ବନ୍ଧୁକ ଦେଖାଇ ୬୧ଲକ୍ଷ ଲୁଟିଲେ

ବେଗୁନିଆ, ବେଗୁନିଆ: ଆଜି ଦିନ ଦ୍ୱିପହରେ ବେଗୁନିଆ ଥାନା ଅନ୍ତର୍ଗତ ଗେଡ଼ିଆପଲ୍ଲୀ ପଞ୍ଚାୟତ ଅନ୍ତର୍ଗତ କଣ୍ଟିଲୋ-ବାଘମାରୀ ୪୮ ନଂ ରାଜ୍ୟ ରାଜପଥର ପାଇକରାପୁର ପ୍ରାଥମିକ ବିଦ୍ୟାଳୟ ଆଗରୁ ରେଡିଆଣ୍ଟ୍ କ୍ୟାସ ମ୍ୟାନେଜମେଣ୍ଟ୍ ସର୍ଭିସର ଦୁଇଜଣ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଦୁର୍ବୃତ୍ତମାନେ ସାଢ଼େ ୬୧ ଲକ୍ଷ ଟଙ୍କା ଲୁଟିନେଇଛନ୍ତି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍ କରିଥିଲେ ହେଁ ଲୁଟେରା କି ଲୁଟ୍ ଟଙ୍କାର ଟେର୍ ପାଇପାରିନାହିଁ। ସୂଚନାନୁଯାୟୀ, ରେଡିଆଣ୍ଟ୍ କ୍ୟାସ ମ୍ୟାନେଜମେଣ୍ଟ୍ ସର୍ଭିସ୍‌ର କର୍ମଚାରୀ ଲକ୍ଷ୍ମୀନାରାୟଣ ଖଟୁଆ, ଶ୍ରୀକାନ୍ତ କୁମାର ସାହୁ ଏବଂ ଚାଳକ ପ୍ରଭାତ କୁମାର ବରାଡ଼ ଏକ ମାରୁତି କାର୍(ଓଡି-୦୨ଏନ୍-୧୬୮୧)ରେ ନରସିଂହପୁର, ଖଣ୍ଡପଡ଼ା ଓ କଳାପଥର ଅଞ୍ଚଳରେ ଥିବା ଏଲ୍ ଆଣ୍ଡ୍ ଟି କାର୍ଯ୍ୟାଳୟରୁ ମୋଟ ୬୧ ଲକ୍ଷ ୪୭ହଜାର ୨୪୭ଟଙ୍କା ସଂଗ୍ରହ କରି ଖୋର୍ଦ୍ଧା ବ୍ୟାଙ୍କ ଅଫ୍ ଇଣ୍ଡିଆ ଶାଖାରେ ଜମା କରିବା ପାଇଁ ଯାଉଥିଲେ। ଏତିକି ବେଳେ ୨ଟି ନମ୍ବରବିହୀନ (କଳା ଓ ଗୋଟିଏ ନାଲି ରଙ୍ଗ) ପଲସର ବାଇକ୍‌ରେ ୬ ଜଣ ଲୁଟେରା ମୁହଁରେ ରୁମାଲ ବାନ୍ଧି ଏବଂ ହେଣମେଟ୍ ପିନ୍ଧି ସେମାନଙ୍କ ପିଛା କରି କଢ଼ାମଲ୍ଲ ଓ ଗେଡ଼ିଆପଲ୍ଲୀ ମଧ୍ୟସ୍ଥ ନିର୍ଜନ ସ୍ଥାନରେ ପହଞ୍ଚିଥିଲେ। ସେଠାରେ ସେମାନେ ହଠାତ୍ କାର୍‌ ଆଗରେ ବାଇକ୍ ରଖିବା ସହ କାର୍ ଚାଳକ ଏବଂ କର୍ମଚାରୀମାନଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଟଙ୍କା ବ୍ୟାଗ୍‌ ଛଡ଼ାଇ ଆଖିପିଛୁଳାକେ ବାଘମାରୀ ରାସ୍ତାରେ ଛୁ ମାରିଥିଲେ। କର୍ମଚାରୀମାନଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋେକ ପହଞ୍ଚି ଧଲାପଥର ଫାଣ୍ଡି ଏବଂ ବେଗୁନିଆ ଥାନା ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଥିଲେ ହେଁ ଲୁଟେରାମାନଙ୍କ ସମ୍ପର୍କରେ ସୁରାକ ପାଇପାରିନାହିଁ।

ସମ୍ବନ୍ଧିତ ଖବର