ଭୁବନେଶ୍ୱର ଭରପୁର ସମର୍ଥନ ଦେବ ବୋଲି ଆଶା: ବିକେ

ସଂପ୍ରତି ଆମର ଏକମାତ୍ର ଲକ୍ଷ୍ୟ ହେଉଛି ରବିବାର ମ୍ୟାଚ୍‌କୁ ଜିତି ପ୍ଲେ ଅଫ୍‌ ଯିବା । ଏଥିଲାଗି ଦର୍ଶକ ସମର୍ଥନ ନିହାତି ଜରୁରି। ଭୁବନେଶ୍ୱର ଦର୍ଶକ ଆମକୁ ଭରପୁର ସମର୍ଥନ ଦେବେ ବୋଲି ମୋର ଆଶା। ମଙ୍ଗଳବାର ଅଭ୍ୟାସ ପରେ ଜାମସେଦପୁରର ବିଦେଶୀ ରକ୍ଷଣଭାଗ ଖେଳାଳି ଆନ୍ଦ୍ରେ ବିକେ ଏହା କହିଥିଲେ। କଳିଙ୍ଗ ଷ୍ଟାଡିୟମ ପଡ଼ିଆକୁ ପ୍ରଶଂସା କରିବା ସହ ଏଠାରେ ଏକ ଭଲ ମ୍ୟାଚ୍‌ ଦେଖିବାକୁ ମିଳିବ ବୋଲି ସେ ଆଶା ପ୍ରକାଶ କରିଥିଲେ। ତେବେ ବେଙ୍ଗାଲୁରୁ ବିପକ୍ଷ ମ୍ୟାଚ୍‌ ସେତେଟା ସହଜ ହେବ ନାହିଁ ବୋଲି ସ୍ୱୀକାର କରିଥିଲେ। ଫୁଟ୍‌ବଲ୍‌ରେ ଆତ୍ମବିଶ୍ୱାସର ଢେର ମହତ୍ୱ ରହିଛି। ବେଙ୍ଗାଲୁରୁକୁ ଆମେ ଆଉ ଥରେ ହରାଇ ପାରିବୁ ବୋଲି ଭାବୁଛି। ଆମ ରକ୍ଷଣ ଭାଗ ବେଶ୍‌ ସୁଦୃଢ଼। ଆମକୁ ଅନେକ ସୁଯୋଗ ବି ମିଳୁଛି। ହେଲେ ଏହାକୁ ଗୋଲ୍‌ରେ ରୂପାନ୍ତର କରିବାକୁ ପଡ଼ିବ। ଆମେ ଯେତେ ଗୋଲ୍‌ ଦେବୁ ମ୍ୟାଚ୍‌ ଜିତିବାର ସମ୍ଭାବନା ସେତେ ବଢ଼ିବ ବୋଲି ବିକେ କହିଥିଲେ। ଏହି ଅବସରରେ ସେ ପ୍ରଶିକ୍ଷକ ଷ୍ଟିଭ୍‌ ପୋଲେଲଙ୍କୁ ପ୍ରଶଂସା କରିଥିଲେ। ତାଙ୍କ ନିଆର ଶୈଳୀ ପାଇଁ ଦଳ ଭଲ କରି ପାରୁଛି ବୋଲି ସେ ମତ ରଖିଥିଲେ। ୩୩ ବର୍ଷୀୟ ବିକେ କ୍ୟାମେରୁନ୍‌ର ଜନ୍ମ ଗ୍ରହଣ କରିଥିଲା ବେଳେ ସ୍ପେନ୍‌ ଏବଂ ପର୍ତୁଗାଲରେ କ୍ଲବ୍‌ ଫୁଟବଲ୍‌ ଖେଳିଛନ୍ତି। ସେ କ୍ୟାମେରୁନ୍‌ ୨୩ ବର୍ଷରୁ କମ୍‌ ଦଳ ସହ ସେଠାକାର ଜାତୀୟ ଦଳରୁ ଅନ୍ତର୍ଜାତୀୟ ଫୁଟବଲ୍‌ ଖେଳିଛନ୍ତି।

ସମ୍ବନ୍ଧିତ ଖବର