ବିଜୟଧାରା ସତ୍ତ୍ବେ ବ୍ୟାଟିଂ ଚିନ୍ତା

ବର୍ମିଙ୍ଗ୍‌ହାମ୍‌: ଚଳିତ ବିଶ୍ବକପ୍‌ରେ ଭାରତ ଏପର୍ଯ୍ୟନ୍ତ ୬ ମ୍ୟାଚ୍‌ ଖେଳି ଅପରାଜେୟ ରହିଛି। ୫ ମ୍ୟାଚ୍‌ ଜିତିଥିଲା ବେଳେ ନ୍ୟୁଜିଲାଣ୍ଡ୍‌ ବିପକ୍ଷ ମ୍ୟାଚ୍‌ ବର୍ଷା ଧୋଇ ନେଇଥିଲା। ରାଉଣ୍ଡ୍‌ ରବିନ୍‌ ପର୍ଯ୍ୟାୟରେ ଆଉ ୩ ମ୍ୟାଚ୍‌ ବାକି ରହିଛି। ଏହି ୩ ମ୍ୟାଚ୍‌ ଇଂଲଣ୍ଡ, ବାଂଲାଦେଶ ଓ ଶ୍ରୀଲଙ୍କା ସହ ଖେଳିବ। ଆଉ ଗୋଟିଏ ମ୍ୟାଚ୍‌ ଜିତିଲେ ସେମିଫାଇନାଲ୍‌ ସ୍ଥାନ ପ୍ରାୟତଃ ପକ୍କା ହୋଇଯିବ। ହେଲେ ଭାରତୀୟ ଦଳ ବିଜୟଧାରାରେ ଥିବା ସତ୍ତ୍ବେ ବ୍ୟାଟିଂ ଏହାର ସବୁଠୁ ବଡ଼ ଚିନ୍ତାର କାରଣ ହୋଇଛି। ଦୁର୍ବଳ ଆଫ୍‌ଗାନିସ୍ତାନ ପରେ ଗୁରୁବାର ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ବ୍ୟାଟିଂକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଆଫ୍‌ଗାନିସ୍ତାନ ଭଳି ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ମଧ୍ୟ ବ୍ୟାଟ୍‌ସମ୍ୟାନ୍‌ମାନେ ଆଶାର ବିପରୀତ ପ୍ରଦର୍ଶନ କରିଥିଲେ। କେବଳ ଅଧିନାୟକ ବିରାଟ କୋହଲି ଓ ଅଭିଜ୍ଞ ମହେନ୍ଦ୍ର ସିଂହ ଧୋନି ହିଁ ଦଳକୁ ରକ୍ଷା କରିଥିଲେ। ତେବେ ଉଭୟ ଆଫ୍‌ଗାନିସ୍ତାନ ଓ ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ଭାରତକୁ କେବଳ ବୋଲରମାନେ ବିଜୟ ଦେଇଛନ୍ତି। ତେଣୁ ଅବଶିଷ୍ଟ ମ୍ୟାଚ୍‌ଗୁଡ଼ିକ ପୂର୍ବରୁ ଭାରତ ପାଇଁ ଏବେ ବ୍ୟାଟିଂ ହିଁ ମୁଖ୍ୟ ଚିନ୍ତା ପାଲଟିଛି। ଶିଖର ଧାୱନ୍‌ଙ୍କ ଆହତ ଭାରତ ପାଇଁ ବଡ଼ ଝଟ୍‌କା ଥିଲା ବେଳେ ଲୋକେଶ ରାହୁଲ୍‌ ତାଙ୍କ ବଦଳରେ ସ୍ଥିର ପ୍ରଦର୍ଶନ ଦେବାର ପ୍ରୟାସ କରୁଛନ୍ତି। ସେ ଏପର୍ଯ୍ୟନ୍ତ ଖେଳିଥିବା ୩ ମ୍ୟାଚ୍‌ରେ ଯଥାକ୍ରମେ ୫୭, ୩୦ ଓ ୪୮ ରନ୍‌ କରିଛନ୍ତି। ହେଲେ ଆଫ୍‌ଗାନିସ୍ତାନ ବିପକ୍ଷ ମ୍ୟାଚ୍‌ରେ ରିଭର୍ସ ସୁଇପ୍‌ ଖେଳିବାକୁ ଯାଇ ନିଜ ୱିକେଟ୍‌ ଫିଙ୍ଗି ଦେଇଥିବାରୁ ଅଧିନାୟକ କୋଲିଙ୍କ ବିରକ୍ତି ପ୍ରକାଶ କରିଥିଲେ। ଏହା