କର୍କଟ ରୋଗାକ୍ରାନ୍ତ କୋଷିକା ନଷ୍ଟ କରିବା ନିମନ୍ତେ ନୂତନ ଉପାଦାନ
କର୍କଟ ରୋଗକୁ ବିଶ୍ୱବ୍ୟାପୀ ଅନ୍ୟତମ ଭୟାବହ ରୋଗ ବୋଲି ବିବେଚନା କରାଯାଏ। ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ମତରେ, ବିଶ୍ୱବ୍ୟାପୀ ଏହା ହେଉଛି ମୃତ୍ୟୁର ଦ୍ୱିତୀୟ ଅଗ୍ରଣୀ କାରଣ। କେବଳ କର୍କଟ ରୋଗରେ ୨୦୧୫ ମସିହାରେ ୮. ୮ ନିୟୁତ ଲୋକଙ୍କର ଦେହାନ୍ତ ହୋଇଥିଲା। ବିଶ୍ୱବ୍ୟାପୀ ଘଟୁଥିବା ପ୍ରତି ୬ଟି ମରଣରୁ ପ୍ରାୟ ଗୋଟିଏ ହେଉଛି କର୍କଟ ରୋଗ ଜନିତ।
Sambad is now on WhatsApp
Join and get latest news updates delivered to you via WhatsApp
ଶେଷ ଅବସ୍ଥାରେ ଡାକ୍ତରଙ୍କ ପାଖରେ ପହଞ୍ଚିବା ଏବଂ ରୋଗ ନିଦାନର ସୁବିଧା ନ ଥିବା ହେଉଛି ଏହି ରୋଗ ଜନିତ ମୃତ୍ୟୁର ଛୋଟିଆ ଏବଂ ସାଧାରଣ କାରଣ। ଏହି ରୋଗାକ୍ରାନ୍ତ ବ୍ୟକ୍ତି ବିଶେଷଙ୍କ ଶରୀରର ବିଭିନ୍ନ ଅଂଶକୁ ଚରି ଯିବାର କ୍ଷମତା ଥିବା ଅସ୍ୱାଭାବିକ ଭାବେ ବର୍ଦ୍ଧିତ କୋଷିକା ରହିଥାଆନ୍ତି। ଅସ୍ୱାଭାବିକ ଭାବେ ବଢ଼ିଥିବା ଏହି କୋଷିକାଗୁଡ଼ିକ ଶରୀରର ବିଭିନ୍ନ ସ୍ଥାନକୁ ଯାଇ ସୁସ୍ଥସବଳ କୋଷିକାଗୁଡ଼ିକୁ ଧ୍ୱଂସ କରି ପକାନ୍ତି।
କିନ୍ତୁ, ଏବେ ଦଳେ ଗବେଷକ ଏକ ଉପାଦାନ ପାଇଛନ୍ତି। ସେ ଉପାଦାନ କର୍କଟ ରୋଗାକ୍ରାନ୍ତ କୋଷିକାଗୁଡ଼ିକୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରାଏ।
ଏକ୍ୟୁଟ୍ ମାଇଲଏଡ୍ ଲ୍ୟୁକୋମିଆ କୋଷିକାର ଚିକିତ୍ସା ନିମନ୍ତେ ଏହି ନୂତନ ଚିକିତ୍ସା ନିର୍ଦେଶିତ ହୋଇଥିଲେ ମଧ୍ୟ ଏହା ଅନ୍ୟ ପ୍ରକାରର କର୍କଟ ରୋଗ ଚିକିତ୍ସା ନିମନ୍ତେ ଫଳପ୍ରଦ ହୋଇ ପାରୁଛି।
ଗବେଷଣା ସମ୍ପର୍କରେ ଅଧ୍ୟୟନର ବରିଷ୍ଠ ଲେଖକ ତଥା ବାୟୋକେମିଷ୍ଟ୍ରିର ସହକାରୀ ପ୍ରଫେସର୍ ଇଭ୍ରିପିଡିସ୍ ଗାଭାଥିଓଟିସ୍, ପିଏଚ୍ଡି କହନ୍ତି: ଆମେ ଆଶାବାଦୀ ଯେ ରୋଗାକ୍ରାନ୍ତ କୋଷିକା ସବୁକୁ ଆତ୍ମଧ୍ୱଂସୀ କରାଉଥିବାରୁ ଆମେ ବିକଶିତ କରୁଥିବା ଉପାଦାନ ସମ୍ପ୍ରତି ପ୍ରଚଳିତ କ୍ୟାନ୍ସର୍ ନିରୋଧୀ ଚିକିତ୍ସାଠାରୁ ଉନ୍ନତ ବୋଲି ପ୍ରତିପାଦିତ ହେବ। କର୍କଟ ରୋଗାକ୍ରାନ୍ତ କୋଷିକା ସବୁକୁ ଶୀଘ୍ର ଏବଂ ଅଧିକ ସାମର୍ଥ୍ୟର ସହ ନାଶ କରିବା ନିମନ୍ତେ ଏହି ଉପାଦାନ ଅନ୍ୟ ଚିକିତ୍ସା ସହ ମିଶା ଯାଇ ପାରିବ। ସାଧାରଣ କେମୋଥେରାପି ତୁଳନାରେ ଏହାର ପାର୍ଶ୍ୱପ୍ରତିକ୍ରିୟା ମଧ୍ୟ ନଗଣ୍ୟ।
କର୍କଟ ରୋଗ ବୃଦ୍ଧି ପାଉଥିବା ଭାରତ ଭଳି ଦେଶରେ ଏହି ଉପାଦାନ ଖୁବ୍ ଉପକାରୀ ସାବ୍ୟସ୍ତ ହୋଇ ପାରିବ।
ପ୍ରତିବର୍ଷ ଭାରତରେ ନିଦାନ କରାଯାଉଥିବା ପ୍ରାୟ ୨୫୦୦୦ ପିଲାଙ୍କ ମଧ୍ୟରୁ ୯୦୦୦ ଲ୍ୟୁକୋମିଆରେ ଆକ୍ରାନ୍ତ ବୋଲି ଜଣାପଡ଼ନ୍ତି।
ଇଣ୍ଡିଆନ୍ କାଉନ୍ସିଲ୍ ଅଫ୍ ମେଡିକାଲ୍ ରିସର୍ଚଙ୍କ କହିବାମତେ, ୨୦୨୦ ସୁଦ୍ଧା ଭାରତରେ ୨୦୧୬ ସୁଦ୍ଧା ଥିବା ୧୪ ଲକ୍ଷ କର୍କଟ ରୋଗୀଙ୍କ ସଂଖ୍ୟା ୧୭. ୩ ଲକ୍ଷକୁ ଅଧିକ ହୋଇଯିବା ଆଶା କରାଯାଉଛି।
କର୍କଟ ରୋଗ ଜନିତ ମୃତ୍ୟୁସଂଖ୍ୟା ମଧ୍ୟ ଆସନ୍ତା ଚାରି ବର୍ଷ ମଧ୍ୟରେ ୭. ୩୬ ଲକ୍ଷରୁ ୮. ୮ ଲକ୍ଷକୁ ଟପିଯାଇ ପାରେ।
ଶରୀରରୁ ଅବାଞ୍ଛିତ କୋଷିକା ସବୁକୁ ନିଷ୍କାସନ କରୁଥିବା ଗୁରୁତ୍ୱପୂର୍ଣ୍ଣ ପ୍ରକ୍ରିୟା ଆପୋପ୍ଟୋସିସ୍କୁ ବିଶେଷ ଭାବେ ସକ୍ରିୟ କରାଇ ଏହି ଉପାଦାନ କର୍କଟ ରୋଗ ସହ ଲଢ଼େଇ କରେ। ଏମ୍ବ୍ରିୟୋନିକ୍ ବିକାଶ ପାଉଥିବାବେଳେ ଆପୋପ୍ଟୋସିସ୍ ବହକା ଟିସ୍ୟୁଗୁଡ଼ିକୁ କାଟି ପକାଏ। କତେକ କେମୋଥେରାପି ଔଷଧ ମଧ୍ୟ ପରୋକ୍ଷଭାବେ ଆପୋପ୍ଟୋସିସ୍କୁ ଉତ୍ତେଜିତ କରାଇ କର୍କଟ ରୋଗ କୋଷିକାରେ ଥିବା ଡିଏନ୍ଏକୁ ନଷ୍ଟ କରିଥାଏ।
‘ନେଚର୍’ ଜର୍ଣ୍ଣାଲ୍ରେ ଏହି ଅଧ୍ୟୟନ ପ୍ରକାଶିତ ହୋଇଛି।