପୋଥିରେ ସେଗୁଡ଼ିକ ନଥିଲା। ଊନବିଂଶ ଶତାବ୍ଦୀରେ ପ୍ରସ୍ତୁତ ହୋଇଥିବା ପୋଥିଗୁଡ଼ିକରେ ଏହି ବିଧି-ନିଷେଧଗୁଡ଼ିକୁ ଯୋଡ଼ିଦିଆଯାଇଛି। ଶ୍ରୀୟା ଚଣ୍ଡାଳୁଣୀକୁ କମଳିନୀ ବର ଦେଇସାରି ଯିବା ବେଳେ କହିଥିଲେ-
“ମୋହ ବ୍ରତ କରି ତୁ ଲୋ ବଂଚୁଥିବୁ ଦିନ
ମୋହର ବ୍ରତକୁ ତୁ ଲୋ ନକରିବୁ ଆନ।”

ଏଣୁ ପରବର୍ତ୍ତୀ ପୋଥିଗୁଡ଼ିକର ପ୍ରତିଲିପିକାର ମାନେ, ‘ପରମଲକ୍ଷ୍ମୀ’ କହି ଯାଇଥିବା ଏହି କଥାକୁ ଏକ ‘ପରମ ସୁଯୋଗ’ ବୋଲି ମନେକରି, ବିଧି-ନିଷେଧମାନ ସେଥିରେ ଯୋଡ଼ି ଦେଇଛନ୍ତି।

ଏହାର ପ୍ରମାଣ ମିଳେ ଅନ୍ୟ କେତୋଟି ‘ଲକ୍ଷ୍ମୀପୁରାଣ’ ପୋଥିରୁ। ‘ଲକ୍ଷ୍ମୀପୁରାଣ’ର ମୂଳ ପାଠରେ ଏ ପ୍ରସଙ୍ଗରେ ଅଛି-
“ଗୁରୁବାରେ ଯେଉଁ ସ୍ତିରୀ ଘେନଇ ଅଏଂଳା
ତାହାକୁ ସନ୍ତୋଷ ହ୍ୱନ୍ତି ଦେବୀ ଯେ କମଳା।”

କିନ୍ତୁ, ଅନ୍ୟ ଗୋଟିଏ ପୋଥିରେ ଏ ପ୍ରସଙ୍ଗରେ ଅଛି-
“ଗୁରୁବାରେ ଯେଉଁ ସ୍ତିରୀ ଘେନଇ ଅଏଂଳା
ସନ୍ତୋଷେ ମୁଁ ତାହାଠାରେ ଦିଏ ସୁନାବଳା।”

ଆଉ ଗୋଟିଏ ଉଦାହରଣ ହେଉଛି, ମୂଳ ପାଠର ୬୪ ପଦ। ସେଥିରେ କମଳିନୀ କହିଛନ୍ତି-
“ଗୁରୁବାରେ ନ ଯିବଟି ସ୍ୱାମୀଙ୍କର ପାଶ
ୟେତେ ପରିଗ୍ରହ କଲେ ବୈକୁଣ୍ଠରେ ବାସ।”

