ସୁନ୍ଦରଗଡ଼ରେ ୪ ଅଲିମ୍ପିଆନଙ୍କୁ ଭବ୍ୟ ସମ୍ବର୍ଦ୍ଧନା: ‘ସୁନ୍ଦରଗଡ଼ର ନାମ ହକିଗଡ଼ କରାଯାଉ’

ପାରିଜାତ ପାର୍କରୁ ଖୋଲା ଜିପ୍ ଶୋଭାଯାତ୍ରା, ସ୍ବର୍ଣ୍ଣ ଜିତିବାର ଦମ୍ଭ ଭରିଲେ ଚାରି ହକି ତାରକା

ସୁନ୍ଦରଗଡ଼: ‘କିଏ କାହିଁକି ଏହି ଜିଲ୍ଲାର ନାମ ସୁନ୍ଦରଗଡ଼ ରଖିଲେ, ଆମେ ଜାଣୁନା। ଏବେ କିନ୍ତୁ ଏହି ମାଟି ହକିର ଅନ୍ତୁଡ଼ିଶାଳ ବା ଗଡ଼ ପାଲଟିଛି। ଭାରତୀୟ ହକିର ଉଭୟ ପୁରୁଷ ଓ ମହିଳା ଦଳରେ ସୁନ୍ଦରଗଡ଼ ଚମକପ୍ରଦ ଅବଦାନ ସାରା ଓଡ଼ିଶାକୁ ଗୌରବାନ୍ବିତ କରିଛି। ତେଣୁ ଏହାର ନାମ ସୁନ୍ଦରଗଡ଼ରୁ ପରିବର୍ତ୍ତିତ ହୋଇ ହକିଗଡ଼ ହେବା ଉଚିତ। ଚାରି ହକି ଅଲିମ୍ପିଆନଙ୍କୁ ସମ୍ବର୍ଦ୍ଧିତ କରିବାକୁ ସ୍ଥାନୀୟ ବିକାଶ ଭବନରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ଉତ୍ସବରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ଏହା କହିଥିଲେ। ଏହି ଅବସରରେ ଜିଲ୍ଲାପାଳ ଶ୍ରୀ କଲ୍ୟାଣ ଅତ୍ୟନ୍ତ ଭାବବିହ୍ବଳ ହୋଇ ‘ଅଲିମ୍ପିଆନ୍‌ ବୀ‌ରେନ୍ଦ୍ର ଲାକ୍ରା, ଅମିତ ରୋହିଦାସ, ଦୀପ୍‌ଗ୍ରେସ୍‌ ଏକ୍କା, ନମିତା ଟପ୍ପୋ ସ୍ବର୍ଣ୍ଣ ପଦକ ଜିତି ନଥିଲେ ବି ଆମ ଜିଲ୍ଲାବାସୀଙ୍କ ହୃଦୟରେ ଚାମ୍ପିଅନ୍‌ ହୋଇଛନ୍ତି ବୋଲି କହିଥିଲେ। ଅପରାହ୍ନ ସାଢ଼େ ୩ଟାରେ କ୍ରୀଡ଼ା ବିଭାଗ ପୂର୍ବତନ ଅତିରିକ୍ତ ନିର୍ଦ୍ଦେଶକ ଅଶୋକ ମହାନ୍ତିଙ୍କ ସଂଯୋଜନାରେ ଅନୁଷ୍ଠିତ ସମ୍ବର୍ଦ୍ଧନା ଉତ୍ସବରେ ୪ ହକି ତାରକା ନିଜ ଜୀବନର ସଂଘର୍ଷ ଓ ଟୋକିଓ ଅଲିମ୍ପିକ୍ସର ଅନୁଭୂତି ବଖାଣିଥିଲେ। ଏହା ସହ ଜିଲ୍ଲା ପ୍ରଶାସନ ତଥା ସୁନ୍ଦରଗଡ଼ବାସୀଙ୍କ ଭଲପାଇବା ସେମାନଙ୍କୁ ଅଭିଭୂତ କରିଥିବା ପ୍ରକାଶ କରି ଆଗାମୀ ଅଲିମ୍ପିକ୍ସରେ ଭାରତୀୟ ହକି ଦଳ ସ୍ବର୍ଣ୍ଣ ପଦକ ନିଶ୍ଚୟ ହାସଲ କରିବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଥିଲେ।

