ଟୋକିଓ ଅଲିମ୍ପିକ୍ସ: କୋଭିଡ୍‌ ପଜିଟିଭ୍‌ ୧୦୦ ଟପିଲା

ଟୋକିଓ : ଚଳିତ ଟୋକିଓ ଅଲିମ୍ପିକ୍ସରେ ଶୁକ୍ରବାର ଆଉ ୩ ଆଥ୍‌ଲେଟ୍‌ଙ୍କ କୋଭିଡ୍‌ ପରୀକ୍ଷା ରିପୋର୍ଟ ପଜିଟିଭ୍‌ ଆସିବା ପରେ କରୋନା ସଂକ୍ରମିତଙ୍କ ସଂଖ୍ୟା ତିନିଅଙ୍କ (୧୦୦) ଟପିଯାଇଛି। ଶୁକ୍ରବାର ୧୯ ନୂଆ ସଂକ୍ରମିତ ହେବା ଘୋଷଣା ପରେ ଏହି ସଂଖ୍ୟା ଶତକ ପୂର୍ଣ୍ଣ କରିଛି। ନୂଆ ସଂକ୍ରମିତଙ୍କ ମଧ୍ୟରେ ୩ ଆଥ୍‌ଲେଟ୍‌, ୩ ଗଣମାଧ୍ୟମ ପ୍ରତିନିଧି, ୩ କଂଟ୍ରାକ୍ଟର ଏବଂ ୧୦ କ୍ରୀଡ଼ା ସହ ସଂପୃକ୍ତ ବ୍ୟକ୍ତି ରହିଛନ୍ତି। ଫଳରେ ଚଳିତ ଅଲିମ୍ପିକ୍ସ ସହ ସିଧାସଳଖ ସଂପୃକ୍ତି ରଖିଥିବା କରୋନା ସଂକ୍ରମିତଙ୍କ ସଂଖ୍ୟା ଶୁକ୍ରବାର ସୁଦ୍ଧା ୧୦୬ ହୋଇଛି। ଏମାନଙ୍କ ମଧ୍ୟରୁ ଆଥ୍‌ଲେଟ୍‌ଙ୍କ ସଂଖ୍ୟା ୧୧କୁ ବୃଦ୍ଧି ପାଇଛି। ସବୁଠୁ ଅଧିକ ସଂକ୍ରମିତ ଚେକ୍‌ ଗଣରାଜ୍ୟ ଆଥ୍‌ଲେଟ୍‌ ହୋଇଛନ୍ତି। ରୋଡ୍‌ ସାଇକ୍ଲିଷ୍ଟ ମିଚାଲ ସ୍ଲେଗାଲ ଏହି ମହାମାରୀ ଭୂତାଣୁର ଶିକାର ହେବା ପରେ ଚେକ୍‌ର ମୋଟ ଉପରେ ୬ ଏବଂ ଆଥ୍‌ଲେଟ୍‌ଙ୍କ ସଂଖ୍ୟା ୪କୁ ବୃଦ୍ଧି ପାଇଛି। ସ୍ଲେଗାଲଙ୍କ ପୂର୍ବରୁ ବିଚ୍‌ ଭଲିବଲ୍‌ ଖେଳାଳି ଓନ୍ଦ୍ରେଜ୍‌ ପେରୁସିକ୍‌ ଓ ମର୍କେଟା ନୌଶ୍ଚ ଏବଂ ‌ଟେବୁଲ ଟେନିସ୍‌ ଖେଳାଳି ପାଭେଲ ସିରୁସେକ୍‌ଙ୍କ କୋଭିଡ୍‌ ରିପୋର୍ଟ ପଜିଟିଭ୍‌ ଆସିଥିଲା। ଏମାନଙ୍କ ବ୍ୟତୀତ ରୋଡ୍‌ ସାଇକ୍ଲି‌ଷ୍ଟ ପ୍ରତିନିଧି ତେରେଜା ନିଉମାନୋଭା ଓ ମାଇକେଲ କୁକ୍ରଲ ମଧ୍ୟ ପଜିଟିଭ୍‌ ଥିବା ଚେକ୍‌ ଗଣରାଜ୍ୟ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର