ଆଇପିଏଲ୍‌-୨୦୨୧: ପଂଜାବ ଆଗରେ ୧୩୨ ରନ୍‌ର ବିଜୟ ଲକ୍ଷ୍ୟ ରଖିଲା ମୁମ୍ବାଇ

ଚେନ୍ନାଇ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ୨୦୨୧ର ୧୭ତମ ମ୍ୟାଚରେ ଶୁକ୍ରବାର ମୁମ୍ବାଇ ଇଣ୍ଡିଆନ୍‌ସ ଏବଂ ପଂଜାବ କିଙ୍ଗ୍‌ସ ମଧ୍ୟରେ ଖେଳ ଜାରି ରହିଛି। ଚେନ୍ନାଇସ୍ଥିତ ଏମ୍‌ଏ ଚିଦାମ୍ବରମ୍‌ ଷ୍ଟାଡିୟମ୍‌ରେ ପଂଜାବ୍‌ କିଙ୍ଗ୍‌ସର ଅଧିନାୟକ କେଏଲ୍‌ ରାହୁଲ୍‌ ଟସ୍‌ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ। ଫଳରେ ରୋହିତ ଶର୍ମାଙ୍କ ନେତୃତ୍ବରେ ମୁମ୍ବାଇ ଇଣ୍ଡିଆନ୍‌ସ ବ୍ୟାଟିଂ କରିଥିଲା। ନିଜେ ରୋହିତ ଶର୍ମା ଏବଂ କ୍ବିଣ୍ଟନ୍‌ ଡି’କକ୍‌ ଇନିଂସ ଆରମ୍ଭ କରିଥିଲେ। ପଂଜାବର ବୋଲର ଦୀପକ ହୁଡ଼ା ଅତି ସହଜରେ କ୍ବିଣ୍ଟନ୍‌ ଡି’କକ୍‌(୩ରନ୍‌)ଙ୍କୁ ଆଉଟ କରିଥିଲେ। ପଂଜାବର ବୋଲରମାନେ ଆଜି ରଣନୀତି ନେଇ ଉଭୟ ବୋଲିଂ ଏବଂ ଫିଲ୍ଡିଂ କରିଥିବାରୁ ମୁମ୍ବାଇ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ୍‌ ହରାଇ ୧୩୧ ରନ୍‌ରେ ଅଟକି ଯାଇଥିଲା। ଫଳରେ ପଂଜାବକୁ ୧୩୨ ରନ୍‌ର ବିଜୟ ଲକ୍ଷ୍ୟ ମିଳିଛି। 

ରୋହିତ ଶର୍ମା ଦଳପାଇଁ ସର୍ବାଧିକ ୬୩ ରନ୍‌ ସଂଗ୍ରହ କରିଥିଲେ। ସେ ୫୨ଟି ବଲ ଖେଳି ୫ଟି ଚୌକା ଏବଂ ୨ଟି ଛକା ମାରିଥିଲେ। ଯୁବ କ୍ରିକେଟର ସୂର୍ଯ୍ୟକୁମାର ଯାଦବ ୨୭ଟି ବଲ ଖେଳି ୩୩ ରନ୍‌ ମାରିଥିଲେ। ଏଥିରେ ୩ଟି ଚୌକା ଏବଂ ଗୋଟିଏ ଛକା ସାମିଲ ଥିଲା। କିରଣ ପୋଲାର୍ଡ ଅପରାଜିତ ୧୬ ରନ୍‌ କରିଥିବା  ବେଳେ ମୁମ୍ବାଇ ଟିମ୍‌ର ଅନ୍ୟ ଖେଳାଳିଙ୍କର ପ୍ରଦର୍ଶନ ଅତି ନୈରାଶ୍ୟଜନକ ଥିଲା। 

ପଂଜାବ କିଙ୍ଗ୍ସ ପକ୍ଷରୁ ମହମ୍ମଦ ସାମି ଓ ରବି ବିଷ୍ଣୋୟୀ ୨-୨ଟି ୱିକେଟ ନେଇଥିଲେ। ଉଭୟ ବୋଲର ୪-୪ ଓଭର ବୋଲିଂ କରି ୫.୨୦ ହାରରେ ୨୧ ରନ୍ ଲେଖାଏଁ ଖର୍ଚ୍ଚ କରିଥିଲେ। ଦୀପକ ହୁଡା ଓ ଅର୍ଶଦୀପଙ୍କୁ ଗୋଟିଏ ଲେଖାଏଁ ୱିକେଟ୍ ମିଳିଥିଲା।

ସମ୍ବନ୍ଧିତ ଖବର