କ୍ରିକେଟ୍‌ ପାଇଁ କରୋନା କାଳ, ଭାରତ-ଦକ୍ଷିଣ ଆଫ୍ରିକା ଦିନିକିଆ ଶୃଙ୍ଖଳା ବାତିଲ

ମୁମ୍ବାଇ: କରୋନା ଭୂତାଣୁ ସଂକ୍ରମଣ ମହାମାରୀ ରୂପ ନେଉଥିବାରୁ ଖେଳାଳିମାନଙ୍କ ନିରାପତ୍ତାକୁ ଦୃଷ୍ଟିରେ ରଖି ଭାରତୀୟ କ୍ରିକେଟ୍‌ ବୋର୍ଡ (ବିସିସିଆଇ) ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ଶୃଙ୍ଖଳାକୁ ବାତିଲ କରିଦେଇଛି। ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ୩ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳାର ପ୍ରଥମ ଦିନିକିଆ ଗୁରୁବାର ଧର୍ମଶାଳାରେ ବର୍ଷା ଧୋଇ ନେଇଥିଲା। ଏହାପରେ ୧୫ ତାରିଖରେ ଲକ୍ଷ୍ନୌ ଏବଂ ୧୮ ତାରିଖରେ କୋଲ୍‌କାତାରେ ଦ୍ବିତୀୟ ଓ ତୃତୀୟ ମ୍ୟାଚ୍‌ ଖେଳାଯିବାର ଥିଲା। କରୋନା ଭୟ ଯୋଗୁଁ ବନ୍ଦ ଫାଟକ ପଛପଟେ ତଥା ବିନା ଦର୍ଶକରେ ମ୍ୟାଚ୍‌ ଖେଳାଯିବ ବୋଲି ବିସିସିଆଇ ନିଷ୍ପତ୍ତି ନେଇଥିଲା। ଏଥିପାଇଁ ଟିକେଟ୍‌ ବିକ୍ରି ଉପରେ କଟକଣା ଜାରି କରାଯାଇଥିଲା ବେଳେ ଯେଉଁମାନେ ଟିକେଟ୍‌ କିଣି ସାରିଥିଲେ ସେମାନଙ୍କୁ ଟଙ୍କା ଫେରସ୍ତ କରାଯିବ ବୋଲି କୁହାଯାଇଥିଲା‌। ହେଲେ ଶୁକ୍ରବାର ବିସିସିଆଇ ଅବଶିଷ୍ଟ ଦୁଇ ମ୍ୟାଚ୍‌କୁ ବାତିଲ କରିଦେଲା। ବିଶେଷକରି ଆଇପିଏଲ୍‌କୁ ଏପ୍ରିଲ ୧୫ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯିବା ପରେ ପରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ଶୃଙ୍ଖଳାକୁ ବିସିସିଆଇ ବାତିଲ କରିବାର ନିଷ୍ପତ୍ତି ନେଲା। ଫଳରେ ଶୁକ୍ରବାର ଲକ୍ଷ୍ନୌରେ ପହଞ୍ଚିଯାଇଥିବା ଉଭୟ ଦଳ ଏବେ ଘରମୁହାଁ ହେବେ। ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ତୁରନ୍ତ ଦିଲ୍ଲୀ ଫେରିଯାଇ ସେଠାରୁ ଆଗୁଆ ସ୍ବଦେଶ ବାହୁଡ଼ିବ ବୋଲି ବିସିସିଆଇ ପକ୍ଷରୁ କୁହାଯାଇଛି। ଏଠାରେ ସୂଚନାଯୋଗ୍ୟ, ମହାମାରୀ କରୋନାରେ ଭାରତରେ ପ୍ରାୟ ୧ ଲକ୍ଷରୁ ଅଧିକ ସଂକ୍ରମିତ ହୋଇଥିଲା ବେଳେ ସେମାନଙ୍କ ମଧ୍ୟରୁ ୮୦ରୁ ଅଧିକଙ୍କ ପରୀକ୍ଷା ରିପୋର୍ଟ ସକାରାତ୍ମକ ରହିଛି। ଏହି ମହାମାରୀରେ ସାରା ବିଶ୍ବରେ ପାଖାପାଖି ୫୦୦୦ ଜଣଙ୍କର ମୃତ୍ୟୁ ଘଟିଲାଣି।

ଦିଲ୍ଲୀରେ ଆଇପିଏଲ୍‌ ମ୍ୟାଚ୍‌ ହେବନି
ବିନା ଦର୍ଶକ, ଟିକେଟ୍‌ ଏବଂ ବନ୍ଦ ଫାଟକ ମଧ୍ୟରେ ଆଇପିଏଲ୍‌ ମ୍ୟାଚ୍‌ କରିବାକୁ ଆଗ୍ରହୀ ରାଜ୍ୟଗୁଡ଼ିକୁ ବିସିସିଆଇ ନିମନ୍ତ୍ରଣ କରିଛି। ଦିଲ୍ଲୀରେ କିନ୍ତୁ କୌଣସି ମ୍ୟାଚ୍‌ ଲାଗି ଅନୁମତି ମିଳିବ ନାହିଁ ବୋଲି ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ପ୍ରକାଶ କରିଛନ୍ତି। ‘କରୋନା ଭୂତାଣୁ କାରଣରୁ ଆଇପିଏଲ୍‌ ସହିତ ଦିଲ୍ଲୀରେ କୌଣସି ପ୍ରକାର କ୍ରୀଡ଼ା ପ୍ରତିଯୋଗିତା ଆୟୋଜିତ ହେବ ନାହିଁ’ ବୋଲି ସିସୋଦିଆ କହିଛନ୍ତି। ଦିଲ୍ଲୀ ସହିତ କର୍ଣ୍ଣାଟକ ମଧ୍ୟ ଆଇପିଏଲ୍‌ ଆୟୋଜନ ନେଇ ଅନିଚ୍ଛା ପ୍ରକାଶ କରିଛି। ମହାରାଷ୍ଟ୍ର ସରକାର କିନ୍ତୁ ଟିକେଟ୍‌ ବିକ୍ରି ଉପରେ କଟକଣା ଲଗାଇଛନ୍ତି। ଲକ୍ଷ୍ନୌ କିନ୍ତୁ ବନ୍ଦ ଫାଟକ ମଧ୍ୟରେ ଆଇପିଏଲ୍‌ ଆୟୋଜନ ନେଇ ଆଗ୍ରହ ଦେଖାଇଛି।

ସମ୍ବନ୍ଧିତ ଖବର