ପ୍ରେମୀ ଯୁଗଳଙ୍କୁ ଖୋଜିବାକୁ ପୁଲିସ୍‌ ଦ୍ବାରସ୍ଥ ହୋଇଥିଲେ ପରିବାର ଲୋକ, ଥାନା ଭିତରେ ପୁଲିସ୍‌ କରିଦେଲା ବିବାହ

ବୁନ୍ଦେଲଖଣ୍ଡ: ଉତ୍ତରପ୍ରଦେଶର ବୁନ୍ଦେଲଖଣ୍ଡର ମହୋବାଠାରେ ଏକ ନିଆରା ବିବାହ ଦେଖିବାକୁ ମିଳିଛି। ବିବାହରେ ବର, କନ୍ୟା ତ ଥିଲେ ହେଲେ ମଣ୍ଡପ ନଥିଲା। ପୁଲିସ୍‌ ଥାନାରେ ହୋଇଛି ବିବାହ ଓ ବରଯାତ୍ରୀ ସାଜିଥିଲେ ନିଜେ ପୁଲିସ୍‌ ବାବୁ।

ଘଟଣା ଏମିତି, ଉଭୟ ପୁଅ ଓ ଝିଅ ପରସ୍ପରଙ୍କୁ ପ୍ରେମ କରୁଥିଲେ। ମାତ୍ର ସେମାନଙ୍କ ପରିବାର ଲୋକ ସେମାନଙ୍କ ପ୍ରେମକୁ ସ୍ବୀକାର କଲେ ନାହିଁ। ସେହି କାରଣରୁ ସେମାନେ ଘରୁ ପଳାଇକି ବିବାହ କରିବା ନିଷ୍ପତ୍ତି ନେଲେ। ଦୀର୍ଘ ସମୟ ଧରି ଅପେକ୍ଷା କରିବା ପରେ ବି ଯେତେବେ‌ଳେ ପରିବାର ଲୋକ ମାନିଲେନି ତ ସେମାନେ ପୁଲିସ୍‌ ସହାୟତାରେ ବିବାହ କରି ନିଜ ବିବାହକୁ ସୁରକ୍ଷିତ କରିବାକୁ ଭାବିଲେ।

ମଧ୍ୟପ୍ରଦେଶର ମହାରାଜପୁର (ଛତରପୁର ଜିଲ୍ଲା)ର ବାସିନ୍ଦା ଚମନ ଚୌରାସିଆଙ୍କୁ ମହୋବା ନିବାସୀ ନିଲମ ଚୌରସିଆଙ୍କ ସହ ପ୍ରେମ ହୋଇଗଲା। ଦୁହିଁଙ୍କ ଭିତରେ ପ୍ରେମ ଏତେ ବଢ଼ିଗଲା ଯେ ମେସାନେ ପରସ୍ପରଙ୍କୁ ଜୀବନସାଥୀ ରୂପେ ବାଛିବାର ନିଷ୍ପତ୍ତି ନେଲେ। ଗତ କିଛି ଦିନ ତଳେ ନିଲମ ନିଜ ଘର ଛାଡ଼ି ଚମନଙ୍କ ପାଖକୁ ପଳାଇ ଆସିିଥିଲେ।

ନିଲମଙ୍କ ଘର ଲୋକ ଏନେଇ ପୁଲିସ୍‌ରେ ଏକ ମାମଲା ରୁଜୁ କରି ଚମନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ। ତାପରେ ପୁଲିସ୍‌ ପ୍ରେମୀ ଯୁଗଳଙ୍କୁ ଖୋଜିବା ଆରମ୍ଭ କରିଥିଲା। ପୁଲିସ୍‌ ସେମାନଙ୍କୁ ପାଇବା ପରେ ଉଭୟ ପରିବାର ଲୋକଙ୍କୁ ଡାକି ସେମାନଙ୍କ ସମ୍ମୁଖରେ ଥାନା ଭିତରେ ଥିବା ଏକ ମନ୍ଦିରରେ ବିବାହ କରାଇଥିଲା।  ବରପକ୍ଷରୁ ପୁଅ-ବୋହୂଙ୍କୁ ଗ୍ରହଣ କରିଥିବା ବେଳେ କନ୍ୟା ପକ୍ଷ ଝିଅ ସହ କୌଣସି ସଂପର୍କ ରଖିବେ ନାହିଁ ବୋଲି କହି ସେଠାରୁ ଫେରି ଯାଇଥିଲେ।

ସମ୍ବନ୍ଧିତ ଖବର