ଆଉ ୨୫ ଦିନ, ନଭେମ୍ବର ୧୫ରୁ ମିଳିବ ଉଦ୍‌ଘାଟନୀ ଟିକେଟ!

ଭୁବନେଶ୍ବର: ଭୁବନେଶ୍ବର ହକି ବିଶ୍ବକପ୍‌ର ବହୁ ପ୍ରତୀକ୍ଷିତ ଉଦ୍‌ଘାଟନୀ ଉତ୍ସବ ଲାଗି ନଭେମ୍ବର ୧୫ ତାରିଖରୁ ଟିକେଟ ବିକ୍ରି ଆରମ୍ଭ ହେବ। ଟିକେଟ ଦର ପାଖାପାଖି ୫୦୦ ଟଙ୍କା ରଖାଯିବ। କଳିଙ୍ଗ କ୍ରୀଡ଼ା କଂପ୍ଲେକ୍ସର ମୁଖ୍ୟ ଷ୍ଟାଡିୟମରେ ଆୟୋଜିତ ହେବାକୁ ଥିବା ଉଦ୍‌ଘାଟନୀ ଉତ୍ସବ ଲାଗି ଉଦ୍ଦିଷ୍ଟ ଟିକେଟର ୫୦ ପ୍ରତିଶତ ସାଧାରଣ ଦର୍ଶକଙ୍କ ପାଇଁ ରଖାଯିବ। ଉଭୟ ଅନ୍‌ଲାଇନ ଏବଂ ଅଫଲାଇନରେ ଟିକେଟ୍ ମିଳିବ। କ୍ରୀଡ଼ା ସଚିବ ବିଶାଲ ଦେବ ବୁଧବାର ଏହି ସୂଚନା ଦେଇଛନ୍ତି। ସେହିଭଳି ମ୍ୟୁଜିକ୍ ମାଏଷ୍ଟ୍ରୋ ଏଆର ‌େରହମାନ ଏବଂ ସୁପରଷ୍ଟାର ଶାହାରୁଖ୍ ଖାନ୍ ଉଦ୍‌ଘାଟନୀ ଉତ୍ସବର ମୁଖ୍ୟ ଆକର୍ଷଣ ହେବେ ବୋଲି ଶ୍ରୀ ଦେବ କହିଛନ୍ତି। ଉଦଘାଟନୀ ଉତ୍ସବ ଲାଗି ସ୍ପେନର ଏକ ନୃତ୍ୟ ଦଳ ମଧ୍ୟ ଆସିବ। ହେଲେ ମୁଖ୍ୟ ଉତ୍ସବ ଆରମ୍ଭ ହେବା ପୂର୍ବରୁ ସ୍ଥାନୀୟ କଳାକାରମାନେ ଦର୍ଶକଙ୍କର ମ‌େନାରଞ୍ଜନ କରିବେ। ଦେଶ ବିଦେଶର କଳାକାରଙ୍କ ସହ ସ୍ଥାନୀୟ କଳାକାରଙ୍କୁ ମଧ୍ୟ ଉତ୍ସବରେ ଅଗଗ୍ରାଧିକାର ଦିଆଯିବ। ଉଦ୍‌ଘାଟନୀ ଉତ୍ସବରେ ମୋଟ ୧୮୦୦ କଳାକାର ଅଂଶ ଗ୍ରହଣ କରିବେ। ଶାହାରୁଖ ଏବଂ ରେହମାନଙ୍କ ସହ ଜଣେ ବଲିଉଡ୍ ଲୋକପ୍ରିୟ ଅଭିନେତ୍ରୀ ମଧ୍ୟ ଉଦ୍‌ଘାଟନୀର ଅନ୍ୟତମ ଆକର୍ଷଣ ହେବେ। ତେବେ ତାଙ୍କ ନାଁ ଚୁକ୍ତିି ସ୍ବାକ୍ଷର ପରେ ଘୋଷଣା କରାଯିବ ବୋଲି ଶ୍ରୀ ଦେବ କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ସେହିଭଳି ଉଦ୍‌ଘାଟନୀ ଉତ୍ସବ ଲାଗି ରାଜ୍ୟର ଅଧିକାଂଶ କ୍ରୀଡ଼ା ତାରକାଙ୍କୁ ନିମନ୍ତ୍ରଣ ପତ୍ର ପଠାଯିବ। ନଭେମ୍ବର ୨୭ ତାରିଖରେ ଉଦ୍‌ଘାଟନୀ ଉତ୍ସବ ଆୟୋଜିତ ହେବା ପରେ ୨୮ରୁ ଆନୁଷ୍ଠାନିକ ଭାବେ ବିଶ୍ବକପ୍ ପ୍ରତିଦ୍ବନ୍ଦ୍ବିତା ଆରମ୍ଭ ହେବ। ଯାହା ଡିସେମ୍ବର ୧୬ ତାରିଖ ପର୍ଯ୍ୟନ୍ତ ଚାଲିବ।

ସମ୍ବନ୍ଧିତ ଖବର