ଭୁବନେଶ୍ୱର: ବିଶ୍ୱକପ୍ ପଦାର୍ପଣ ସହିତ ଭାରତୀୟ ଦଳର ଓଡ଼ିଆ ଝିଆ ନମିତା ଟପ୍ପୋ ନିଜ ଖେଳ ଜୀବନର ୧୫୦ତମ ଅନ୍ତର୍ଜାତୀୟ ମ୍ୟାଚ୍ ମାଇଲଖୁଣ୍ଟ ଛୁଇଁଛନ୍ତି। ଶନିବାର ଇଂଲଣ୍ଡ ବିପକ୍ଷ ଉଦ୍ଘାଟନୀ ମ୍ୟାଚ୍ ଖେଳି ନମିତା ଏହି କୃତିତ୍ୱ ଅର୍ଜନ କରିଛନ୍ତି। ୨୦୧୨ ମସିହାରେ ଡବ୍ଲିନ୍ରେ ଏଫ୍ଆଇଏଚ୍ ଚାମ୍ପିଅନ୍ସ ଲିଗ୍ରେ ମାତ୍ର ୧୭ ବର୍ଷ ବୟସରେ ଖେଳି ବରିଷ୍ଠ ବର୍ଗରେ ଅନ୍ତର୍ଜାତୀୟ ପଦାର୍ପଣ କରିଥିବା ଏହି ଓଡ଼ିଆ ଝିଅ ଏବେ ଜାତୀୟ ଦଳ ମଧ୍ୟଭାଗର ଅବିଚ୍ଛେଦ୍ୟ ଅଙ୍ଗ ପାଲଟିଛନ୍ତି। ରାଉରକେଲାର ପାନପୋଷ କ୍ରୀଡ଼ା ଛାତ୍ରାବାସରୁ ବାହାରିଥିବା ଏହି ୨୩ ବର୍ଷୀୟା ଝିଅ ୨୦୦୭ ମସିହାରୁ ରାଜ୍ୟ ଦଳରୁ ପ୍ରତିନିଧିତ୍ୱ କରି ୧୮ ବର୍ଷରୁ କମ୍ ଏସିଆ କପ୍ରେ କାଂସ୍ୟ ପଦକ ବିଜେତା ହୋଇଥିଲେ। କଠିନ ପରିଶ୍ରମ ଏବଂ ସଙ୍କଳ୍ପବଦ୍ଧତା ନମିତାଙ୍କୁ ଭାରତୀୟ ଦଳରେ ପ୍ରତିଷ୍ଠିତ କରାଇଛି। ୨୦୧୩ରେ ଜର୍ମାନିର ମଞ୍ଚେନ୍ଗ୍ଲାଡବ୍ୟାକ୍ରେ ଅନୁଷ୍ଠିତ କନିଷ୍ଠ ବିଶ୍ୱକପ୍ରେ କାଂସ୍ୟ, ସେହିବର୍ଷ ଏଫ୍ଆଇଏଚ୍ ମହିଳା ବିଶ୍ୱ ଲିଗ୍ ରାଉଣ୍ଡ୍-୨ରେ ସ୍ୱର୍ଣ୍ଣ, ମହିଳା ଏସିଆ ଚାମ୍ପିଅନ୍ସ ଟ୍ରଫିରେ ରୌପ୍ୟ, ୨୦୧୪ ଏସୀୟ କ୍ରୀଡ଼ାରେ କାଂସ୍ୟ ସହିତ ୨୦୧୬ ରିଓ ଅଲିମ୍ପିକ୍ସରେ ପ୍ରତିନିଧିତ୍ୱ କରିଥିଲେ। ନିକଟ ଅତୀତରେ ତଥା ଗତବର୍ଷରେ ସେ ଦକ୍ଷିଣ କୋରିଆରେ ଅନୁଷ୍ଠିତ ନବମ ଏସିଆ କପ୍ରେ ରୌପ୍ୟ ପଦକ ଜିତିଥିଲେ। ଅନ୍ତର୍ଜାତୀୟ ହକିରେ ୧୫୦ ମ୍ୟାଚ୍ ଖେଳିବା ପରେ ନମିତାଙ୍କ ନିକଟକୁ ଅଭିନନ୍ଦନର ସୁଅ ଛୁଟିଛି। ୨୦୧୪ ହକି ଇଣ୍ଡିଆ ବାର୍ଷିକ ପୁରସ୍କାର ପ୍ରଦାନ ଉତ୍ସବରେ ଅସୁନ୍ତା ଲାକ୍ରା ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିବା ନମିତା କହିଛନ୍ତି ‘ଦେଶ ପାଇଁ ୧୫୦ ମ୍ୟାଚ୍ ଖେଳିବା ଅତି ଖୁସିର ବିଷୟ। ମୁଁ ଏବେ ଯୁବ ଖେଳାଳି ଥିବାରୁ ଏହା ମୋ ପାଇଁ ଆରମ୍ଭ ମାତ୍ର। ଦେଶ ପାଇଁ ଅଧିକରୁ ଅଧିକ ମ୍ୟାଚ୍ ଖେଳିବା ମୋ ଲକ୍ଷ୍ୟ। ଭାରତ ପାଇଁ ଏବେ ମହିଳା ହକିର ଶ୍ରେଷ୍ଠ ସମୟ ଆସିଛି। ଦେଶ ପାଇଁ ଟ୍ରଫି ଜିତିବା ଏବଂ ପ୍ରଶଂସକଙ୍କୁ ଗୌରବାନ୍ଵିତ କରିବା ଗୁରୁତ୍ୱପୂର୍ଣ୍ଣ’ ବୋଲି ନମିତା ପ୍ରକାଶ କରିଛନ୍ତି। ଭାରତୀୟ ମଧ୍ୟଭାଗରେ ସ୍ଥିରତା ଆଣିବାରେ ନମିତାଙ୍କ ଅବଦାନ ରହିଛି। ବିଗତ ୬ ବର୍ଷ ଧରି ତାଙ୍କ ଅବଦାନ ଅତୁଳନୀୟ। ତାଙ୍କ ଭବିଷ୍ୟତ ଉଜ୍ୱଳ ରହୁ ଏବଂ ଭାରତକୁ ଅଧିକ ବିଜୟ ମିଳୁ ବୋଲି ଶୁଭେଚ୍ଛା ଜଣାଇବା ଅବସରରେ କହିଛନ୍ତି ହକି ଇଣ୍ଡିଆ ମହାସଚିବ ମହମ୍ମଦ ମୁସ୍ତାକ୍ ଅହମ୍ମଦ।