କେପ୍‌ଟାଉନ୍‌ ଟେଷ୍ଟ୍‌ ଆଜିଠୁ: କୋହଲି ଫେରିବେ, ସିରାଜଙ୍କ ସ୍ଥାନରେ ଈଶାନ୍ତ!

ନ୍ୟୁଲାଣ୍ଡ୍‌ସରେ ନୂଆ ଆହ୍ବାନ

କେପ୍‌ଟାଉନ୍: ଭାରତର ଅନ୍ତିମ ଦୁର୍ଗ ଦଖଲ ଅଭିଯାନରେ କେପ୍‌ଟାଉନ୍‌ର ନ୍ୟୁଲାଣ୍ଡ୍ସ ଷ୍ଟାଡିୟମ୍ ବଡ଼ ବାଧା ଭାବେ ଉଭା ହୋଇଛି। ଏଠାରେ କିନ୍ତୁ ଭାରତ ପାଖରେ ଇତିହାସ ରଚିବାର ସୁଯୋଗ ରହିଛି। ଦକ୍ଷିଣ ଆଫ୍ରିକାର ଏହି ଷ୍ଟାଡିୟମ୍‌ରେ ଭାରତ ପୂର୍ବରୁ କେବେବି କୌଣସି ଟେଷ୍ଟ୍ ଜିତି ନଥିଲା ବେଳେ ମଙ୍ଗଳବାରଠାରୁ ଆରମ୍ଭ ହେଉଥିବା ଶୃଙ୍ଖଳା ନିର୍ଣ୍ଣାୟକ ତୃତୀୟ ଟେଷ୍ଟ୍‌ ଜିତିଲେ ଭାରତ ତା’ର ୯୦ ବର୍ଷର ଟେଷ୍ଟ୍ ଇତିହାସରେ ସଫଳତାର ନୂଆ ଫର୍ଦ୍ଦ ଯୋଡ଼ିପାରିବ। ଏଥିଲାଗି କିନ୍ତୁ କୋହଲି ବାହିନୀକୁ କେପ୍‌ଟାଉନ୍‌ରେ ତୁଳନାତ୍ମକ ଭାବେ ଉଚ୍ଚମାନର କ୍ରିକେଟ୍ ଖେଳିବାକୁ ପଡ଼ିବ। ଦ୍ବିତୀୟ ଟେଷ୍ଟ୍‌ରେ ଅନୁପସ୍ଥିତ ରହିଥିବା ଅଧିନାୟକ ବିରାଟ କୋହଲି ଦଳକୁ ଫେରିବା ଦଳର ଆତ୍ମବିଶ୍ବାସ ବଢ଼ାଇଛି। ତେବେ ଯୁବ ବୋଲର ମହମ୍ମଦ ସିରାଜ ଆହତ ହୋଇ ଏହି ମହତ୍ବପୂର୍ଣ୍ଣ ମ୍ୟାଚ୍‌ରୁ ବାଦ୍‌ ପଡ଼ିବା ଦଳ ପାଇଁ ଏକ ଶକ୍ତ ଧକ୍କା ହୋଇଛି। ଏହି କ୍ଷତିକୁ ଭରଣା କରିବା ଲାଗି ଭାରତ ପାଖରେ ଈଶାନ୍ତ ଶର୍ମା ଓ ଉମେଶ ଯାଦବଙ୍କ ରୂପରେ ଦୁଇଟି ଭଲ ବିକଳ୍ପ ଅଛନ୍ତି। ଅଭିଜ୍ଞତା ଦୃଷ୍ଟିରୁ ଈଶାନ୍ତ ଚୂଡ଼ାନ୍ତ ଦଳରେ ସ୍ଥାନ ପାଇବାର ଯଥେଷ୍ଟ ସମ୍ଭାବନା ରହିଛି। ପୂରା ଫିଟ୍ ଥିବା କୋହଲି ନିଜେ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି। ସେହିଭଳି ସିରାଜ ଖେଳିବେ ନାହିଁ ବୋଲି ଏହି ଅବସରରେ ସ୍ପଷ୍ଟ କରି ଦେଇଛନ୍ତି।

