ପଦାର୍ପଣ ଉତ୍ସାହରେ ବୁମ୍‌ରା

କେପ୍‌ ଟାଉନ୍‌: ଶୁକ୍ରବାରଠାରୁ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ୍‍ ଶୃଙ୍ଖଳା ଆରମ୍ଭ ହେଉଥିବାବେଳେ ୫ ଜଣିଆ ଭାରତୀୟ ପେସ୍‌ ବୋଲିଂ ଆକ୍ରମଣରେ ନୂଆ ତାରକା ରହିଛନ୍ତି ସୀମିତ ଓଭରରେ ଅନେକ ଯଶ ଅର୍ଜନ କରି ସାରିଥିବା ଯଶପ୍ରୀତ୍‌ ବୁମରା। ପଦାର୍ପଣ ଅପେକ୍ଷାରେ ରହିଛନ୍ତି ଏହି ନିଆରା ଶୈଳୀର ତାରକା। ବିରାଟ କୋହଲି ବାହିନୀ ଦକ୍ଷିଣ ଆଫ୍ରିକାରେ ପ୍ରଥମ ଟେଷ୍ଟ୍‍ ଶୃଙ୍ଖଳା ବିଜୟ ପଶ୍ଚାତଧାବନ କରୁଥିବାବେଳେ ବୁମରାଙ୍କ ଆଗମନ ହେବ ନିର୍ଣ୍ଣାୟକ। ବୁମରାଙ୍କ ସହିତ ଦ୍ରୁତ ବୋଲିଂ ବିଭାଗରେ ରହିଛନ୍ତି ଭୁବନେଶ୍ୱର କୁମାର, ଈଶାନ୍ତ ଶର୍ମା, ମହମ୍ମଦ ସାମି ଏବଂ ଉମେଶ ଯାଦବ। ବାଉନ୍‌ସୀ ଓ୍ଵିକେଟ୍‌ରେ ବୋଲିଂ କରିବା ଏବେ ତାଙ୍କ ପାଇଁ ବଡ଼ ଆହ୍ଵାନ।

ଲାଲ୍‌ ବଲ୍‌ରୁ ଧଳା ବଲ୍‌କୁ ଆସିବା ପରେ ତାଙ୍କ ପ୍ରଦର୍ଶନ କିଭଳି ରହୁଛି ଏବେ ସେ ନେଇ ଢେର ଚର୍ଚା। ପ୍ରଥମ ଅଭ୍ୟାସ ଅଧିବେସନ ପରେ ବୁମରା କହିଛନ୍ତି ଏହା ଫଳପ୍ରସୂ ଥିଲା। ପ୍ରଥମ ଦକ୍ଷିଣ ଆଫ୍ରିକା ଗସ୍ତ ଏବଂ ଟେଷ୍ଟ୍‍ ଦଳ ସହ ପ୍ରଥମ ଅନୁଭବ ଭଲ ରହିବ ଆଶା। ଦିନିକିଆ ଦଳ ସହ ଅନେକ ଦିନରୁ ରହିଛି। ଟେଷ୍ଟ୍‍ ଦଳରେ ସୁଯୋଗ ପାଇବା ଭଲ ଅନୁଭବ ଦେଇଛି। ବରିଷ୍ଠ ବୋଲରଙ୍କ ସହ ବୋଲିଂ କରିବା ସହିତ ସେମାନଙ୍କଠାରୁ ମୋତେ ଅନେକ କିଛି ଶିଖିବାକୁ ମିଳିବ। ସୂଚନାଯୋଗ୍ୟ, ଜାନୁଆରି ୫ ତାରିଖରୁ କେପ୍‌ ଟାଉନ୍‌ର ନ୍ୟୁଲାଣ୍ଡ୍‌ସରୁ ପ୍ରଥମ ଟେଷ୍ଟ୍‍ ଆରମ୍ଭ ହେଉଛି।

ସମ୍ବନ୍ଧିତ ଖବର