ଆନନ୍ଦ ଜିତି‌‌ଲେ ଟାଟା ଷ୍ଟିଲ ଚେସ୍

କୋଲକାତା: ଶେଷ ଦିନରେ ଶ୍ରେଷ୍ଠ ପ୍ରଦର୍ଶନ କରି ଭାରତୀୟ ଗ୍ରାଣ୍ଡମାଷ୍ଟର ବିଶ୍ବନାଥନ ଆନନ୍ଦ ଏଠାରେ ଆୟୋଜିତ ପ୍ରଥମ ଟାଟା ଷ୍ଟିଲ୍ ଚେସ୍ ଇଣ୍ଡିଆ ବ୍ଲିଜ୍ ପ୍ରତିଯୋଗିତାରେ ବିଜେତା ଆଖ୍ୟା ଅର୍ଜନ କରିଛନ୍ତି। ଅନ୍ୟପକ୍ଷରେ ଆମେରିକୀୟ ତାରକା ହିକାରୁ ନାକାମୁରା ଚାରି ଦିନ ଧରି ଆଗୁଆ ରହିବା ପରେ ଶେଷ ଦିନରେ ଆନନ୍ଦଙ୍କ ଆଗରେ ଆତ୍ମସମର୍ପଣ କରି ଉପ ବିଜେତାରେ ସନ୍ତୁଷ୍ଟ ରହିଛନ୍ତି। ମଙ୍ଗଳବାର ପ୍ରତିଯୋଗିତାର ପ୍ରଥମ ପର୍ଯ୍ୟାୟ ସୁଦ୍ଧା ଚତୁର୍ଥ ସ୍ଥାନରେ ରହିଥିବା ଆନନ୍ଦ ଗୁରୁବାର ଶେଷ ଦିନରେ ଏକାଥରକେ ଅଧଡଜନେ ବିଜୟ ଏବଂ ତିନିଟି ଅମିମାଂସିତ ହାସଲ କରିଥିଲେ। ତା’ ସହ ବିଶ୍ବମାନ୍ୟତାର ତୃତୀୟ ସ୍ଥାନରେ ଥିବା ଆମେରିକାର ହିକାରୁ ନାକାମୁରାଙ୍କ ସହ ସମାନ ପଏଣ୍ଟରେ ପହଞ୍ଚି ଯାଇଥିଲେ। ଦୁଇ ଜଣ ସମାନ ପଏଣ୍ଟରେ ରହିଥିବାରୁ ବିଜେତା ବାଛିବା ଲାଗି ଆନନ୍ଦ ଓ ନାକାମୁରାଙ୍କ ମଧ୍ୟରେ ପୁନର୍ବାର ଲଢ଼େଇ ହୋଇଥିଲା। ଏହି ତିନି ମିନିଟ୍ ବିଶିଷ୍ଟ ଦୁଇ ପର୍ଯ୍ୟାୟ ପ୍ଲେ ଅଫ୍‌ରେ ଆନନ୍ଦ ବାଜି ମାରି ନେଇଥିଲେ। ବୁଧବାର ସୁଦ୍ଧା ଏକକ ଆଗୁଆ ଥିବା ନାକାମୁରାଙ୍କୁ ୧.୫-୦.୫ ପଏଣ୍ଟରେ ସ୍ତବ୍ଧ କରି ବିଜେତା ହେବାର ଗୌରବ ଲାଭ କରିଥିଲେ ଆନନ୍ଦ। ଧଳା ଗୋଟିରେ ଖେଳି ବିଜୟ ମୁକୁଟ ପିନ୍ଧିବା ସହ ୪୮ ବର୍ଷୀୟ ଆନନ୍ଦ ମଧ୍ୟ ପୁଣି ଥରେ ସଫଳତା ଧାରାକୁ ଫେରିଥି‌ଲେ। ୨୦୧୩ରେ ବିଶ୍ବ ବିଜେତା ମୁକୁଟ ହାତଛଡ଼ା କରିବା ପରେ ଘରୋଇ ପରିବେଶରେ ଏହା ମଧ୍ୟ ଆନନ୍ଦଙ୍କର ପ୍ରଥମ ବଡ଼ ଟ୍ରଫି ଥିଲା। ବାହାରେ ମୁଁ ଯାହା କରି ଆସୁଛି, ଘରେ ମଧ୍ୟ ତାହା କରିପାରିବି ବୋଲି ଆତ୍ମବିଶ୍ବାସ ଥିଲା। ଘରୋଇ ଦର୍ଶକଙ୍କ ଆଶାକୁ ପୂରଣ କରି ପାରିଥିବାରୁ ବହୁତ ଖୁସି ଲାଗୁଛି ବୋଲି ପୁରସ୍କାର ଗ୍ରହଣ କରିବା ଅବସରରେ ଆନନ୍ଦ କହିଥିଲେ। ସୂଚନାଯୋଗ୍ୟ ଯେ ଦୀର୍ଘ ୩୨ ବର୍ଷ ତଳେ ଅର୍ଥାତ୍ ୧୯୮୬ରେ ଆନନ୍ଦ କୋଲକାତାରେ ହିଁ ନିଜ ଖେଳ ଜୀବନର ପ୍ରଥମ ଗ୍ରାଣ୍ଡ୍‌ମାଷ୍ଟର ପ୍ରତିଯୋଗିତା ଖେଳିଥିଲେ। ପ୍ରତିଯୋଗିତା ଅବସରରେ ଆନନ୍ଦଙ୍କ ପର୍ଫମାନ୍ସ ରେଟିଂ ୩,୦୦୦ ଛୁଇଁବା ତାଙ୍କ ପ୍ରଶଂସକଙ୍କୁ ସବୁଠାରୁ ଅଧିକ ଉତ୍ସା‌ହିତ କରିଥିଲା।

ସମ୍ବନ୍ଧିତ ଖବର