ଐତିହାସିକ ଅନ୍ବେଷଣ
ଦକ୍ଷିଣ ଆଫ୍ରିକାରେ ଐତିହାସିକ ଶୃଙ୍ଖଳା ବିଜୟ ଅନ୍ବେଷଣରେ ଥିବା ଭାରତ ପାଇଁ କେପ୍‌ଟାଉନ୍ ଶେଷ ବାଧା ଭାବେ ଉଭା ହୋଇଛି। ଏଠାରେ ୫ ଟେଷ୍ଟ୍ ଖେଳି ଭାରତ ୩ ପରାଜୟ ଏବଂ ୨ ଡ୍ର’ ପାଇଛି। ଚଳିତ ତିନି ଟିକିଆ ଶୃଙ୍ଖଳାର ବି ଭାରତକୁ ମିଶ୍ର ଫଳ ମିଳିଛି। ପ୍ରଥମ ଟେଷ୍ଟ ଜିତିଥିଲା ବେଳେ ଦ୍ବିତୀୟରେ ପରାଜିତ ହୋଇଛି। ସେଞ୍ଚୁରିଅନ୍ ଟେଷ୍ଟ୍ ଜିତି ଇତିହାସ ରଚିବା ପରେ ଜୋହାନ୍ସବର୍ଗରେ ଦ୍ବିତୀୟ ଟେଷ୍ଟ୍ ହାରି ଦକ୍ଷିଣ ଆଫ୍ରିକାକୁ ଶୃଙ୍ଖଳାକୁ ଫେରିବାର ସୁଯୋଗ ଦେଇଥିଲା ଭାରତ। ଏହି କାରଣରୁ କେପ୍‌ଟାଉନ୍ ଟେଷ୍ଟ୍ ଶୃଙ୍ଖଳା ନିର୍ଣ୍ଣାୟକର ମାନ୍ୟତା ଲାଭ କଲା। ଚିନ୍ତାର କଥା ହେଲା କେପ୍‌ଟାଉନ୍‌ରେ ଭାରତ ଆଦୌ ବିଜୟର ମଧୁର ସ୍ବାଦ ପାଇନି। ସେଥିପାଇଁ ଏହି ଟେଷ୍ଟ୍ ଜିତିଲେ ଭାରତୀୟ କ୍ରିକେଟ୍ ଦଳ ଏକାଥରକେ ଦୁଇଟି ନୂଆ କୀର୍ତ୍ତିମାନ କରିପାରିବ। କେପ୍‌ଟାଉନ୍‌କୁ ଅଧିକାର କରିବା ସହ ପ୍ରଥମ ଥର ପାଇଁ ଦକ୍ଷିଣ ଆଫ୍ରିକାରେ ଟେଷ୍ଟ୍ ଶୃଙ୍ଖଳା ଜିତିବାର ବହୁ ପ୍ରତୀକ୍ଷିତ ଲକ୍ଷ୍ୟ ହାସଲ କରିବ। ତେବେ ଜୋହାନ୍ସବର୍ଗରେ ଆତ୍ମବିଶ୍ବାସଭରା ବିଜୟ ହାସଲ କରିବା ପରେ ଦକ୍ଷଣ ଆଫ୍ରିକାର ଯୁବ ବାହିନୀ ବିଶ୍ବର ଏକ ନମ୍ବର ଟେଷ୍ଟ୍ ଦଳ ବିପକ୍ଷରେ ଆଉ ଏକ ବିରାଟ ବିଜୟ ହାସଲ କରି ହୃତଗୌରବ ଫେରି ପାଇବା ଆଶାରେ ରହିବ। ଭାରତୀୟ ଅଧିନାୟକ ବିରାଟ କୋହଲି ଏହି ମ୍ୟାଚ୍‌ରେ ନିଜ ୯୯ତମ ଟେଷ୍ଟ୍ ଖେଳିବେ। ମଙ୍ଗଳବାର ତାଙ୍କ ଝିଅ ବାମିକାର ପ୍ରଥମ ଜନ୍ମଦିବସ ହୋଇଥିବାରୁ ତାଙ୍କ ପାଇଁ ଏହି ମ୍ୟାଚ୍ ବିଶେଷ ଖୁସି ନେଇ ଆସିବ। ତେବେ ବିଗତ କିଛି ମ୍ୟାଚ୍‌ରେ ବ୍ୟକ୍ତିଗତ ଭାବେ କୋହଲି ବଡ଼ ପାଳି ଖେଳି ନଥିବାରୁ ସମସ୍ତଙ୍କ ନଜର ତାଙ୍କ ଉପରେ ରହିବ।

