ଚନ୍ଦ୍ରକାନ୍ତ ପଣ୍ଡିତ କେକେଆର୍‌ ମୁଖ୍ୟ ପ୍ରଶିକ୍ଷକ

କୋଲ୍‌କାତା: ଆଇପିଏଲ୍‌ ଫ୍ରାଞ୍ଚାଇଜ କୋଲ୍‌କାତା ନାଇଟ୍‌ ରାଇଡର୍ସ (କେକେଆର୍‌) ବୁଧବାର ଚନ୍ଦ୍ରକାନ୍ତ ପଣ୍ଡିତଙ୍କୁ ନୂଆ ମୁଖ୍ୟ ପ୍ରଶିକ୍ଷକ ନିଯୁକ୍ତ କରିଛି। ଏହି ପୂର୍ବତନ ଭାରତୀୟ ୱିକେଟ୍‌ରକ୍ଷକ ନ୍ୟୁଜିଲାଣ୍ଡ ତାରକା ବ୍ରେଣ୍ଡନ ମ୍ୟାକ୍‌ଲମ୍‌ଙ୍କ ବଦଳରେ କେକେଆର୍‌ର ଦାୟିତ୍ବ ନେବେ। ମ୍ୟାକ୍‌ଲମ୍‌ ଇଂଲଣ୍ଡ ଜାତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ଦାୟିତ୍ବ ଗ୍ରହଣ କରିସାରିଥିବାରୁ କେକେଆର୍‌ ଆଗାମୀ ଆଇପିଏଲ୍‌ ସଂସ୍କରଣ ପୂର୍ବରୁ ତାଙ୍କ ବଦଳରେ ପଣ୍ଡିତଙ୍କୁ ନୂଆ ନିଯୁକ୍ତି ଦେଇଛି। ନୂଆ ଆହ୍ବାନକୁ ଏକ ବଡ଼ ସମ୍ମାନ ଭାବେ ଗ୍ରହଣ କରିଛନ୍ତି ପଣ୍ଡିତ। ଏହି ଦାୟିତ୍ବକୁ ତୁଲାଇବା ଏତେ ସହଜ ହେବନି। ତେବେ କେକେଆର୍‌ ପରିବାରର ସଂସ୍କୃତି ସଂପର୍କରେ ଖେଳାଳି ଏବଂ ସହଯୋଗୀଙ୍କଠୁ ସବୁ ଶୁଣିଛି। ଏହାକୁ ପାଥେୟ କରି ଦଳକୁ ଆଗକୁ ବଢ଼ାଇବାକୁ ପ୍ରୟାସ କରିବି ବୋଲି କହିଛନ୍ତି ପଣ୍ଡିତ। ପଣ୍ଡିତ ମଧ୍ୟପ୍ରଦେଶର ପ୍ରଶିକ୍ଷକ ଭାବେ ରାଜ୍ୟକୁ ପ୍ରଥମ ରଣଜୀ ଟ୍ରଫି ମୁକୁଟ ଜିତାଇଥିଲେ। ସେ ଭାରତ ପାଇଁ ୬ ବର୍ଷ (୧୯୮୬ରୁ ୧୯୯୨)ର ମଧ୍ୟରେ ୫ ଟେଷ୍ଟ୍‌, ୩୬ ଦିନିକିଆ ମ୍ୟାଚ୍‌ ଖେଳିଥିଲେ। ଅବସର ପରେ ସେ ଉଭୟ ମୁମ୍ବାଇ (୨୦୦୩ ଓ ୨୦୦୪) ଓ ବିଦର୍ଭ (୨୦୧୮ ଓ ୨୦୧୯)ର ପ୍ରଶିକ୍ଷଣ ଦାୟିତ୍ବ ତୁଲାଇ ଲାଗଲାଗ ରଣଜୀ ଟ୍ରଫି ଭେଟି ଦେଇଥିଲେ।

ସମ୍ବନ୍ଧିତ ଖବର