ସେନା ଟୋପି ପିନ୍ଧି ଖେଳିବା ପ୍ରସଙ୍ଗ: ଭାରତ ବିପକ୍ଷରେ କାର୍ଯ୍ୟାନୁଷ୍ଠାନ ଦାବି କଲା ପାକିସ୍ତାନ

କରାଚୀ: ଶୁ୍କ୍ରବାର ଅଷ୍ଟ୍ରେଲିଆ ବିପକ୍ଷ ରାଞ୍ଚି ଦିନିକିଆରେ ଭାରତୀୟ ଖେଳାଳିମାନେ ସେନା ଟୋପି ପରିଧାନ କରି ଖେଳିବା ଘଟଣାକୁ ପାକିସ୍ତାନ ଭିନ୍ନ ଦୃଷ୍ଟିରେ ଦେଖିଛି। ପୁଲୱାମାରେ ଆତଙ୍କବାଦୀଙ୍କ ଆକ୍ରମଣରେ ନିହତ ୪୦ ଜଣ ସିଆରପିଏଫ୍ ଜବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ଭାରତୀୟ ଦଳ ସେନା ଟୋପି ପିନ୍ଧି ଖେଳିଥିଲେ। ଆଇସିସି ଅନୁମତି କ୍ରମେ ବିସିସିଆଇ ଏଭଳି ନିଷ୍ପତ୍ତି ନେଇଥିଲା। ଏପରିକି ଭାରତୀୟ ଦଳ ସଦସ୍ୟ ମହେନ୍ଦ୍ର ସିଂହ ଧୋନିଙ୍କୁ ଆର୍ମି ପକ୍ଷରୁ ସମ୍ମାଜନକ ଭାବେ ଲ୍ୟୁଟେନାଣ୍ଟ୍ କର୍ନେଲ ଉପାଧି ଦିଆଯାଇଛି। ତାଙ୍କ ପରାମର୍ଶରେ ଏଭଳି ପ୍ରସ୍ତାବକୁ ସଫଳ ରୂପାୟନ କରାଯାଇଥିଲା। କିନ୍ତୁ ପାକିସ୍ତାନ ଏହାକୁ ହୀନ ନଜରରେ ଦେଖି ଭାରତ ବିପକ୍ଷରେ ଆଇସିସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ବୋଲି ଦାବି କରିଛି। ପାକିସ୍ତାନ ବୈଦେଶିକ ମନ୍ତ୍ରୀ ସାହ ମେହମୁଦ୍‌ କ୍ୟୁରେସୀ କହିଛନ୍ତି ‘ସମଗ୍ର ବିଶ୍ବ ଦେଖିଲା ଭାରତୀୟ ଦଳ ସେମାନଙ୍କ ନିଜସ୍ବ ଟୋପି ପରିବର୍ତେ ସେନା ଟୋପି ପରିଧାନ କରି ଖେ‌ଳିଲେ। ଆଇସିସି ଏହାକୁ ଦେଖି ପାରୁନାହିଁ କି। ପାକିସ୍ତାନ କ୍ରିକେଟ୍‌ ବୋର୍ଡ (ପିସିବି) ଏହାକୁ ଦୃଷ୍ଟି ଆକର୍ଷଣ କରିବା ପୂର୍ବରୁ ଆଇସିସି ଦାୟିତ୍ବ ନେବା କଥା।’। ପାକିସ୍ତାନ ସୂଚନାମନ୍ତ୍ରୀ ଫୱାଦ ଚୌଧୁରୀ ମଧ୍ୟ ସମାନ କଥା ଉଠାଇଥିଲେ। ‘ଏହା କେବଳ କ୍ରିକେଟ୍‌ ନୁହେଁ’ ଲେଖି ସେ ଭାରତୀୟ ‌ଖେଳାଳିଙ୍କ ଫଟୋ ସହିତ ଟ୍ବିଟ୍ କରିଥିଲେ। ଭାରତୀୟ ଦଳ ଯଦି ଏଥିରୁ ନିବୃତ୍ତ ନ ରୁହେ ତେବେ ପାକିସ୍ତାନ ଦଳ କଳାପଟି ପରିଧାନ କରି ବିଶ୍ବ ସମୁଦାୟକୁ ଜଣାଇଦେବ କଶ୍ମିରରେ କିଭଳି ଆତ୍ୟାଚାର ଚାଲିଛି। ଆଇସିସି ନିକଟରେ ଆନୁଷ୍ଠାନିକ ଭାବେ ଏକ ଅଭିଯୋଗ ଦାଖଲ କରିବାକୁ ପିସିବିକୁ ମଧ୍ୟ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

ସମ୍ବନ୍ଧିତ ଖବର