ଜୀବନ-ମନ୍ତ୍ର: ‘ବଢ଼ିଆଣ’ ଚିତା ଓ ‘ପଦ୍ମ’ ଚିତା

ଆମ ପର୍ବପର୍ବାଣୀ ସହିତ ଝୋଟି-ଚିତାର ପ୍ରଥା ଓ ପରମ୍ପରା ଜଡ଼ିତ। ଏହି ଝୋଟି-ଚିତାଗୁଡ଼ିକ ଅତ୍ୟନ୍ତ ତାତ୍ପର୍ଯ୍ୟପୂର୍ଣ୍ଣ। ପ୍ରଥମାଷ୍ଟମୀର ଦୁଇଟି ଚିତା ଏହାର ଉତ୍କୃଷ୍ଟ ଉଦାହରଣ। ପ୍ରଥମାଷ୍ଟମୀ ଆମ ଓଡ଼ିଶାର ଏକ ନିଜସ୍ୱ ପାରିବାରିକ ପର୍ବ। ଜ୍ୟେଷ୍ଠ ସନ୍ତାନର ଦୀର୍ଘ ଆୟୁ ଓ ଆରୋଗ୍ୟ କାମନା ଏହି ପର୍ବର ବିଶେଷତ୍ୱ। ବଡ଼ଝିଅ ଓ ବଡ଼ପୁଅ ପାଇଁ ଏହି ପର୍ବ ପାଳନ କରାଯାଏ। ପୁଅ ବଡ଼ ହୋଇଥିଲେ ସେ ‘ପୋରୁହାଁ’ ହୁଏ। ଝିଅ ବଡ଼ ହୋଇଥିଲେ ତାକୁ ପୋରୁହାଁ (ପ୍ରଥମ) ଭାବରେ ଏବଂ ପୁଅମାନଙ୍କ ଭିତରେ ଯେ ବଡ଼ ତାକୁ ‘ଦୋହାଁ ପୋରୁହାଁ’ (ଦ୍ୱିତୀୟ) ଭାବରେ ବନ୍ଦାପନା କରାଯାଏ।

ଡକ୍ଟର ମାୟାଧର ମାନସିଂହ ଉତ୍କଳ ବିଶ୍ୱବିଦ୍ୟାଳୟ ପ୍ରକାଶିତ ‘ସଂକ୍ଷିପ୍ତ ଓଡ଼ିଆ ଜ୍ଞାନକୋଷ’ରେ ଏ ବାବଦରେ ଦୁଇଟି ଅଲଗା ଅଲଗା ଚିତା ଦେଇଛନ୍ତି। ଘରକୁ ଭଲ ଭାବରେ ଲିପାପୋଛା କରି, ଏହି ଚିତା ଲେଖାଯାଏ। ଏଥିପାଇଁ ଅରୁଆ ଚାଉଳବଟା ପିଠଉ ବ୍ୟବହାର ହୁଏ। ବଡ଼ପୁଅ ପାଇଁ ‘ବଢ଼ିଆଣ’ ଚିତା ଓ ବଡ଼ଝିଅ ପାଇଁ ‘ପଦ୍ମ’ ଚିତା ଲେଖାଯାଏ। ‘ବଢ଼ିଆଣ’ ଶବ୍ଦର ଅର୍ଥ ବର୍ଦ୍ଧନ। ଆୟତ୍ତାକାରରେ ଆଠଟି କ୍ଷେତ୍ର ଉପରକୁ ଉପରକୁ କ୍ରମେ କ୍ଷୁଦ୍ରରୁ କ୍ଷୁଦ୍ରତର ହୋଇ ଏହି ଚିତା ଲେଖାଯାଏ। ‘ପଦ୍ମ’ ଚିତା ବଡ଼ଝିଅ ପାଇଁ ଲେଖାଯାଏ। ଏହି ଚିତା ଏକ ଅଷ୍ଟଦଳ ପଦ୍ମ ପରି ପ୍ରତୀୟମାନ ହୁଏ। କନ୍ୟାସନ୍ତାନ ଶକ୍ତିଙ୍କର ଅଂଶ ଏବଂ ଅଷ୍ଟଦଳ ପଦ୍ମ ଶକ୍ତିଙ୍କ ସହ ସଂପର୍କିତ। ମାର୍ଗଶିର କୃଷ୍ଣ ଅଷ୍ଟମୀ ବା ପ୍ରଥମାଷ୍ଟମୀ ଦିନ ଏହି ଦୁଇ ଚିତା ଉପରେ ବଡ଼ପୁଅ ଓ ବଡ଼ଝିଅ ବସି ବନ୍ଦାପନା ହୁଅନ୍ତି।

ସମ୍ବନ୍ଧିତ ଖବର