ସେହିଦୃଷ୍ଟିରୁ ସେ ମଧ୍ୟ କିଛିଟା ଚାପରେ ରହିବେ। କେପ୍‌ଟାଉନ୍‌ରେ ଆଉ ୧୪୬ ରନ୍ କରିପାରିଲେ ୮,୦୦୦ ଟେଷ୍ଟ୍ ରନ୍ କରିବାରେ ଷଷ୍ଠ ଭାରତୀୟ ହେବେ ସେ। ସେହିଭଳି ୫,୦୦୦ ଟେଷ୍ଟ୍ ରନ୍ ପୂରଣ ପାଇଁ ଅଜିଙ୍କ୍ୟ ରାହାଣେଙ୍କୁ ଆଉ ମାତ୍ର ୭୯ ରନ୍‌ ଦରକାର ରହିଛି। ୧୦୦ ଟେଷ୍ଟ୍ କ୍ୟାଚ୍ ପୂର୍ଣ୍ଣଠାରୁ କୋହଲି ଦୁଇଟି ଏବଂ ରାହାଣେ ଗୋଟିଏ କ୍ୟାଚ୍ ଦୂରରେ ରହିଛନ୍ତି। କୋହଲି ଦଳକୁ ଫେରିବା ପରେ ହନୁମା ବିହାରୀ ଚୂଡ଼ାନ୍ତ ଏକାଦଶ ବାହାରେ ରହିବାର ସମ୍ଭାବନା ଅଧିକ। ଜୋହାନ୍ସବର୍ଗ ଟେଷ୍ଟ୍‌ର ଦ୍ବିତୀୟ ପାଳିରେ ଦୁଇ ଅଭିଜ୍ଞ ବ୍ୟାଟର୍‌ ଚେତେଶ୍ବର ପୂଜାରା ଓ ଅଜିଙ୍କ୍ୟ ରାହାଣେ ଲଢ଼ୁଆ ଅର୍ଦ୍ଧଶତକ ଅର୍ଜନ କରିଥିଲେ ମଧ୍ୟ କେପ୍‌ଟାଉନ୍‌ରେ ଉଭୟଙ୍କୁ ଆହୁରି ଉଚ୍ଚକୋଟୀର କ୍ରି‌କେଟ୍ ଖେଳିବାକୁ ପଡ଼ିବ। ବେପରୁଆ ସଟ୍ ଖେଳି ସମାଲୋଚିତ ହୋଇ ଆସୁଥିବା ୱିକେଟ୍‌ରକ୍ଷକ ବ୍ୟାଟର୍‌ ଋଷଭ ପନ୍ତଙ୍କୁ ଅଧିକ ଦାୟିତ୍ବବାନ ଖେଳ ଖେଳିବା ଦଳ ପାଇଁ ଭଲ ହେବ। ଅନ୍ୟପକ୍ଷରେ ଦ୍ବିତୀୟ ଟେଷ୍ଟ୍‌ରେ ଲଢ଼ୁଆ ବିଜୟ ପାଇବା ପରେ ଦକ୍ଷିଣ ଆଫ୍ରିକା ତା’ର ଚୂଡ଼ାନ୍ତ ଏକାଦଶରେ କୌଣସି ଅଦଳବଦଳ କରିବାର ସମ୍ଭାବନା ପ୍ରାୟ ନାହିଁ। ଦ୍ରୁତ ବୋଲର କାଗିସୋ ରବାଦାଙ୍କର ଏହା ୫୦ତମ ଟେଷ୍ଟ୍ ମ୍ୟାଚ୍ ହେବ।
ଦୁଇବର୍ଷ ପରେ ପିଚ୍‌ ପରୀକ୍ଷା: କରୋନା ପାଇଁ ଦୁଇ ବର୍ଷ ପରେ କେପ୍‌ଟାଉନ୍‌ର ନ୍ୟୁଲାଣ୍ଡ୍ସ ଷ୍ଟାଡିୟମ୍‌ରେ ପ୍ରଥମ ଟେଷ୍ଟ୍ ମ୍ୟାଚ୍ ଖେଳାଯିବ। ଷ୍ଟାଡିୟମ୍ ମଧ୍ୟ ଜଣେ ନୂଆ ଗ୍ରାଉଣ୍ଡ୍ସମ୍ୟାନ୍ ପାଇଛି। ଭାରତ-ଦକ୍ଷିଣ ଆଫ୍ରିକା ଟେଷ୍ଟ୍ ଲାଗି ବିମ୍ ମୋଙ୍ଗ ପ୍ରସ୍ତୁତ କରିଥିବା ପିଚ୍‌ରେ ବ୍ୟାଟିଂ କରିବା ପୂର୍ବାପେକ୍ଷା ସହଜ ହେବ ବୋଲି ଅନୁମାନ କରାଯାଉଛି। ଜାନୁଆରି ୨୦୨୦ରେ ଏଠାରେ ଖେଳାଯାଇଥିବା ୮ ପ୍ରଥମ ଶ୍ରେଣୀ ମ୍ୟାଚ୍‌ର ହାରାହାରି ପ୍ରଥମ ପାଳି ସ୍କୋର ହେଉଛି ୩୬୧। ଗତ ଦୁଇ ବର୍ଷ ହେବ ଏଠାରେ ସିମରଙ୍କ ଅପେକ୍ଷା ସ୍ପିନର ଅଧିକ ସଫଳ ହୋଇଛନ୍ତି।

