ମନ୍ତ୍ରୀଙ୍କ ନିମନ୍ତ୍ରଣ ପରେ ମାସେ ସମୟ ମାଗିଲେ ମଇଁଷି ଧାବକ

ବେଙ୍ଗାଲୁରୁ: ଚର୍ଚ୍ଚିତ ମଇଁଷି ଧାବକ ଶ୍ରୀନିବାସ ଗୌଡ଼ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରଣ ରିଜିଜୁଙ୍କ ନିମନ୍ତ୍ରଣକୁ ଏକ ପ୍ରକାର ଏଡ଼ାଇ ଦେଇଛନ୍ତି। କ୍ରୀଡ଼ାମନ୍ତ୍ରୀ ରିଜିଜୁ ତାଙ୍କୁ ସାଇ (ଭାରତୀୟ କ୍ରୀଡ଼ା ପ୍ରାଧୀକରଣ)ରେ ଟ୍ରାଏଲ୍‌ ଦେବାକୁ ପ୍ରସ୍ତାବ ଦେଇଥିଲେ ମଧ୍ୟ ଏଥି ପାଇଁ ସେ ମାସେ ସମୟ ନେଇଛନ୍ତି। ‘ମୁଁ ଏବେ ସାଇ ଟ୍ରାଏଲ୍‌ରେ ଯୋଗ ଦେଇପାରିବି ନାହିଁ, ମୁଁ କାମ୍ବାଲାରେ ଅଧିକ ସଫଳତା ପାଇଁ ଆଗ୍ରହୀ। ତଥାପି ପ୍ରସ୍ତାବିତ ସାଇ ଟ୍ରାଏଲ୍‌ ପାଇଁ ମୁଁ ଏକ ମାସର ସମୟ ନେବାକୁ ଚାହୁଁଛି’ ବୋଲି ୨୮ ବର୍ଷୀୟ ଶ୍ରୀନିବାସ ପ୍ରକାଶ କରିଛନ୍ତି। ମୁଁ ତାଲିମ ନେବାକୁ ଆଗ୍ରହୀ, ସାଇ ମୋତେ ଗୋଟିଏ ମାସ ସମୟ ଦେଉ ବୋଲି ଶ୍ରୀନିବାସ ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ, ବିଶ୍ବ କୀର୍ତ୍ତିମାନଧାରି ଜାମାଇକା ଧାବକ ଉସେନ୍‌ ବୋଲଟଙ୍କଠାରୁ ଅଧିକ ବେଗରେ ଦୌଡ଼ିଥିବାରୁ ରିଜିଜୁ ଅଲିମ୍ପିକ୍‌ ପ୍ରତିଭା ଦୃଷ୍ଟିରେ ରଖି ସ୍ବତନ୍ତ୍ର ଭାବେ ବାଙ୍ଗାଲୋର୍‌ ସାଇରେ ଟ୍ରାଏଲ୍ ଦେବାକୁ ଶ୍ରୀନିବାସଙ୍କୁ ନିମନ୍ତ୍ରଣ କରିଥିଲେ। ‘ଦେଶରେ କୌଣସି ପ୍ରତିଭାଙ୍କୁ ଛାଡ଼ି ଦିଆଯିବ ନାହିଁ’ ବୋଲି ରିଜିଜୁ କହିଛନ୍ତି। ଶ୍ରୀନିବାସଙ୍କୁ ଡକାଯିବ ଏବଂ ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ)ର ଶୀର୍ଷସ୍ଥାନୀୟ ପ୍ରଶିକ୍ଷକଙ୍କ ଦ୍ବାରା ପରୀକ୍ଷା କରାଯିବ ବୋଲି ମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ। ଗତବର୍ଷ ମଧ୍ୟପ୍ରଦେଶର ରାମେଶ୍ବର ସିଂହ ଖାଲି ପାଦରେ ୧୦୦ ମିଟର୍‌ ଦୌଡ଼କୁ ୧୧ ସେକେଣ୍ଡ୍‌ ଭିତରେ ଶେଷ କରିଥିବାରୁ ମଧ୍ୟ ରିଜିଜୁଙ୍କ ସମର୍ଥନ ପାଇଥିଲେ।

ସୂଚନାଯୋଗ୍ୟ, ଉସେନ୍‌ ବୋଲଟଙ୍କ ନାମରେ ୧୦୦ ମିଟର୍‌ ଦୌଡ଼ର ବିଶ୍ବ କୀର୍ତ୍ତିମାନ (୯.୫୮ ସେକେଣ୍ଡ୍‌) ରହିଛି। ୨୮ ବର୍ଷୀୟ ଶ୍ରୀନିବାସ ଗୌଡ଼ ୯.୫୫ ସେକେଣ୍ଡ୍‌ ସମୟରେ ଏହାକୁ ଅତିକ୍ରମ କରିଛନ୍ତି। କିନ୍ତୁ ଶ୍ରୀନିବାସ କୌଣସି ଦୌଡ଼ ପ୍ରତ‌ିଯୋଗିତାରେ ଭାଗ ନେଇନଥିବାରୁ ଏହାକୁ ସିଧାସଳଖ ବିଶ୍ବ କୀର୍ତ୍ତିମାନ କୁହାଯାଇନଥିଲା। ହଳେ ମଇଁଷି ସହିତ ସେ ୧୪୨.୫୦ ମିଟରକୁ ୧୩.୬୨ ସେକେଣ୍ଡ୍‌ରେ ଦୌଡ଼ିଥିଲେ। ହିସାବ ଅନୁସାରେ ୧୦୦ ମିଟରକୁ ୯.୫୫‌ ସେକେଣ୍ଡ୍‌ ହେଉଛି। ଅର୍ଥାତ୍‌ ବୋଲଟଙ୍କ କୀର୍ତ୍ତିମାନକୁ ସେ .୦୩ ସେକେଣ୍ଡ୍‌ରେ ପଛରେ ପକାଇଥିବାରୁ ସାମଜିକ ଗଣମାଧ୍ୟମରେ ଭାଇରାଲ୍‌ ହୋଇଥିଲା। ଯାହାକି ଜାତୀୟ ଏବଂ ଅନ୍ତର୍ଜାତୀୟ ଗଣମାଧ୍ୟମରେ ଢ଼େର ଚର୍ଚା ଯୋଗାଇଥିଲା। ମନ୍ତ୍ରୀଙ୍କ ନିର୍ଦେଶ ପରେ ସାଇ କର୍ତ୍ତୃପକ୍ଷ ଶ୍ରୀନିବାସଙ୍କ ପାଇଁ ରେଳ ଟିକେଟ୍ କାଟି ସାରିଥିଲେ ମଧ୍ୟ ସେ ଏହାକୁ ପ୍ରତ୍ୟାଖାନ କରି ଦେଇଛନ୍ତି। କାମ୍ବାଲା ଋତୁ ଶେଷ ପରେ ସାଇ ପ୍ରସ୍ତାବ ସମ୍ପର୍କରେ ବିଚାର କରାଯିବ ବୋଲି କହିଛନ୍ତି ଏହି ଏକାଡେମିର ପ୍ରତିଷ୍ଠାତା ପ୍ରଫେସର‌ କେଜି କଦମ୍ବା।

ସମ୍ବନ୍ଧିତ ଖବର