ପରେ ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ କିଛିଟା ସକର୍ତ ହୋଇଥିଲେ। କିନ୍ତୁ ବଡ଼ ସ୍କୋର୍‌ କରିବା ପୂର୍ବରୁ ହୋଲ୍‌ଡରଙ୍କ ବଲ୍‌ରେ ବୋଲ୍‌ଡ ହୋଇଯାଇଥିଲେ। ଅନ୍ୟପକ୍ଷରେ ରୋହିତ ଶର୍ମା ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ବିବାଦୀୟ ନିଷ୍ପତ୍ତିର ଶିକାର ହୋଇଥିଲେ। ମଧ୍ୟକ୍ରମରେ କିନ୍ତୁ ବିଜୟ ଶଙ୍କର ଓ କେଦାର ଯାଦବ ଦଳକୁ ନିରାଶ କରିଛନ୍ତି। ଧୋନି ମଧ୍ୟ ମନ୍ଥର ବ୍ୟାଟିଂ ପାଇଁ ସମାଲୋଚିତ ହୋଇଛନ୍ତି। ଫଳରେ ମଧ୍ୟକ୍ରମ ବିଫଳତା ପାଇଁ କୋହଲିଙ୍କ ଉପରେ ଅଧିକ ଚାପ ରହୁଛି। ଏପରିକି ତାଙ୍କୁ ହିଁ ଶେଷ ପର୍ଯ୍ୟନ୍ତ ଖେଳିବା ଚିନ୍ତା ରହୁଛି। ଅବଶ୍ୟ ସେ ଗତ ୪ ମ୍ୟାଚ୍‌ରେ କ୍ରମାଗତ ଅର୍ଧଶତକ ଜମାଇ ସାରିଲେଣି। କିନ୍ତୁ ଯଦି କୌଣସି ମ୍ୟାଚ୍‌ରେ ଭାରତ ଉଭୟ ରୋହିତ ଓ କୋହଲିଙ୍କୁ ସଅଳ ହରାଏ ତେବେ ଦଳର ଅବସ୍ଥା କ’ଣ ହେବ ତାହା ଚିନ୍ତା କରିବାର ବେଳ ଆସିଛି। ହେଲେ ଆଗକୁ ବ୍ୟାଟିଂ ଚିନ୍ତା ଘାରୁଥିଲା ବେଳେ ବିଜୟ ଶଙ୍କରଙ୍କୁ ବାଦ୍‌ ଦେଇ ତାଙ୍କ ସ୍ଥାନରେ ଦୀନେଶ କାର୍ତିକ ହେଉ ବା ଋଷଭ ପନ୍ତ୍‌ଙ୍କୁ ଖେଳାଇବାର ଯୋଜନା କରାଯାଉଛି। ଏପରିକି ଶେଷ ଭାଗରେ ଅସ୍ଥିର ପ୍ରଦର୍ଶନ ଦେଉଥିବା ଧୋନିଙ୍କୁ ୪ ନମ୍ବରରେ ବ୍ୟାଟିଂ ସୁଯୋଗ ଦେବାକୁ ଚିନ୍ତା କରାଯାଉଛି। ଏହିକ୍ରମରେ ସେ ବ୍ୟାଟିଂ କଲେ ନିଜକୁ କ୍ରିଜ୍‌ରେ ଜମିବା ପାଇଁ ସମୟ ପାଇବେ। ଏହାପରେ କାର୍ତିକ/ପନ୍ତ୍‌, କେଦାର ଓ ହାର୍ଦିକ୍‌ ପାଣ୍ଡ୍ୟା ଦ୍ରୁତ ରନ୍‌ କରି ଦଳକୁ ବଡ଼ ସ୍କୋର୍‌ ଦେଇପାରିବେ। ଭାରତ ରବିବାର ଆୟୋଜକ ଇଂଲଣ୍ଡକୁ ଭେଟିବ। ସେମିଫାଇନାଲ୍‌ ଯିବା ପାଇଁ ଇଂଲଣ୍ଡ ନିଶ୍ଚିତ ବିଜୟ ଆବଶ୍ୟକ କରୁଥିବାରୁ ଭାରତ ପାଇଁ ଏହି ମ୍ୟାଚ୍‌ କଡ଼ା ପରୀକ୍ଷା ହେବ। କୌଣସି ବିଭଗ (ବ୍ୟାଟିଂ, ବୋଲିଂ ଓ କ୍ଷେତ୍ରରକ୍ଷଣ)ରେ ଟିକେ ବି ହୁଗୁଳା ହେଲେ ଇଂଲଣ୍ଡ ଫାଇଦା ଉଠାଇବାର ସମ୍ଭାବନାକୁ ଏଡାଇ ଦେଇହେବନାହିଁ।

ସମ୍ବନ୍ଧିତ ଖବର