ସମ୍ଭାବ୍ୟ ଭାରତ: କେଏଲ୍ ରାହୁଲ, ମୟଙ୍କ ଅଗ୍ରୱାଲ, ଚେତେଶ୍ବର ପୂଜାରା, ବିରାଟ କୋହଲି (ଅଧିନାୟକ), ଅଜିଙ୍କ୍ୟ ରାହାଣେ, ଋଷଭ ପନ୍ତ, ଆର୍‌ ଅଶ୍ବିନ, ଶାର୍ଦୁଳ ଠାକୁର, ମହମ୍ମଦ ସାମି, ଯଶପ୍ରୀତ ବୁମ୍‌ରା, ଈଶାନ୍ତ ଶର୍ମା/ଉମେଶ ଯାଦବ।
ସମ୍ଭାବ୍ୟ ଦକ୍ଷିଣ ଆଫ୍ରିକା: ଡିନ୍ ଏଲଗାର (ଅଧିନାୟକ), ଏଦେନ ମର୍କରାମ, କିଗାନ ପିଟରସନ୍, ରାଶି ଭାନ୍‌ ଦର ଦୁସେନ, ତେମ୍ବା ବଭୂମା, କାଇଲ ଭେରିନ୍, ମାର୍କୋ ଜେନସନ୍, କେଶବ ମହାରାଜ, କାଗିସୋ ରବାଦା, ଦୁଆନେ ଓଲିଭର, ଲୁଙ୍ଗି ଏନ୍‌ଗିଡି।

କାହାକୁ କିଛି ପ୍ରମାଣ ଦେବାର ନାହିଁ: କୋହଲି
ସମାଲୋଚକଙ୍କୁ ଭାରତୀୟ ଅଧିନାୟକ ବିରାଟ କୋହଲି ସୋମବାର ଠିକଣା ଜବାବ ଦେଇଛନ୍ତି। ତାଙ୍କ ଖରାପ ଫର୍ମକୁ ନେଇ ନାନା କଥା କହୁଥିବା କିଛି ବିଶେଷଜ୍ଞଙ୍କୁ ମଧ୍ୟ କଟାକ୍ଷ କରିଛନ୍ତି ସେ। ତେବେ ନିକଟ ଅତୀତରେ ‌ଆଶାଜନକ ପ୍ରଦର୍ଶନ କରିବାରେ ସେ ଅସମର୍ଥ୍ୟ ହୋଇଛନ୍ତି ବୋଲି କୋହଲି ସ୍ବୀକାର କରିଛନ୍ତି। ‘‘ଏମିତି ମୋ ସହ ଏକାଧିକ ଥର ହୋଇଛି। ୨୦୧୪ ଇଂଲଣ୍ଡ ଗସ୍ତ ସେଥିମଧ୍ୟରୁ ଅନ୍ୟତମ। ହେଲେ ମୁଁ ମୋ ପ୍ରଦର୍ଶନକୁ ଅନ୍ୟ କାହାର ଆଖିରେ ଦେଖେନି। ସେମାନେ ଯେଉଁ ସ୍ତର କଥା କହୁଛନ୍ତି, ତାହା ମୁଁ ହିଁ ସ୍ଥାପନ କରିଛି। ଖେଳରେ କେବେ ‌କେବେ ଆପଣ ଯାହା ଭାବନ୍ତି, ସେମିତି ହୁଏନି। ଦଳର ଆବଶ୍ୟକତା ଅନୁସାରେ ମୁଁ କିଛି ଗୁରୁତ୍ବପୂର୍ଣ୍ଣ ଭାଗୀଦାରି ଖେଳିଛି। ମୁଁ ଯେମିତି ଖେଳୁଛି ଏବଂ ଯାହା କରୁଛି ସେଥିରେ ଖୁସି ଅଛି। ମୋତେ କାହାକୁ କିଛି ପ୍ରମାଣ ଦେବାର ନାହିଁ’’ ବୋଲି ଦକ୍ଷିଣ ଆଫ୍ରିକା ବିପକ୍ଷ ଗୁରୁତ୍ବପୂର୍ଣ୍ଣ କେପ୍‌ଟାଉନ୍ ଟେଷ୍ଟ୍ ପୂର୍ବର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି କୋହଲି।

ସମ୍ବନ୍ଧିତ ଖବର