ବାଜି ରାଉତ କପ୍‌ ଫୁଟ୍‌ବଲ୍‌: ରାଜସ୍ଥାନ ବିଜେତା

ତାଳଚେର: ମଙ୍ଗଳବାର ସଂଘର୍ଷପୂର୍ଣ୍ଣ ଫାଇନାଲ୍‌ରେ ଗୋଆର ଚର୍ଚ୍ଚିଲ ବ୍ରଦର୍ସକୁ ପେନାଲ୍‌ଟି ସୁଟ୍‌ଆଉଟ୍‌ (୨-୨)ରେ ପରାସ୍ତ କରି ରାଜସ୍ଥାନର ୟୁନାଇଟେଡ୍‌ ଏଫ୍‌ସି ‘ଆମେ ଓଡ଼ିଆ ଫାଉଣ୍ଡେସନ୍‌ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ବାଜି ରାଉତ କପ୍‌ ଫୁଟ୍‌ବଲ୍‌ ପ୍ରତିଯୋଗିତାର ବିଜେତା ହୋଇଛି। ସାଉଥବଲଣ୍ଡା ସ୍ଥିତ ବ୍ଲାକ୍ ଡାଇମଣ୍ଡ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଏହି ମ୍ୟାଚ୍‌ ନିର୍ଦ୍ଧାରିତ ସମୟରେ ୨-୨ ଗୋଲ୍‌ରେ ବରାବର ‌ସ୍ଥିତିରେ ରହିଥିଲା। ନିର୍ଦ୍ଧାରିତ ସମୟରେ ରାଜସ୍ଥାନ ଦଳ ୨-୦ରେ ଆଗୁଆ ରହିବା ସତ୍ତ୍ବେ ଗୋଆ ଦଳ ଲାଗ ଲାଗ ଦୁଇଟି ଗୋଲ୍‌ ଶୁଝି ମ୍ୟାଚ୍‌ ଅମୀମାଂସିତ ରଖିଥିଲା। ଶେଷରେ ପେନାଲ୍‌ଟି ସୁଟ୍‌ଆଉଟ୍‌ରେ ରାଜସ୍ଥାନ ବାଜି ମାରିଥିଲା।

ଉଦ୍‌ଯାପନୀ ଉତ୍ସବରେ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ ବିଜେତା ରାଜସ୍ଥାନ ୟୁନାଇଟେଡକୁ ୧୫ ଲକ୍ଷ ଟଙ୍କାର ଚେକ୍ ସହ ଟ୍ରଫି ପ୍ରଦାନ କରିଥିଲେ। ଉପବିଜେତା ଗୋଆର ଚର୍ଚ୍ଚିଲ ବ୍ରଦର୍ସ ଏଫସିକୁ ପୁରସ୍କାର ରାଶି ସ୍ୱରୂପ ୧୦ ଲକ୍ଷ ଟଙ୍କାର ଚେକ୍ ସହ ଟ୍ରଫି ପ୍ରଦାନ କରାଯାଇଥିଲା। ଫାଇନାଲ ଶ୍ରେଷ୍ଠ‌ ଖେଳାଳି ଭାବେ ବିଜେତା ଦଳର ରଫିକଙ୍କୁ ୨୦ ହଜାର ଟଙ୍କାର ଚେକ୍ ସହ ଟ୍ରଫି ଦିଆଯାଇଥିଲା। ରାଜସ୍ଥାନର ଅଧିନାୟକ ମାର୍ଟିନ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ଭାବେ ଏକ ଲକ୍ଷ ଟଙ୍କାର ଚେକ୍‌ ସହ ଟ୍ରଫି ପାଇଥିଲେ।

ସମ୍ବନ୍ଧିତ ଖବର