ଶ୍ରୀରାମଙ୍କର ଜଣେ ବଡ଼ ଭଉଣୀ ଥିଲେ ବୋଲି ଜାଣନ୍ତି କି! ଜାଣନ୍ତୁ କାହିଁକି ରାଜା ଦଶରଥ ନିଜ ଝିଅକୁ ଦାନ କରିଥିଲେ ଓ କାହାକୁ?

ରାମାୟଣ ବିଷୟରେ ଯଦି ଖୁବ୍‌ ସ୍ୱଳ୍ପ ଧାରଣା ବି ଥାଏ ତେବେ ଏକଥା ନିଶ୍ଚୟ ଜାଣିଥିବେ ଯେ ଅଯୋଧ୍ୟାର ରାଜା ଦଶରଥଙ୍କର ରାମ, ଲକ୍ଷ୍ମଣ, ଭରତ ଓ ଶତ୍ରୁଘ୍ନଙ୍କ ନାମରେ ଚାରି ଜଣ ପୁତ୍ର ଥିଲେ। ମାତ୍ର ଏ ଚାରି ଜଣଙ୍କ ପୂର୍ବରୁ ରାଜା ଦଶରଥଙ୍କ କୋଳ ମଣ୍ଡନ କରିଥିଲେ କନ୍ୟା ଶାନ୍ତା। ତେବେ, ରାଜାଙ୍କ ପ୍ରଥମ ସନ୍ତତି ହୋଇଥିବା ସତ୍ତ୍ୱେ କାହିଁକି ତାଙ୍କର ଗୁରୁତ୍ୱ ରହିନାହିଁ, କ’ଣ ରହିଛି ତାଙ୍କ କାହାଣୀ। ଆସନ୍ତୁ ଜାଣିବା ସେ ସଂପର୍କରେ।

ଦଶରଥଙ୍କ ଜନ୍ମର ମାତ୍ର ମାସ କେତେଟା ପରେ ଯେତେବେଳେ ତାଙ୍କ ବାପାମାଆଙ୍କର ମୃତ୍ୟୁ ହୋଇଗଲା ସେ ଜଣେ ସନ୍ୟାସୀଙ୍କ ଦ୍ୱାରା ଲାଳିତପାଳିତ ହେଲେ। ଧୀରେ ଧୀରେ ବଡ଼ ହେବା ସଙ୍ଗେ ସଙ୍ଗେ ଶିକ୍ଷା ଓ ଯୁଦ୍ଧ ବିଦ୍ୟାରେ ପାରଙ୍ଗମ ହେବାକୁ ଲାଗିଲେ ଦଶରଥ। ପ୍ରାପ୍ତ ବୟସରେ ଉପନୀତ ହେବା ପରେ ସେ ରାଜା ହେଲେ ଏବଂ ଏକଦା ସେ କୋଶଳ ରାଜ୍ୟର ରାଜକୁମାରୀ କୌଶଲ୍ୟାଙ୍କୁ ଦେଖିବା ପରେ ତାଙ୍କ ପ୍ରତି ଆକୃଷ୍ଟ ହେବାକୁ ଲାଗିଲେ। ଆକୃଷ୍ଟ ହେବା ପରେ ସେ କୌଶଲ୍ୟାଙ୍କ ବାପାଙ୍କୁ ତାଙ୍କ ଝିଅର ହାତ ମାଗିଲେ। ଦଶରଥଙ୍କ ରୂପ ଗୁଣରେ ମୁଗ୍ଧ ହୋଇ କୌଶଲ୍ୟାଙ୍କ ବାପା ମଧ୍ୟ ତାଙ୍କୁ ଜ୍ୱାଇଁଭାବେ ଗ୍ରହଣ କଲେ। ବିବାହର କିଛି ମାସ ପରେ ରାଜା ଦଶରଥ ଏବଂ ରାଣୀ କୌଶଲ୍ୟାଙ୍କର ଏକ କନ୍ୟା ସନ୍ତାନ ପ୍ରାପ୍ତ ହେଲା, ତାଙ୍କର ନାମ ରଖାଗଲା ଶାନ୍ତା। ଶାନ୍ତା ରୂପବତୀ, ଗୁଣବତୀ ଏବଂ ବୁଦ୍ଧିମତି ହୋଇ ବଢ଼ିବାରେ ଲାଗିଲେ।

ମାତ୍ର ଦଶରଥ ନିଜ ସାମ୍ରାଜ୍ୟର ଉତ୍ତରାଧିକାରୀ ଭାବେ ଏକ ପୁତ୍ର ସନ୍ତାନର ଆଶା ରଖିଥିଲେ। ସେ ପୁତ୍ର ସନ୍ତାନ ଆଶାରେ ପରବର୍ତ୍ତୀ ମୁହୂର୍ତ୍ତରେ ସୁମିତ୍ରା ଏବଂ କୈକେୟୀଙ୍କୁ ବିବାହ କଲେ। ମାତ୍ର ଅନେକ ଦିନ ପର୍ଯ୍ୟନ୍ତ ତାଙ୍କର ଆଶା ପୂର୍ଣ୍ଣ ହେଲା ନାହିଁ। ଫଳରେ ରାଜା ଦଶରଥ ନିଜର ଦୁଃଖ କୁଳଗୁରୁ ତଥା ଋଷି ବଶିଷ୍ଠଙ୍କୁ ଜଣାଇଲେ। ବଶିଷ୍ଠ ଦଶରଥଙ୍କୁ ଋଷି ବିଭାନ୍ଦକଙ୍କ ବିଷୟରେ କହିଲେ। ବିଭାନ୍ଦକଙ୍କ ନିକଟରେ ଇନ୍ଦ୍ରଙ୍କୁ ପ୍ରାପ୍ତ କରିବାର ସାମର୍ଥ୍ୟ ରହିଛି ବୋଲି ଶୁଣିବା ପରେ ଦଶରଥ ବହୁତ ଆଶାରେ ଯାଇ ତାଙ୍କ ନିକଟରେ ପହଞ୍ଚିଲେ।

ଏପଟେ ବିଭାନ୍ଦକଙ୍କ ପୂର୍ବରୁ ଉର୍ବଶୀଙ୍କ ସହ ଅନୈତିକ ସଂପର୍କ କାରଣରୁ ଏକ ପୁତ୍ର ସନ୍ତାନ ରହିଥିଲା, ଯାହାଙ୍କ ନାକ ରିଷ୍ୟଶ୍ରିଙ୍ଘ। ତାଙ୍କ ପୁତ୍ର ଜୀବନରେ ଜଣେ ନାରୀର ଆବଶ୍ୟକତା ଥିଲା। ମାତ୍ର ସେ ଜଣେ ଅବୈଧ୍ୟ ସନ୍ତାନ ହୋଇଥିବାରୁ ବିଭାନ୍ଦକ ଉପଯୁକ୍ତ କୁଳବଧୂ ଖୋଜି ପାଇପାରୁନଥିଲେ। ଯେତେବେଳେ ରାଜା ଦଶରଥ ଯାଇ ବିଭାନ୍ଦକଙ୍କୁ ସାକ୍ଷାତ କରି ନିଜ ବିଷୟରେ ଜଣାଇଲେ। ସେତେବେଳେ ବିଭାନ୍ଦକ ଏକ ସର୍ତ୍ତ ରଖିଲେ। ଯଦି କେହି ରୂପବତୀ, ଗୁଣବତୀ ଏବଂ ସର୍ବଗୁଣ ସଂପନ୍ନା କନ୍ୟା ତାଙ୍କ ପୁତ୍ର ସହ ସଂସାର କରନ୍ତି ତେବେ ଯାଇ ସେ ରାଜା ଦଶରଥଙ୍କର ପୁତ୍ର ଲାଭ ପାଇଁ ‘ପୁତ୍ରକାମେଷ୍ଠି ଯଜ୍ଞ’ର ଆୟୋଜନ କରିବେ। ବିଭାନ୍ଦକଙ୍କର ଏପରି ସର୍ତ୍ତ ଶୁଣିବା ପରେ ଦଶରଥ ବାଧ୍ୟ ହୋଇ ନିଜ ଝିଅକୁ ତାଙ୍କ ପୁଅ ସହ ବିଭା ଦେବା ପାଇଁ କଥା ଦେଇ ବସିଲେ। ବାପାଙ୍କ କଥା ରକ୍ଷା କରିବାକୁ ଯାଇ ଶାନ୍ତା ବିଭାନ୍ଦକଙ୍କ ପୁତ୍ର ରିଷିଶ୍ରିଙ୍ଘକୁ ବିଭା ହୋଇଥିଲେ। କିଛି ଦିନ ପରେ ରାଜା ଦଶରଥ ‘ପୁତ୍ରକାମେଷ୍ଠି ଯଜ୍ଞ’ କରିବା ପରେ ଯଜ୍ଞ ଚରୁ ଖାଇ ତିନି ରାଣୀଙ୍କର ରାମ, ଲକ୍ଷ୍ମଣ, ଭରତ ଓ ଶତ୍ରୁଘ୍ନଙ୍କ ନାମରେ ଚାରି ଜଣ ପୁତ୍ର ଜନ୍ମ ଲାଭ କରିଥିଲେ।

ସମ୍ବନ୍ଧିତ ଖବର