ଏସିଆ କପ: ଲିଟନ ଦାସଙ୍କ ଶତକ, ଭାରତକୁ ୨୨୩ ରନ୍‌ ବିଜୟ ଲକ୍ଷ୍ୟ ଦେଲା ବାଂଲାଦେଶ

କୁଲଦୀପ ଯାଦବଙ୍କୁ ୩ ଓ୍ଵିକେଟ୍‌, ୩୧ ରନ୍‌ ମଧ୍ୟରେ ବାଂଲାଦେଶ ହରାଇଲା ୫ ଓ୍ଵିକେଟ୍‌

ଦୁବାଇ: ଓପନ୍‌ର ଲିଟନ ଦାସଙ୍କ ବିସ୍ଫୋରକ ଶତକ (୧୨୧ ରନ୍‌, ୧୧୭ ବଲ, ୧୨ ଚୌକା, ୨ ଛକା) ବଳରେ ବାଂଲାଦେଶ ୨୨୩ ରନ୍‌ ଭାରତକୁ ଟାର୍ଗେଟ ଦେଇଛି। ଏସିଆ କପ୍‌ରେ ଶୁକ୍ରବାର ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମରେ ଟସ୍‌ ଜିଣି ଭାରତ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେବା ପରେ ବାଂଲାଦେଶ ଆରମ୍ଭରୁ ଭଲ ବ୍ୟାଟିଂ କରିଥିଲା। ପ୍ରଥମ ଓ୍ଵିକେଟରେ ୧୨୦ ରନ୍‌ ଭାଗିଦାରୀ ହୋଇଥିଲା କିନ୍ତୁ ପରବର୍ତ୍ତୀ ସମୟରେ ୩୧ ରନ୍‌ ମଧ୍ୟରେ ୫ଟି ଓ୍ଵିକେଟ୍‌ ହରାଇଥିଲା। ବାଂଲାଦେଶ ୪୮.୩ ଓଭରରେ ସମସ୍ତ ଓ୍ଵିକେଟ୍‌ ହରାଇ ୨୨୨ ରନ୍‌ ସଂଗ୍ରହ କରିଛି।

ବାଂଲାଦେଶର ଓପନର ଲିଟନ ଦାସ ଓ ମେହେନ୍ଦୀ ହାସନ ୨୦ ଓଭର ପର୍ଯ୍ୟନ୍ତ ଭଲ ବ୍ୟାଟିଂ କରିଥିଲେ। ସେମାନେ ପ୍ରଥମ ଓ୍ଵିକେଟରେ ୧୨୦ ରନ୍‌ ଯୋଡ଼ିଥିଲେ। ଭାରତର ପ୍ରଥମ ଶିକାର ହୋଇଥିଲେ ମେହେନ୍ଦି ହାସନ(୩୨)। ସେ ୫୯ଟି ବଲରୁ ୩ଟି ଚୌକା ମାରିବା ପରେ କେଦାର ଯାଧବଙ୍କ ବଲ ଅବନ୍ତି ରାୟଡୁଙ୍କୁ କ୍ୟାଚ ଦେଇଥିଲେ। ସ୍କୋର ୧୨୮ ରନ୍‌ରେ ବାଲାଂଦେଶ ଇମ୍‌ରୁଲ କାଏସ(୨) ଯୁଜବେନ୍ଦ୍ର ଚହଲଙ୍କ ଦ୍ୱାରା ଏଲବିଡବ୍ଲୁ ଆଉଟ୍‌ ହୋଇଥିଲେ।

ବାଂଲାଦେଶ ୧୩୭ ରନ୍‌ରେ ମୁଶଫିକର ରହିମ(୫)କୁ ହରାଇଥିଲା। କେଦାର ଯାଧବଙ୍କ ବଲ ଯଶପ୍ରୀତ ବୁମରାଙ୍କୁ କ୍ୟାଚ ଦେଇଥିଲେ ରହିମ। ମହମ୍ମଦ ମିଥୁନ(୨) ଚହଲ ଓ ରବୀନ୍ଦ୍ର ଜାଦେଜାଙ୍କ ଦ୍ୱାରା ରନ ଆଉଟ୍‌ ହୋଇଥିଲେ। ସେହିଭଳି ଭାରତର ୫ମ ଶିକାର ହୋଇଥିଲେ ମହମଦଦୁଲ୍ଲା(୪)। ସ୍କୋର ୧୫୧ ରନରେ ବାଂଲାଦେଶ ମହମଦଦୁଲ୍ଲାଙ୍କୁ ହରାଇଥିଲା।

ସ୍କୋର ୧୮୮ ରନ୍‌ରେ ଲିଟନ ଦାସ କୁଲଦୀପ ଯାଦବଙ୍କ ବଲ ମହେନ୍ଦ୍ର ସିଂହ ଧୋନିଙ୍କୁ କ୍ୟାଚ ଦେଇଥିଲେ। ମୁଶାରଫ ମୋର୍ତ୍ତାଜା ୭ ରନ ଯୋଡ଼ି କୁଲଦୀପ ଯାଦବଙ୍କ ବଲ ଧୋନିଙ୍କୁ କ୍ୟାଚ ଦେଇଥିଲେ। ନାଜମୁଲ ଇସଲାମ(୭) ମନୀଷ ପାଣ୍ଡେଙ୍କ ଦ୍ୱାରା ରନ୍‌ ଆଉଟ୍‌ ହୋଇ ପାଭଲିଅନ ଫେରିଥିଲେ। ସେହିଭଳି ସ୍କୋର ୨୨୨ ରନ୍‌ରେ ଧୋନି ଓ ଅବନ୍ତି ରାୟଡୁଙ୍କ ଦ୍ୱାରା ସୌମ୍ୟ ସରକାର(୩୩) ଆଉଟ୍‌ ହୋଇଥିଲେ।

ସମ୍ବନ୍ଧିତ ଖବର