ଭାରତୀୟ ପତାକା ଉଡ଼ାଇଲେ ଆଫ୍ରିଦିଙ୍କ ଝିଅ

ଦୁବାଇ: ଚଳିତ ମାସ ୪ ତାରିଖରେ ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମ୍‌ରେ ଆୟୋଜିତ ଭାରତ-ପାକିସ୍ତାନ ମ୍ୟାଚ୍ ଅବସରରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଥିଲା। ଭାରତୀୟ କ୍ରିକେଟ୍ ଦଳର ପୁରୁଣା ପ୍ରତିଦ୍ବନ୍ଦ୍ବୀ ତଥା ପାକିସ୍ତାନ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ସାହିଦ ଆଫ୍ରିଦିଙ୍କ ଝିଅ ଭାରତୀୟ ପତାକା ଧରି ଭାରତୀୟ ଖେଳାଳିଙ୍କୁ ଉତ୍ସାହିତ କରୁଥିଲେ। ଏହି ଦୃଶ୍ୟ ଟେଲିଭିଜନ୍ ଚ୍ୟାନେଲରେ ପ୍ରସାରିତ ହେବା ପରେ ଉଭୟ ଭାରତ ଏବଂ ପାକିସ୍ତାନ କ୍ରିକେଟ୍ ଦଳର ପ୍ରଶଂସକ ଚକିତ ହୋଇଯାଇଥିଲେ। ଏଥିନେଇ ଆଫ୍ରିଦି ମଧ୍ୟ ମଜାଦାର ସ୍ପଷ୍ଟୀକରଣ ଦେଇଥିଲେ। ଏକ ସାକ୍ଷାତକାର ଅବସରରେ ସେ କହିଥିଲେ, ମୋ ପରିବାର ସେଠାରେ (ଦୁବାଇ ଷ୍ଟାଡିୟମ୍‌ରେ) ଥିଲେ। ମୋ ପାଖକୁ ମଧ୍ୟ ଏହି ଭିଡିଓ ଆସିଥିଲା। ମୋ ପତ୍ନୀ ଏଥିନେଇ କହିଥିଲେ ଯେ ସେଦିନ ଷ୍ଟାଡିୟମ୍‌ରେ ମାତ୍ର ୧୦ ପ୍ରତିଶତ ପାକିସ୍ତାନୀ ପ୍ରଶଂସକ ଥିଲା ବେଳେ ୯୦ ପ୍ରତିଶତ ଭାରତୀୟ ସମର୍ଥକ ଥିଲେ। ମୋ ସାନ ଝିଅ ଗୋଟିଏ ହେଲେ ବି ପାକିସ୍ତାନୀ ପତାକା ପାଇବାକୁ ସକ୍ଷମ ହୋଇ ନଥିଲା। ସେଥିପାଇଁ ଭାରତୀୟ ପାତାକା ଧରି ହଲାଉଥିଲେ। ସୂଚନାଯୋଗ୍ୟ ଯେ ଆଫ୍ରିଦିଙ୍କ ସବା ବଡ଼ ଝିଅ ପାକିସ୍ତାନର ଉଦୀୟମାନ ଦ୍ରୁତ ବୋଲର ସାହିନ ସାହା ଆଫ୍ରିଦିଙ୍କୁ ବିବା‌ହ କରିବାକୁ ଯାଉଛନ୍ତି। ସାହିନ ଆହତ ହୋଇ ଏସିଆ କପ୍ ଖେଳିବାରୁ ବଞ୍ଚିତ ହୋଇଥିଲେ।

ସମ୍ବନ୍ଧିତ ଖବର