ସମ୍ବର୍ଦ୍ଧନା ସଭାରେ ହକିର ଜୀବନ୍ତ କିଂବଦନ୍ତି ପଦ୍ମଶ୍ରୀ ଦିଲୀପ ତିର୍କି ଯୋଗଦେଇ ତାଙ୍କ ପଦକ ସ୍ବପ୍ନକୁ ଅମିତ ଓ ବୀରେନ୍ଦ୍ର ସାକାର କରିଛନ୍ତି ବୋଲି କହିଥିଲେ। ଏହି ଅବସରରେ ସେ ମହିଳା ହକିର ଡିଫେଣ୍ଡର ଦୀପ୍‌ଗ୍ରେସ୍‌ ଏକ୍କାଙ୍କ ଚମତ୍କାର ପ୍ରଦର୍ଶନକୁ ମଧ୍ୟ ପ୍ରଶଂସା କରିଥିଲେ। ଓଡ଼ିଶା ସରକାର ହକିର ପ୍ରାୟୋଜକ ହୋଇ ଏହି ଖେଳର ବିକାଶ ପାଇଁ ବହୁବିଧ ଯୋଜନା କରିଥିବାରୁ ଶ୍ରୀ ତିର୍କି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେଇଥିଲେ। ସଭାରେ ରାଜଗାଙ୍ଗପୁର ବିଧାୟକ ଡ. ରାଜନ ଏକ୍କା, ତଳସରା‌ ବିଧାୟକ ଭବାନୀଶଙ୍କର ଭୋଇ, ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ବିନୟ କୁମାର ଟପ୍ପୋ, ଅତିରିକ୍ତ ଜିଲ୍ଲାପାଳ ବିଶ୍ବଜିତ ମହାପାତ୍ର, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନି‌ର୍ଦ୍ଦେଶକ ଭୈରବ ସିଂ ପଟେଲ, ଉପଜିଲ୍ଲାପାଳ ଅଭିମନ୍ୟୁ ବେହେରା ଉପସ୍ଥିତ ଥିଲେ। ଜିଲ୍ଲା ପ୍ରଶାସନ ପକ୍ଷରୁ ହକି ତାରକାମାନଙ୍କୁ ସ୍ମୃତିଫଳକ ଓ ଉପହାର ପ୍ରଦାନ କରାଯାଇଥିଲା। ପରେ ପରେ ସୁନ୍ଦରଗଡ଼ ନାଗରିକ ସଂଘ, ରୋଟାରି କ୍ଲବ୍‌, ସୁନ୍ଦରଗଡ଼ ବରିଷ୍ଠ ନାଗରିକ ଫୋରମ୍‌, ଜିଲ୍ଲା କ୍ରୀଡ଼ା ସଂସଦ ସମେତ ଅନ୍ୟ ସଂଗଠନ ଓ ହକିପ୍ରେମୀ ଚାରି ହକି ତାରକାଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଜିଲ୍ଲା ସଂସ୍କୃତି ଅଧିକାରୀ ଅନିଲ କେର୍କେଟା ଓ ଜିଲ୍ଲା କ୍ରୀଡ଼ା ଅଧିକାରୀ ମିଲ୍‌ଟନ୍‌ ବିଲୁଙ୍ଗ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ସମ୍ବର୍ଦ୍ଧନା ପର୍ବ ପରେ ହକି ଖେଳାଳିମାନେ ନିଜ ନିଜ ଗାଁକୁ ଯାଇଥିବା ସୂଚନା ରହିଛି।

