ଆଇପିଏଲ୍‌-୨୦୨୧: ଚେନ୍ନାଇ ପିଚ୍‌କୁ ନେଇ ଚିନ୍ତା

ମୁମ୍ବାଇ : ଚଳିତ ଆଇପିଏଲ୍‌ର ପ୍ରଥମ ପର୍ଯ୍ୟାୟରେ ୧୦ ମ୍ୟାଚ୍ ଖେଳାଯିବାକୁ ଥିବା ଚେନ୍ନାଇର ଏମ୍‌ଏ ଚିଦାମ୍ବରମ୍ ଷ୍ଟାଡିୟମ୍‌ରେ ଆଜି ଶେଷ ମ୍ୟାଚ୍ ଦିଲ୍ଲୀ କ୍ୟାପିଟାଲ୍ସ ଓ ସନ୍‌ରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯିବ। ଏଥିରେ ଋଷଭ ପନ୍ତଙ୍କ ଦଳ ଫେବରିଟ୍ ଭାବେ ପଡ଼ିଆକୁ ଓହ୍ଲାଇବ। କେନ୍ ୱିଲିୟମସନ୍‌ ଫେରିବା ପରେ ସନ୍‌ରାଇଜର୍ସର ଶକ୍ତି ଅପେକ୍ଷାକୃତ ବଢ଼ିଛି। ତଥାପି କ୍ୟାପିଟାଲ୍ସକୁ ହରାଇବା ଏହି ଦଳକୁ ଅତି ଉଚ୍ଚକୋଟୀର କ୍ରିକେଟ୍ ଖେଳିବାକୁ ହେବ। ଏହି ମ୍ୟାଚ୍‌ର ଫଳାଫଳ ଯାହା ହେଉନା କାହିଁକି କ୍ରିକେଟ୍ ବିଶେଷଜ୍ଞମାନେ ଚିଦାମ୍ବରମ୍ ଷ୍ଟାଡିୟମର ଅତ୍ୟନ୍ତ ମନ୍ଥର ପିଚ୍‌କୁ ମିଳିତ ଭାବେ ସମାଲୋଚନା କରିଛନ୍ତି। ଏହି ଆହ୍ବାନପୂର୍ଣ୍ଣ ପିଚ୍‌ରେ ଖେଳା ଯାଇଥିବା ଗତ ୯ ମ୍ୟାଚ୍‌ରୁ ମାତ୍ର ଦୁଇଟି ପାଳିରେ ପ୍ରଥମେ ବ୍ୟାଟିଂ କରିଥିବା ଦଳ ୧୭୦ ରନ୍ ଟପି ପାରିଛନ୍ତି। ଏଣୁ ରବିବାର ମ୍ୟାଚ୍‌ ଲାଗି ଏକ ଭଲ ବ୍ୟାଟିଂ ପିଚ୍ ମିଳୁ ବୋଲି ଉଭୟ ଦଳ ଆଶା କରୁଥିବେ।

