‘କଶ୍ମୀର ଆୱାର’ରେ ଯୋଗଦେବେ ଆଫ୍ରିଦି, ତାଚ୍ଛଲ୍ୟ କଲେ ଗମ୍ଭୀର

ଲାହୋର: ଧାରା ୩୭୦ ଉଚ୍ଛେଦ ନେଇ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ନିଜ ଦେଶରେ ଡାକରା ଦେଇଥିବା ‘କଶ୍ମୀର ଆୱାର’ ଅଭିଯାନରେ ପୂର୍ବତନ କ୍ରିକେଟର ସାହିଦ ଆଫ୍ରିଦି ଯୋଗଦେବେ। ଆଫ୍ରିଦି ନିଜେ ଟ୍ବିଟ୍ କରି ଏଭଳି ସୂଚନା ଦେଇଛନ୍ତି। ପାକିସ୍ତାନୀଙ୍କୁ ଏହି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଆହ୍ବାନ କରିବା ସହ ଆଫ୍ରିଦି ଟ୍ବିଟ୍ କରିଛନ୍ତି ଯେ ଚାଲନ୍ତୁ ଏକ ଦେଶ ଭାବେ ପ୍ରଧାନମନ୍ତ୍ରୀଙ୍କ ‘କଶ୍ମୀର ଆୱାର’ ଡାକରାକୁ ସମର୍ଥନ କରିବା। ଶୁକ୍ରବାର ଅପରାହ୍ଣ ୧୨ଟାରେ ମୁଁ ଏଥିରେ ସାମିଲ ହେବି। କଶ୍ମୀର ଭାଇ ଭଉଣୀଙ୍କୁ ସମବେଦନା ଜଣାଇବି। ସେପ୍ଟେମ୍ବର ୬ରେ ମୁଁ ଜଣେ ସହିଦଙ୍କ ଘରକୁ ବି ଯିବି। ଖୁବଶୀଘ୍ର ମୁଁ ମଧ୍ୟ ନିୟନ୍ତ୍ରଣ ରେଖା ପରିଦର୍ଶନ କରିବି।

ଜମ୍ମୁ କଶ୍ମୀର ପରିସ୍ଥିତି ନେଇ ଆଫ୍ରିଦି ଦେଇଥିବା ମନ୍ତବ୍ୟକୁ ପୂର୍ବତନ ଭାରତୀୟ କ୍ରିକେଟର ତଥା ବିଜେପି ସାଂସଦ ଗୌତମ ଗମ୍ଭୀର ତାଚ୍ଛଲ୍ୟ କରିଛନ୍ତି। ଗମ୍ଭୀର କହିଛନ୍ତି ଯେ କିଛି ଲୋକ ଯେତେ‌ ଚେଷ୍ଟା କଲେ ମଧ୍ୟ ବଡ଼ ହୋଇପାରନ୍ତିନି। କ୍ରିକେଟ୍ ଖେଳନ୍ତି, ହେଲେ ସେମାନଙ୍କ ବୟସ ବଢ଼େନାହିଁ। ଆଫ୍ରିଦି ଏମିତି ଜଣେ ଲୋକ ଯାହାର ମାନସିକ ବିକାଶ ହେଉନି। ସେ ଯଦି ସବୁ କଥାରେ ରାଜନୀତି ପୂରାଇବାକୁ ଚାହୁଁଛନ୍ତି। ତାହାଲେ ରାଜନୀତିରେ ପ୍ରବେଶ କରୁନାହାନ୍ତି କାହିଁକି? ଅବଶ୍ୟ ରାଜନୀତି ଚାହେଁ ପରିପକ୍ବ ବ୍ୟକ୍ତିତ୍ବ। ଆଫ୍ରିଦିଙ୍କ ପାଖରେ ସେତକ ବି ନାହିଁ।

ସମ୍ବନ୍ଧିତ ଖବର