ଡେନ୍‌ମାର୍କଠୁ ହାରିଲା ପେରୁ

ସରନ୍‌ସ୍କ: ଶନିବାର ଗ୍ରୁପ୍‌-ସିର ଦ୍ୱିତୀୟ ମୁକାବିଲାରେ ଡେନ୍‌ମାର୍କ ଦୀର୍ଘ ୩୬ ବର୍ଷର ବ୍ୟବଧାନ ପରେ ବିଶ୍ୱକପ୍‌କୁ ଫେରିଥିବା ପେରୁକୁ ୧-୦ ଗୋଲ୍‌ରେ ପରାସ୍ତ କରିଥିଲା। ମ୍ୟାଚ୍‌ର ଏକମାତ୍ର ଗୋଲ୍‌ ୫୯ ମିନିଟ୍‌ରେ ୟୁସୁଫ ପଲସେନ୍‌ ଦେଇଥିଲେ। ଏହି ମୁକାବିଲାର ପ୍ରଥମାର୍ଧର ଅଧିକାଂଶ ସମୟ ଉଭୟ ଦଳ ପରସ୍ପରର ଶକ୍ତି ତଉଲିବାରେ କଟାଇଥିଲେ। ଡେନ୍‌ମାର୍କ ଅପେକ୍ଷା ପେରୁ କିନ୍ତୁ ତୁଳନାତ୍ମକ ଭାବେ ଅଧିକ ଆକ୍ରମଣାତ୍ମକ ଖେଳ ଖେଳିଥିଲା। ଯାହାର ଫଳ ୪୫ ମିନିଟ୍‌ରେ ମିଳିଥିଲା। ପେରୁର ଯୁବ ତାରକା କ୍ରିଷ୍ଟିଆନ୍‌ କୁଏଭା ପ୍ରଥମାର୍ଧର ଶେଷ କ୍ଷଣରେ ପେନାଲ୍ଟି ଅର୍ଜନ କରି ଡେନମାର୍କ ଶିବିରରେ ଶିହରଣ ଖେଳାଇ ଦେଇଥିଲେ। ହେଲେ ଦୁର୍ଭାଗ୍ୟଜନକ ଭାବେ ସେ ଏହାକୁ ଗୋଲ୍‌ରେ ରୂପାନ୍ତର କରି ପାରି ନଥିଲେ। ତା’ ସହ ପେନାଲ୍ଟି ସୁଯୋଗ ହାତଛଡ଼ା କରିବାରେ ଚଳିତ ବିଶ୍ୱକପ୍‌ର ଦ୍ୱିତୀୟ ଖେଳାଳି ହୋଇଥିଲେ। ତାଙ୍କ ପୂର୍ବରୁ ଆର୍ଜେଣ୍ଟିନାର ମହାନ ଖେଳାଳି ଲିଓନେଲ୍‌ ମେସି ଆଇସ୍‌ଲାଣ୍ଡ ବିପକ୍ଷରେ ପେନାଲ୍ଟିକୁ ହାତଛଡ଼ା କରିଥିଲେ। ମେସିଙ୍କ ସଟ୍‌କୁ ପ୍ରତିପକ୍ଷ ଗୋଲ୍‌ ରକ୍ଷକ ସାହସର ସହ ରୋକି ଦେଇଥିଲେ। ହେଲେ କୁଏଭାଙ୍କ ସଟ୍‌ ଗୋଲ୍‌ ପୋଷ୍ଟ ଉପରେ ଚାଲି ଯାଇଥିଲା। ସେଥିପାଇଁ ପେରୁ ପ୍ରଥମାର୍ଧରେ ଆଗୁଆ ହେବାରୁ ବଞ୍ଚିତ ହୋଇଥିଲା। ମଧ୍ୟାନ୍ତର ପରେ କିନ୍ତୁ ଡେନ୍‌ମାର୍କ ତାର ଆକ୍ରମଣର ତୀବ୍ରତା ବଢ଼ାଇ ଦେଇଥିଲା। ଆଚାନକ ଅକ୍ରମଣରେ ଚକିତ ହୋଇ ପେରୁ ରକ୍ଷଣଭାଗ ଟିକିଏ ଢିଲା ପଡ଼ି ଯାଇଥିଲା। ଏହାର ସୁଯୋଗ ନେଇ ୟୁସୁଫ ଦ୍ୱିତୀୟାର୍ଧର ଚର୍ତୁଦଶ ମିନିଟ୍‌ରେ ଡେନ୍‌ମାର୍କକୁ ଆଗୁଆ କରି ଦେଇଥିଲେ। କ୍ରିଷ୍ଟିଆନ ଏରିକସନଙ୍କଠାରୁ ପାସ୍‌ ପାଇବା ପରେ ଏକ ଜବରଦସ୍ତ ବାମଗୋଡ଼ ସଟ୍‌ରେ ବଲ୍‌କୁ ଗୋଲ୍‌ ପୋଷ୍ଟ ଭିତରକୁ ପଠାଇ ସେ ମ୍ୟାଚ୍‌ର ପ୍ରଥମ ଏବଂ ଏକମାତ୍ର ଗୋଲ୍‌ ଅର୍ଜନ କରିଥିଲେ। ବଳକା ୩୧ ମିନିଟ୍‌ ସହ ଆହତ ସମୟରେ ମଧ୍ୟ ପେରୁ ଏହି ଗୋଲ୍‌କୁ ଶୁଝି ପାରି ନଥିଲା। ଫଳରେ ଡେନ୍‌ମାର୍କ ସେହି ଏକମାତ୍ର ଗୋଲରେ ବିଜୟୀ ହେବା ସହ ପୂରା ୨ ପଏଣ୍ଟ ଅର୍ଜନ କରି ନେଇଥିଲା।

ସମ୍ବନ୍ଧିତ ଖବର