ଲିଡ୍ସ: ଭାରତ-ଇଂଲଣ୍ଡ ତୃତୀୟ ଦିନିକିଆରେ ବ୍ୟବହୃତ ବଲ୍କୁ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଅମ୍ପାୟାରଙ୍କଠାରୁ ମାଗିକରି ନେବା ନେଇ ନାନା କଳ୍ପନା ଜଳ୍ପନା ପ୍ରକାଶ ପାଇଥିଲା। ଭାରତ ମ୍ୟାଚ୍ ଏବଂ ଶୃଙ୍ଖଳା ହାରିବା ପରେ ଅବସର ସ୍ମରଣୀକା ଭାବେ ଏହି ବଲ୍କୁ ଧୋନି ମାଗି ନେଇଥିବା ଆଲୋଚନା ହେଉଥିଲା। ମାମଲା ଜୋର ଧରିବାରୁ ପ୍ରଶିକ୍ଷକ ରବି ଶାସ୍ତ୍ରୀ ଗୁରୁବାର ଏଥିନେଇ ସ୍ପଷ୍ଟୀକରଣ ଦେଇଛନ୍ତି। ଧୋନି ନିକଟରେ ଅବସର ନେବାର କୌଣସି ସମ୍ଭାବନା ନାହିଁ। ବଲ୍ ସେ ବୋଲିଂ ପ୍ରଶିକ୍ଷକ ଭରତ ଅରୁଣଙ୍କୁ ଦେଖାଇବାକୁ ନେଇଥିଲେ। ଇଂଲଣ୍ଡ ପିଚ୍ ଓ ପରିବେଶରେ ୫୦ ଓଭର ଖେଳ ପରେ ବଲ୍ର ଆକାର ଏବଂ ରଙ୍ଗରୂପରେ କିଭଳି ପରିବର୍ତନ ହେଉଛି ତାହା ଧୋନି ଭରତକୁ ଦେଖାଇବାକୁ ଚାହୁଁଥିଲେ। ସେଥିପାଇଁ ପଡ଼ିଆ ବାହାରକୁ ଆସିଲା ବେଳେ ମ୍ୟାଚ୍ ବଲ୍ ଦେବାକୁ ଅମ୍ପାୟାରଙ୍କୁ ଧୋନି ଅନୁରୋଧ କରିଥିଲେ ବୋଲି ଶାସ୍ତ୍ରୀ କହିଛନ୍ତି।