ଦିଲ୍ଲୀ କ୍ୟାପିଟାଲ୍ସର ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଶିଖର ଧାୱନ ଚମତ୍କାର ଫର୍ମରେ ଅଛନ୍ତି। ସେ ମଧ୍ୟ ସର୍ବାଧିକ ରନ୍ କରି ନାରଙ୍ଗୀ ଟୋପିକୁ ନିଜ ପାଖରେ ରଖିଛନ୍ତି। ଯୁବ ତାରକା ପୃଥ୍ବୀ ସ’ ଗୋଟିଏ ପାଳି ପରେ ଦିଗ ହରା ହୋଇଛନ୍ତି। ତଥାପି ପନ୍ତ, ଷ୍ଟୋଇନିସ୍, ଷ୍ଟିଭେନ୍ ସ୍ମିଥ୍‌ଙ୍କୁ ନେଇ ଦିଲ୍ଲୀ ଶୀର୍ଷକ୍ରମ ବେଶ୍ ଶକ୍ତିଶାଳୀ। ଅନ୍ୟପକ୍ଷରେ ମନୀଷ ପାଣ୍ଡେଙ୍କ ଧିମା ବ୍ୟାଟିଂ ପାଇଁ ସନ୍‌ରାଇଜର୍ସ ପାଇଁ ସବୁକିଛି ଅଧିନାୟକ ୱାର୍ନର, ଜନି ବେୟାରଷ୍ଟୋ ଓ ୱିଲିୟମସନ୍‌ଙ୍କ ଉପରେ ନିର୍ଭରଶୀଳ ରହିବ। ଅଲରାଉଣ୍ଡର ବିଜୟ ଶଙ୍କର ବି ନିରାଶ କରିଚାଲିଛନ୍ତି। ତେବେ ସମ୍ଭବତଃ ସନ୍‌ରାଇଜର୍ସର ସବୁଠାରୁ ଦୁର୍ବଳ ଦିଗ ହେଉଛି ବୋଲିଂ। ଭୁବନେଶ୍ବର କୁମାର ଓ ରସିଦ ଖାନଙ୍କ ପରେ ସନ୍‌ରାଇଜର୍ସ ପାଖରେ ଆଉ ଷ୍ଟ୍ରାଇକ୍ ବୋଲର ନାହାନ୍ତି। ଟି ନଟରାଜନ ଅନୁପସ୍ଥିତ ଥିଲା ବେଳେ ସନ୍ଦୀପ ଶର୍ମା, ସିଦ୍ଧାର୍ଥ କୌଲଙ୍କ ଭଳି ବୋଲର ଦିଲ୍ଲୀ ବ୍ୟାଟ୍‌ରଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ୍ ହୋଇନପାରନ୍ତି। ଦିଲ୍ଲୀ ପାଇଁ ଏକମାତ୍ର ଚିନ୍ତା ହେଲା ଅଭିଜ୍ଞ ସ୍ପିନର ରବିଚନ୍ଦ୍ରନ୍‌ ଅଶ୍ବିନଙ୍କ ଖରାପ ଫର୍ମ। ଅଶ୍ବିନ ଗତ ଚାରିଟି ମ୍ୟାଚ୍‌ରେ ୮ରୁ ଅଧିକ ହାରରେ ରନ୍ ବ୍ୟୟ କରିଥିଲା ବେଳେ ମାତ୍ର ଗୋଟିଏ ୱିକେଟ୍ ନେଇଛନ୍ତି। କାଗିସୋ ରବାଦା ସେତେଟା ଭଲ କରୁନଥିଲେ ବି କ୍ରିସ୍ ଓକ୍ସଙ୍କ ରୂପରେ ଦିଲ୍ଲୀ ପାଖରେ ଏକ ଭଲ ବିକଳ୍ପ ଅଛି। ପନ୍ତ ଜଣେ ସ୍ପିନରଙ୍କୁ ଖେଳାଇବା ସପକ୍ଷରେ ଗଲେ ଗତ ମ୍ୟାଚ୍‌ର ହିରୋ ଅମିତ ମିଶ୍ରା ଅଫ୍‌ସ୍ପିନର ଆର ଅଶ୍ବିନଙ୍କ ସ୍ଥାନ ନେଇପାରନ୍ତି। ଦୁଇ ଦଳ ମଧ୍ୟରେ ଏପର୍ଯ୍ୟନ୍ତ ୧୮ ଆଇପିଏଲ୍ ମ୍ୟାଚ୍ ଖେଳା ଯାଇଥିଲା ବେଳେ ସନ୍‌ରାଇଜର୍ସ ୧୧ ଓ ଦିଲ୍ଲୀ କ୍ୟାପିଟାଲ୍ସ ମାତ୍ର ୭ ମ୍ୟାଚ୍ ଜିତିଛି। ଏହି ପରିସଂଖ୍ୟାନ ବଦଳାଇବାକୁ ପନ୍ତଙ୍କ ସେନା ରବିବାର ନିଶ୍ଚିତ ଭାବେ ଆପ୍ରାଣ ଉଦ୍ୟମ କରିବ। ଏହି ମ୍ୟାଚ୍ ପୂର୍ବରୁ କିନ୍ତୁ ରାଜସ୍ଥାନ ରୟାଲ୍ସ ଅଲରାଉଣ୍ଡର ବେନ୍ ଷ୍ଟୋକ୍ସ ଓ ଅଷ୍ଟ୍ରେଲିଆର ପୂର୍ବତନ ଦ୍ରୁତ ବୋଲର ବ୍ରେଟ୍ ଲି ନିର୍ଜୀବ ଚେନ୍ନାଇ ପିଚ୍‌କୁ କଡ଼ା ସମାଲୋଚନା କରିଛନ୍ତି।

