ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କଲେ ଡିଜିପି

ବିଶ୍ୱ ହକି ଲିଗ୍‌ ଫାଇନାଲ୍‌ ପାଇଁ କଳିଙ୍ଗ ଷ୍ଟାଡିୟମରେ ପ୍ରସ୍ତୁତି ଢେର କିଛି ଦିନ ପୂର୍ବରୁ ଆରମ୍ଭ ହୋଇଗଲାଣି। ୧୦ ଦିନ ଧରି ଚାଲିବାକୁ ଥିବା ଏବଂ ୮ ଅନ୍ତର୍ଜାତୀୟ ଦଳ ସହ ପ୍ରତ୍ୟେକ ଦିନ ଏହି ପ୍ରତିଯୋଗିତାର ଏକାଧିକ ମ୍ୟାଚ୍‌ ଖେଳାଯିବ। ସେଥିପାଇଁ ଦର୍ଶକ, ଖେଳାଳି, ଅମ୍ପାୟାର ଏବଂ ଅଧିକାରୀମାନଙ୍କୁ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା ଯୋଗାଇବା କମିସନରେଟ୍‌ ପୁଲିସ୍‌ ପାଇଁ ଏକ ବଡ଼ ଆହ୍ଵାନ ହେବ। ମଙ୍ଗଳବାର ପୁଲିସ ମହାନିର୍ଦେଶକ ରାଜେନ୍ଦ୍ର ପ୍ରସାଦ ଶର୍ମା କଳିଙ୍ଗ ଷ୍ଟାଡିୟମ ଯାଇ ବ୍ୟକ୍ତିଗତ ଭାବେ ପ୍ରସ୍ତାବିତ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଥିଲେ। ଖେଳାଳି ଓ ପ୍ରଶଂସକଙ୍କ ପ୍ରବେଶ ଏବଂ ପ୍ରସ୍ଥାନ ପାଇଁ ପ୍ରସ୍ତୁତ ହୋଇଥିବା ବ୍ଲୁ ପ୍ରିଣ୍ଟକୁ ଦେଖିବା ସହ ଡିଜିପି ହକି କଂପ୍ଲେକ୍ସରେ ଚାଲିଥିବା ନୂତନ ନିର୍ମାଣ କାର୍ଯ୍ୟକୁ ମଧ୍ୟ ବୁଲି ଦେଖିଥିଲେ।

ଏହା ପରେ ସାମ୍ବାଦିକଙ୍କ ସହ କଥା ହୋଇ ସେ କହିଥିଲେ ଯେ ଖେଳାଳିଙ୍କ ସୁରକ୍ଷା, ସେମାନେ ରହୁଥିବା ହୋଟେଲର ସୁରକ୍ଷା ଏବଂ ଯାତାୟତ ନେଇ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ। କଳିଙ୍ଗ ଷ୍ଟାଡିୟମର ପୂର୍ବ ଏବଂ ପଶ୍ଚିମ ଷ୍ଟାଣ୍ଡରେ ପାଖା ପାଖି ୯,୦୦୦ ଦର୍ଶକ ବସିବାର କ୍ଷମତା ରହିଛି। ଏଣୁ ଟିକେଟ ଯାଞ୍ଚ, ଗାଡ଼ି ପାର୍କିଂ, ଟ୍ରାଫିକ୍‌ ନିୟନ୍ତ୍ରଣ ଉପରେ ମଧ୍ୟ କଡ଼ା ନଜର ରଖାଯିବ। ଏହି ଅବସରରେ ଡଜିଙ୍କ ସହ ପୁଲିସ୍‌ କମିସନର ଓ୍ଵାବି ଖୁରାନିଆ, ପୁଲିସ ବିଭାଗର ବହୁ ବରିଷ୍ଠ ଅଧିକାରୀ ଏବଂ କଳିଙ୍ଗ ଷ୍ଟାଡିୟମ ପରିଚାଳନାରେ ଥିବା ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର