ସାଧାରଣ ମଣିଷଟିଏ ଯେଉଁ ସବୁ ସମୟରେ ପାଞ୍ଜିର ସହାୟତା ଲୋଡ଼େ, ତା’ ମଧ୍ୟରୁ ଗୋଟିଏ ହେଲା ଆତ୍ମୀୟସ୍ୱଜନଙ୍କ ଶ୍ରାଦ୍ଧ।
‘ନିତ୍ୟ’, ‘ନୈମିତ୍ତିକ’ ଓ ‘କାମ୍ୟ’ ଭେଦରେ ଶ୍ରାଦ୍ଧ ତିନିପ୍ରକାର। ନୈମିତ୍ତିକ ଶ୍ରାଦ୍ଧ ପୁଣି ଦୁଇପ୍ରକାର- ଏକୋଦ୍ଦିଷ୍ଟ ଓ ପାର୍ବଣ।
ପ୍ରତି ଅମାବାସ୍ୟା, ତିନି ଅଷ୍ଟକା, ତିନି ଅନ୍ୱଷ୍ଟକା ଆଦି ତିଥିରେ ନିତ୍ୟଶ୍ରାଦ୍ଧ ପାଳିତ ହୁଏ। ସେହିପରି ମେଷ, ତୁଳା, ମକର, କର୍କଟ, ଏହି ଚାରି ସଂକ୍ରାନ୍ତି, ବ୍ୟତିପାତ, ଜନ୍ମନକ୍ଷତ୍ର ଓ ଯାଗ ବ୍ରତ ବିବାହ ଆଦି ସମୟରେ କାମ୍ୟ ଶ୍ରାଦ୍ଧ କରାଯାଏ। ଏହା ପିଣ୍ଡଶୂନ୍ୟ ଶ୍ରାଦ୍ଧ। ଆତ୍ମୀୟସ୍ୱଜନଙ୍କ ମୃତ୍ୟୁ ତିଥିରେ ପ୍ରତିବର୍ଷ ଯେଉଁ ସାମ୍ବତ୍ସରିକ ଶ୍ରାଦ୍ଧ ପାଳନ କରାଯାଏ, ତାହା ନୈମିତ୍ତିକ ଶ୍ରାଦ୍ଧ। ଏକପୁରୁଷ ଅର୍ଥାତ୍ ଜନକଜନନୀଙ୍କ ଉଦ୍ଦେଶ୍ୟରେ ଯେଉଁ ଶ୍ରାଦ୍ଧ ପାଳିତ ହୁଏ, ତାହାକୁ ଏକୋଦ୍ଦିଷ୍ଟ ଶ୍ରାଦ୍ଧ କୁହାଯାଏ। ସେହିପରି, ତିନିପୁରୁଷଙ୍କ ଉଦ୍ଦେଶ୍ୟରେ ଯେଉଁ ଶ୍ରାଦ୍ଧ କରାଯାଏ ତାହାକୁ ପାର୍ବଣ ଶ୍ରାଦ୍ଧ କହନ୍ତି।
ସ୍ୱର୍ଗତ ପିତାମାତାଙ୍କ ଉଦ୍ଦେଶ୍ୟରେ ସେମାନଙ୍କର ମୃତ୍ୟୁ ତିଥିରେ ପ୍ରତିବର୍ଷ ସାମ୍ବତ୍ସରିକ ଶ୍ରାଦ୍ଧ କରିବାକୁ ହୋଇଥାଏ। ମୃତ୍ୟୁର ପ୍ରଥମ ବର୍ଷ ମୋଟ ୧୬ଟି ପ୍ରେତଶ୍ରାଦ୍ଧ କରିବାର ବିଧି ରହିଛି। ଦଶାହାଦି କ୍ରିୟା ଶେଷରେ ଏକାଦଶାହ ଦିନ ଯେଉଁ ଶ୍ରାଦ୍ଧ କରାଯାଏ, ତାହା ଆଦ୍ୟ ଶ୍ରାଦ୍ଧ। ଏହାପରେ, ବାରମାସରେ ୧୨ଟି ମାସିକ ଶ୍ରାଦ୍ଧ, ଗୋଟିଏ ତ୍ରିପାକ୍ଷିକ ଶ୍ରାଦ୍ଧ, ଗୋଟିଏ ଷାଣ୍ମାସିକ ଶ୍ରାଦ୍ଧ ଓ ବର୍ଷପୂରଣ ହେଲେ ସାମ୍ବତ୍ସରିକ ଶ୍ରାଦ୍ଧ କରାଯାଏ। ଶୁଦ୍ଧ ହେଉ ବା ମଳମାସ, ଷଷ୍ଠ ମାସରେ ଷାଣ୍ମାସିକ ଶ୍ରାଦ୍ଧ କରିବାକୁ ହୁଏ। ତିନି ପକ୍ଷ ପୂରିଗଲେ, ଅର୍ଥାତ୍ ମାତ୍ର ୪୫ ଦିନ ପୂରଣ ହେଲେ, ୪୬ ଦିନରେ ତ୍ରିପାକ୍ଷିକ ଶ୍ରାଦ୍ଧ ଦିଆଯାଏ। ଏହି ତ୍ରିପାକ୍ଷିକ ଶ୍ରାଦ୍ଧ ମଳମାସରେ ପଡ଼ିଲେ ମଧ୍ୟ ସେହିଦିନ କରାଯାଏ।
ଯେବେ ଶ୍ରାଦ୍ଧ ଦିବସରେ ଅଶୌଚ ପଡ଼େ, ତେବେ ଅଶୌଚ ଶେଷ ହେବାର ପରଦିନ ଶୁଚି ହୋଇ ଶ୍ରାଦ୍ଧ କରିବାକୁ ହୁଏ। ଗୟା ଆଦି ତୀର୍ଥରେ ପିଣ୍ଡଦାନ ଓ ତର୍ପଣ କରିଥିଲେ ମଧ୍ୟ, ପ୍ରତିବର୍ଷ ଘରେ ଶ୍ରାଦ୍ଧ ଦିଆଯିବାରେ କୌଣସି ବାରଣ ନାହିଁ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp