ସିକେ ନାୟୁଡୁ ଟ୍ରଫି: ବିଶାଳ ସ୍କୋର ଅଭିମୁଖେ ଓଡ଼ିଶା ସୌରଭ, ଅମ୍ରିତଙ୍କ ଶତକ

ସମ୍ବଲପୁର: ଅମୃତ ଖଟୁଆଙ୍କ ୧୨୨ ଏବଂ ସୌରଭ ଗୌଡ଼ଙ୍କ ଅପରାଜିତ ୧୭୬ ରନ୍ ବଳରେ ବୀର ସୁରେନ୍ଦ୍ର ସାଏ ଷ୍ଟାଡିୟମ୍‌ରେ ଚାଲିଥିବା ସିକ୍କିମ୍‌ ବିପକ୍ଷ କର୍ନେଲ ସିକେ ନାୟୁଡୁ ଟ୍ରଫି ୧୯ ବର୍ଷରୁ କମ୍‌ ମ୍ୟାଚ୍‌ରେ ଘରୋଇ ଓଡ଼ିଶା ଦଳ ବିଶାଳ ସ୍କୋର ଦିଗରେ ଅଗ୍ରସର ହୋଇଛି। ପ୍ରଥମ ପାଳିରେ ସିକ୍କିମ୍‌କୁ ୨୦୮ ରନ୍‌ରେ ଆଉଟ୍ କରିଥିବା ଘରୋଇ ଦଳ ଦ୍ବିତୀୟ ଦିନ ଖେଳ ଶେଷ ସୁଦ୍ଧା ନିଜ ଦ୍ବିତୀୟ ପାଳିରେ ୨ ୱିକେଟ୍ ହରାଇ ୩୯୦ ରନ୍‌ ସଂଗ୍ରହ କରି ନେଇଛି। ପ୍ରଥମ ୱିକେଟ୍‌ରେ ବିନିତ୍ ମହାନ୍ତିଙ୍କ ସହ ଶତକୀୟ ଓ ଦ୍ବିତୀୟ ୱିକେଟ୍‌ରେ ସୌରଭଙ୍କ ସହ ଦ୍ବିଶତକୀୟ ଭାଗୀଦାରି କରି ଅମ୍ରିତ ଦଳର ସ୍ଥିତି ମଜଭୁତ କରିଛନ୍ତି। ସିକ୍କିମ୍ ବୋଲର୍‌ଙ୍କୁ ୨ଟି ସଫଳତା ମିଳିଥିଲେ ବି ଦିନ ତମାମ ପଡ଼ିଆ ଚାରି ପାଖରେ ଦଉଡ଼ି ହତାଶ ହେବାକୁ ପଡ଼ିଛି।

ପ୍ରଥମ ଦିନର ଅସମାପ୍ତ ପାଳି ୮୮/୦ରୁ ଦୁଇ ଓଡ଼ିଶା ଓପନର୍ ବିନିତ୍ ଏବଂ ଅମ୍ରିତ୍ ଦ୍ବିତୀୟ ଦିନର ଖେଳ ଆରମ୍ଭ କରିଥିଲେ। ତେବେ ରବିବାର ଅର୍ଧଶତକ ହାସଲ କରି ଅପରାଜିତ ଥିବା ବିନିତ୍ (୬୩) ନିଜ ବ୍ୟକ୍ତିଗତ ସ୍କୋର୍‌ରେ ଆଉ ୧୧ ରନ୍‌ ଯୋଡ଼ି ପ୍ରଥମ ଖେଳାଳି ଭାବେ ଆଉଟ୍ ହୋଇଥିଲେ। ସେ ଅମ୍ରିତ୍‌ଙ୍କ ସହ ପ୍ରଥମ ୱିକେଟ୍‌ରେ ୧୦୨ ରନ୍‌ ଯୋଡ଼ିଥିଲେ। ୩ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିବା ସୌରଭ ଏବଂ ଅମ୍ରିତଙ୍କ ଯୋଡ଼ି ସିକ୍କିମ୍‌ ଦଳକୁ ନୟାନ୍ତ କରିଥିଲେ। ଉଭୟ ନିଜ ନିଜ ବ୍ୟକ୍ତିଗତ ଅର୍ଧଶତକ ଓ ଶତକ ହାସଲ କରିବା ସହ ଦ୍ବିତୀୟ ୱିକେଟ୍‌ରେ ୨୪୪ ରନ୍‌ର ବୃହତ ଭାଗୀଦାରି କରିଥିଲେ। ଅମ୍ରିତ ୩୩୮ ବଲ୍‌ର ସାମ୍‌ନା କରି ୧୨୨ର ବ୍ୟକ୍ତିଗତ ସ୍କୋର୍‌ରେ ଆଉଟ୍‌ ହୋଇଥିଲେ। କିନ୍ତୁ ସୌରଭ ଅପେକ୍ଷାକୃତ ଦ୍ରୁତ ବ୍ୟାଟିଂ କରି ଅସମାପ୍ତ ତୃତୀୟ ୱିକେଟ୍‌ରେ ଅଧିନାୟକ ସ୍ବସ୍ତିକ ସାମଲଙ୍କ ସହ ୪୪ ରନ୍‌ ଯୋଡ଼ିଛନ୍ତି। ସେ ୨୫୧ ବଲ୍‌ର ସାମ୍‌ନା କରି ୧୯ ଚୌକା, ୨ ଛକା ବଳରେ ୧୭୬ ରନ୍‌ କରି ବ୍ୟାଟିଂ କରୁଛନ୍ତି। ଦ୍ବିତୀୟ ଦିନ ଖେଳ ଶେଷ ବେଳକୁ ସ୍ବସ୍ତିକ ୧୯ ରନ୍‌ରେ ଅପରାଜିତ ଅଛନ୍ତି। ସିକ୍କିମ୍‌ ବୋଲର୍‌ଙ୍କ ମଧ୍ୟରେ ସନ୍ଦୀପ ଏବଂ ଦିନେଶ ଧୋବିଙ୍କୁ ଗୋଟିଏ ଲେଖାଏଁ ସଫଳତା ମିଳିଛି।

ସମ୍ବନ୍ଧିତ ଖବର