ଡେଭିଡ୍‌ ହସି କେକେଆର୍‌ର ମୁଖ୍ୟ ଉପଦେଷ୍ଟା ଭାବେ ନିଯୁକ୍ତି ହେଲେ

କୋଲ୍‌କାତା: ପୂର୍ବତନ ଅଷ୍ଟ୍ରେଲୀୟ ବ୍ୟାଟ୍‌ସମ୍ୟାନ୍‌ ଡେଭିଡ ହସି କୋଲ୍‌କାତା ନାଇଟ୍‌ ରାଇଡର୍ସ (କେକେଆର୍‌)ର ମୁଖ୍ୟ ଉପଦେଷ୍ଟା ନିଯୁକ୍ତ ହୋଇଛନ୍ତି। ଏହି ଆଇପିଏଲ୍‌ ଫ୍ରାଞ୍ଜାଇଜ୍‌ ହସିଙ୍କ ନିଯୁକ୍ତି ସଂପର୍କରେ ଶନିବାର ଘୋଷଣା କରିଛି। ହସିଙ୍କ ବ୍ୟତୀତ ପୂର୍ବତନ ନ୍ୟୁଜିଲାଣ୍ଡ୍‌ ଦ୍ରୁତ ବୋଲର କେଲି ମିଲ୍‌ସ କେକେଆର୍‌ର ବୋଲିଂ ପ୍ରଶିକ୍ଷକ ଭାବେ ନିଯୁକ୍ତ ହୋଇଛନ୍ତି। ଡେଭିଡ୍‌ ହସି ୨୦୦୮ରୁ ୨୦୧୦ ମଧ୍ୟରେ କେକେଆର୍‌ ପକ୍ଷରୁ ଆଇପିଏଲ୍‌ ଖେଳିଥିଲେ। ପରେ ସେ ମଧ୍ୟ ଚେନ୍ନାଇ ସୁପର କିଙ୍ଗ୍‌ସ ଓ କିଙ୍ଗ୍‌ସ ଇଲେଭେନ୍‌ ପଞ୍ଜାବ ପକ୍ଷରୁ ଖେଳିଥିଲେ। ମୋଟାମୋଟି ଭାବେ ନିଜ କ୍ରିକେଟ୍‌ ଜୀବନରେ ହସି ୨୫୦ ଟ୍ବେଣ୍ଟି-୨୦ ମ୍ୟାଚ୍‌ ଖେଳିଛନ୍ତି। ୨୦୧୭ରେ ସେ ଅବସର ନେଇଥିଲେ। ସେହିପରି ଡେଭିଡ୍‌ଙ୍କ ବଡ଼ ଭାଈ ମାଇକ୍‌ ହସି ଆଇପିଏଲ୍‌‌ରେ ଚେନ୍ନାଇ ସୁପର କିଙ୍ଗ୍‌ସର ବ୍ୟାଟିଂ ପ୍ରଶିକ୍ଷକ ଅଛନ୍ତି।

ଅନ୍ୟପ‌କ୍ଷରେ ନ୍ୟୁଜିଲାଣ୍ଡ ପାଇଁ ୨୦୦ ମ୍ୟାଚ୍‌ (ସବୁ ଫର୍ମାଟ୍‌) ଖେଳିଥିବା ମିଲ୍‌ସ ଏବେ ନିଜ ଦେଶର ବ୍ରେଣ୍ଡନ ମ୍ୟାକ୍‌ଲମ୍‌ଙ୍କ ସହ ଯୋଡ଼ି ହୋଇଛନ୍ତି। ମ୍ୟାକ୍‌ଲମ୍‌ ନିକଟରେ କେକେଆର୍‌ର ମୁଖ୍ୟ ପ୍ରଶିକ୍ଷକ ନିଯୁକ୍ତ ହୋଇଛନ୍ତି। ଉଭୟ ଡେଭିଡ୍‌ ହସି ଓ ମିଲ୍‌ସଙ୍କ ସାମିଲ ପରେ କେକେଆର୍‌ ଶକ୍ତି ବୃଦ୍ଧି ପାଇବ ବୋଲି କହିଛନ୍ତି ଏହାର ସିଇଓ ତଥା ଏମ୍‌ଡି ଭେଙ୍କି ମଇଶୁର୍‌।

ସମ୍ବନ୍ଧିତ ଖବର