ଏ ପ୍ରସଙ୍ଗରେ ବିଶେଷ ଉଲ୍ଲେଖନୀୟ, ଯେ ପୁରୀ ଶ୍ରୀମନ୍ଦିରରେ ଗୁରୁବାରର ଏକ ବିଶେଷ ନୀତି ହେଉଛି- “ଏକାନ୍ତ”। ପ୍ରତି ଗୁରୁବାର ରାତିରେ ଶ୍ରୀଜଗନ୍ନାଥଙ୍କ ବିଜେପ୍ରତିମା ମଦନମୋହନ ଓ ରତ୍ନସିଂହାସନରେ ବିଜେ ଶ୍ରୀଦେବୀ ଶ୍ରୀଜଗନ୍ନାଥଙ୍କଠାରୁ ଆଜ୍ଞାମାଳ ପାଇ, ପାଲିଙ୍କିରେ ଶ୍ରୀମନ୍ଦିର ପରିସରରେ ଥିବା ସରସ୍ୱତୀ-ଭୁବନେଶ୍ୱରୀ ମନ୍ଦିରର ଜଗମୋହନକୁ ଯାଆନ୍ତି। ସେଠାରୁ ସେ ଦୁହେଁ ଲକ୍ଷ୍ମୀ ମନ୍ଦିରର ଜଗମୋହନକୁ ମହାଜନ ସେବକଙ୍କ ହାତରେ ବିଜେ ହୋଇ ଯାଆନ୍ତି। ସେଠାରେ ମଦନମୋହନ ଓ ଶ୍ରୀଦେବୀ ପଲଙ୍କରେ ବିଜେ କରନ୍ତି। ଏହା ଶ୍ରୀଜଗନ୍ନାଥ ଓ ଶ୍ରୀଦେବୀ (ଲକ୍ଷ୍ମୀ)ଙ୍କ ‘ଏକାନ୍ତ’ ବା ସାପ୍ତାହିକ ମିଳନ ନୀତି। ଏଣୁ, ଯେଉଁ ଲକ୍ଷ୍ମୀ ନିଜେ, ଗୁରୁବାରରେ ଜଗନ୍ନାଥଙ୍କ ସହ ମିଳିତ ହୁଅନ୍ତି, ସେ ଅନ୍ୟ ନାରୀମାନଙ୍କୁ ଗୁରୁବାରରେ ସ୍ୱାମୀ ସହ ମିଳନ ପାଇଁ ବାରଣ କରିବେ ବା କିପରି?

ଏହି ୫୫ରୁ ୬୪ ପର୍ଯ୍ୟନ୍ତ ପଦଗୁଡ଼ିକ ଯେ ପରବର୍ତ୍ତୀ କାଳର ପ୍ରକ୍ଷିପ୍ତ- ଏହାର ପ୍ରମାଣ ମଧ୍ୟ ମିଳେ ଅନ୍ୟ ପୋଥିରୁ। ସର୍ବପ୍ରାଚୀନ ଦ୍ୱିତୀୟ ପୋଥି ଓ ଅନ୍ୟ ପୋଥିରେ ଥିବା ଏପରି କେତୋଟି ପଦରେ ଅଛି-
“ଗୁରୁବାରେ ଯେଉଁ ଲୋକ କ୍ଷେଉର ହୁଅନ୍ତି
ଗୁରୁବାର ଯେଉଁ ନାରୀ ନଖ କଟାବନ୍ତି।
ଗୁରୁବାରେ ଯେଉଁ ଜନ ସିଝାବନ୍ତି ଧାନ
ଆଇଷ୍ୟ ତୁଟଇ ତାକୁ ନ ମିଳଇ ଧନ।
ମଳିନ ବସନ ଯେ କରଇ ପରିଧାନ
ସୋବର୍ଣ୍ଣ ହରାଇ ଯଦି ନଦିଅନ୍ତି ଧନ।
ଭୁଂଜାଉଣ ଅଛି ତାକୁ ଯେ କହୁଥାନ୍ତି କଥା
ଭୁଂଜୁ ଭୁଂଜୁ ଯେଉଂ ନାରୀ କୁଣ୍ଡୁଥାନ୍ତି ମଥା।
ଗୁରୁବାରେ ଯେଉଂ ସ୍ତିରୀ କରୁଥାଏ ରତି
ଦରିଦ୍ର ଅବସ୍ଥା ଦୁଃଖ ପାଏ ସେ ଯୁବତୀ।”

ଏଣୁ ‘ଦରିଦ୍ରଭଂଜନୀ’ ଲକ୍ଷ୍ମୀ ଶ୍ରୀୟା ଚଣ୍ଡାଳୁଣୀକୁ ବର ଦେଇ ଗଲାବେଳେ, ଏପରି ବିଧିନିଷେଧ କଥା କହିଥିବା ଆଦୌ ସ୍ୱାଭାବିକ ନୁହେଁ। ଏହା ପରବର୍ତ୍ତୀ କାଳର ପ୍ରକ୍ଷିପ୍ତ ବୋଲି ମନେହୁଏ।

ସମ୍ବନ୍ଧିତ ଖବର