ସନ୍‌ରାଇଜର୍ସ ହାଇଦ୍ରାବାଦ ଦଳ: ଡେଭିଡ୍ ୱାର୍ନର (ଅଧିନାୟକ), କେନ୍ ୱିଲିୟମସନ୍, ବିରାଟ ସିଂହ, ମନୀଷ ପା‌ଣ୍ଡେ, ପ୍ରିୟମ ଗର୍ଗ, ରିଦ୍ଧିମାନ ସାହା, ଜନି ବେୟାରଷ୍ଟୋ, ଜାସନ ରୟ, ଶ୍ରୀବତ୍ସ ଗୋସ୍ବାମୀ, ବିଜୟ ଶଙ୍କର, ମହମ୍ମଦ ନବି, କେଦାର ଯାଦବ, ଜେ ସ୍କିଟ୍, ଜାସନ ହୋଲ୍ଡର, ଅଭିଷେକ ଶର୍ମା, ଅବଦୁଲ ସମଦ, ଭୁବନେଶ୍ବର କୁମାର, ରସିଦ ଖାନ୍, ସନ୍ଦୀପ ଶର୍ମା, ଖଲିଲ ଅହମ୍ମଦ, ସିଦ୍ଧାର୍ଥ ‌‌କୌଲ, ବାସିଲ ଥମ୍ପି, ଶାହବାଜ ନଦୀମ, ମୁଜିବ ଉର ରହମାନ।

ଦିଲ୍ଲୀ କ୍ୟାପିଟାଲ୍‌ସ ଦଳ: ଋଷବ ପନ୍ତ୍ (ଅଧିନାୟକ ଓ ୱିକେଟ୍‌ ରକ୍ଷକ), ଶିଖର ଧାୱନ, ପୃଥ୍ବୀ ସ’, ଅଜିଙ୍କ୍ୟ ରାହାଣେ, ସିମ୍ରନ୍ ହେଟମେୟର୍‌, ମାର୍କସ ଷ୍ଟୋଇନିସ୍, କ୍ରିସ୍‌ ୱକ୍ସ, ରବିଚନ୍ଦ୍ରନ୍‌ ଅଶ୍ବିନ୍‌, ଅମିତ ମିଶ୍ରା, ଲଲିତ ଯାଦବ, ପ୍ରବୀଣ ଦୁବେ, କାଗିସୋ ରବାଦା, ଅନରିକ୍‌ ନର୍ଖିୟା, ଈଶାନ୍ତ ଶର୍ମା, ଆଭେସ୍‌ ଖାନ୍‌, ଷ୍ଟିଭ୍‌ ସ୍ମିଥ୍‌, ଉମେଶ ଯାଦବ, ରିପଲ୍‌ ପଟେଲ୍‌, ବିଷ୍ଣୁ ବିନୋଦ, ଲୁକମାନ୍‌ ମେରିୱାଲା, ଏମ୍ ସିଦ୍ଧାର୍ଥ, ଟମ୍ କରନ୍‌, ସାମ୍‌ ବିଲିଙ୍ଗ୍ସ।

ସମ୍ବନ୍ଧିତ ଖବର