ଟୋକିଓ ଅଲିମ୍ପିକ୍ସରେ ଚମତ୍କାର ପ୍ରଦର୍ଶନ କରିଥିବା ଭାରତୀୟ ପୁରୁଷ ଓ ମହିଳା ହକି ଦଳର ୪ ଚର୍ଚ୍ଚିତ ଖେଳାଳି ଅମିତ ରୋହିଦାସ, ବୀରେନ୍ଦ୍ର ଲାକ୍ରା, ଦୀପ୍‌ଗ୍ରେସ୍‌ ଏକ୍କା ଓ ସୁନିତା ଟପ୍ପୋଙ୍କ ସହ ପଦ୍ମଶ୍ରୀ ଦିଲୀପ ତିର୍କି ଅପରାହ୍ନ ସାଢ଼େ ୧୨ଟାରେ ଜନ୍ମମାଟି ସୁନ୍ଦରଗଡ଼ରେ ପହଞ୍ଚିବା ପରେ ସେମାନଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା। ପାରିଜାତ ପାର୍କରୁ ଫୁଲମାଳରେ ସଜ୍ଜିତ ଏକ ଖୋଲା ଜିପରେ ଦୁଲଦୁଲି ବାଜାର ତାଳେତାଳେ ହକି ତାରକାମାନଙ୍କୁ ପାଛୋଟି ନିଆଯାଇଥିଲା। ଅଲିମ୍ପିକ୍ ଖେଳିବା ପରେ ହକି ଖେଳାଳିମାନଙ୍କ ପ୍ରଥମ ସୁନ୍ଦରଗଡ଼ ଗସ୍ତ ଥିବାରୁ ସହରରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା। ସହର ପରିକ୍ରମା ବେଳେ ସୁନ୍ଦରଗଡ଼ ପବ୍ଲିକ୍‌ ସ୍କୁଲର ଶତାଧିକ ଛାତ୍ରଛାତ୍ରୀ ରାସ୍ତାର ଉଭୟପାର୍ଶ୍ବରେ ଠିଆହୋଇ ଖେଳାଳିଙ୍କୁ ଫୁଲତୋଡ଼ା ଦେଇ ସ୍ବାଗତ କରିଥିଲେ। ସେହିପରି ସହରବାସୀ ସ୍ବତଃସ୍ଫୂର୍ତ୍ତ ଭାବେ ରାସ୍ତାକୁ ଚାଲିଆସି ଅଥବା ଘର ବାଲ୍‌କୋନିରେ ଠିଆହୋଇ ଖେଳାଳିଙ୍କ ଉପରକୁ ଫୁଲ ବର୍ଷା କରିଥିଲେ। ଏପରିକି ଅନେକ କୁନିପିଲା ହାତରେ ତ୍ରିରଙ୍ଗା ଧରି ‌ହକି ତାରକା ଓ ଭାରତମାତାର ଜୟଗାନ କରୁଥିବା ଦେଖିବାକୁ ମିଳିଥିଲା। ହକି ତାରକାଙ୍କ ସ୍ବାଗତ ପାଇଁ ସାରା ସହର ଉତ୍ସବ ମୁଖର ହୋଇପଡ଼ିଥିଲା। ଆଜି ରାଜଗାଙ୍ଗପୁରରେ ମଧ୍ୟ ମାଟିର ଝିଅ ନମିତାଙ୍କୁ ଅଭିନନ୍ଦନ ଜଣାଇ ଉତ୍ସବ ଆୟୋଜିତ ହୋଇଥିଲା। ପୁଣି ରବିବାର ହକିଗଡ଼ ସଉନାମୁରାରେ ୪ ହକି ଖେଳାଳିଙ୍କୁ ଏକ ବିରାଟ ସମାରୋହରେ ସମ୍ବର୍ଦ୍ଧିତ କରାଯିବା କାର୍ଯ୍ୟକ୍ରମ ରହିଛି।

ସମ୍ବନ୍ଧିତ ଖବର