ଏସୀୟ ମୁଷ୍ଟିଯୁଦ୍ଧ: ରୌପ୍ୟ ଜିତି କୀର୍ତ୍ତିମାନ କଲେ ଶିବ

ଅମାନ (ଜୋର୍ଡାନ): ଏସୀୟ ମୁଷ୍ଟି‌ଯୁଦ୍ଧ ପ୍ରତିଯୋଗିତ‌ାରେ ଶନିବାର ଶିବ ଥାପ୍ପା ରୌପ୍ୟ ପଦକରେ ସନ୍ତୁଷ୍ଟ ରହିଛନ୍ତି। ପ୍ରତିଯୋଗିତାର ସବୁଠୁ ସଫଳ ଭାରତୀୟ ପୁରୁଷ ଯୋଦ୍ଧା ଶିବ ୬୩.୫ କେଜି ବର୍ଗ ଫାଇନାଲ୍‌ ଲଢ଼େଇର ଦ୍ବିତୀୟ ରାଉଣ୍ଡ୍‌ ବେଳେ ଆହତ ଯୋଗୁ ଓହରିଯିବାକୁ ବାଧ୍ୟ ହେବାରୁ ତାଙ୍କ ଉଜ୍‌ବେକିସ୍ତାନ ପ୍ରତିଦ୍ବନ୍ଦ୍ବୀ ଅବ୍‌ଦୁଲାଇଭ୍‌ ରୁସ୍‌ଲାନ ସ୍ବର୍ଣ୍ଣ ପଦକ ବିଜେତା ହୋଇଥିଲେ।

ଶିବ ପ୍ରଥମ ରାଉଣ୍ଡ ଲଢ଼େଇରେ ୦-୫ରେ ପଛୁଆ ଥିଲାବେଳେ ଦ୍ବିତୀୟ ରାଉଣ୍ଡ ଲଢ଼େଇକୁ ରେଫରି ବନ୍ଦ କରିଥିଲେ। ତଥାପି ଏସୀୟ ପ୍ରତିଯୋଗିତାରେ ଶିବ ଏହାକୁ ମିଶାଇ ମୋଟ ୬ ପଦକ କରାୟତ କରିଛନ୍ତି। ୨୦୧୩ରେ ସ୍ବର୍ଣ୍ଣ, ୨୦୧୭, ୨୦୨୧ ଓ ୨୦୨୨ରେ ରୌପ୍ୟ ଏବଂ ୨୦୧୫ ଓ ୨୦୧୯ରେ କାଂସ୍ୟ ସାମିଲ ରହିଛି। ଏକ୍ଷେତ୍ରରେ ସେ ଅଲିମ୍ପିକ୍‌ ରୌପ୍ୟ ବିଜେତା ତଥା ଦୁଇ ଥର ବିଶ୍ବ କାଂସ୍ୟ ବିଜେତା କାଜାଖସ୍ତାନର ଭାସିଲି ଲେଭିଟ୍‌ଙ୍କୁ ଟପି ଯାଇଥିଲେ। ଭାସିଲି ଏକମାତ୍ର ଅନ୍ୟତମ ପୁରୁଷ ଯୋଦ୍ଧା ଭାବେ ୫ ପଦକ ନିଜ ନାମରେ ରଖିଛନ୍ତି। ଅନ୍ୟପକ୍ଷରେ ୬ ଥର ବିଶ୍ବ ବିଜୟିନୀ ଏମ୍‌ସି ମେରିକମ୍‌ (୭) ଓ ଏଲ୍‌ ସରିତା ଦେବୀ (୮) ଶିବଙ୍କଠାରୁ ଅଧିକ ଏସୀୟ ପଦକ ଜିତିବାର ଗୌରବ ରଖିଛନ୍ତି।

ସମ୍ବନ୍ଧିତ ଖବର