କେବେ ବାପାଙ୍କ ପାଟିରୁ ଲଡୁ ଛଡ଼ାନ୍ତି ତ ପୁଣି କେବେ ବାପାଙ୍କୁ ଶ୍ରଦ୍ଧାରେ ପାଣି ଦିଅନ୍ତି ଧୋନି ତନୟା!

ମୁମ୍ବାଇ: କେବଳ କ୍ରିକେଟ୍‌ ଦକ୍ଷତା ପାଇଁ ନୁହେଁ, ଅନେକ ସମୟରେ ନିଜର ଅଲିଅଳୀ ଝିଅ ଜିଭାକୁ ନେଇ ଚର୍ଚ୍ଚାରେ ରୁହନ୍ତି ମହେନ୍ଦ୍ର ସିଂହ ଧୋନି। ନିକଟରେ ଧୋନିଙ୍କ ଝିଅ ଜିଭା ତାଙ୍କ ପାଟିରୁ ଏକ ଲଡୁ ଛଡ଼େଇ ନେଇ ଖାଉଥିବା ଦୃଶ୍ୟଟି ବେଶ୍‌ ଚର୍ଚ୍ଚା ପାଲଟିଥିଲା। ଏବେ ଦେଖିବାକୁ ମିଳିଛି ଧୋନି ଓ ତାଙ୍କ କନ୍ୟା ଜିଭାଙ୍କର ଆଉ ଏକ କୌତୂହଳପୂର୍ଣ୍ଣ ମୁହୂର୍ତ୍ତ।

ନିଜ ଝିଅ ସହ ଧୋନିଙ୍କର ଏକ ଭଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି। ସେଥିରେ ଦେଖିବାକୁ ମିଳୁଛି ଯେ ଜିଭା ଧୋନିଙ୍କୁ ପଡ଼ିଆ ଭିତରେ ଯାଇ ପାଣି ପିଆଇ ଦେଉଛନ୍ତି। ତେବେ, ଏହି ଦୃଶ୍ୟ ହେଉଛି ଫୁଟବଲ୍‌ ପଡ଼ିଆର ଦୃଶ୍ୟ। ଆପଣ ହୁଏତ ନିଶ୍ଚୟ ଜାଣିଥିବେ କ୍ରିକେଟ୍‌ ସଙ୍ଗେ ସଙ୍ଗେ ଫୁଟ୍‌ବଲ୍‌ ପ୍ରତି ମଧ୍ୟ ମାହିଙ୍କର ଦୁର୍ବଳତା ରହିଛି।

ତେଣୁ, ଅଷ୍ଟ୍ରେଲିଆ ବିପକ୍ଷରେ ଦିନିକିଆ ଓ ଟେଷ୍ଟ ସିରିଜ ହାତେଇବା ପରେ ଟିମ୍‌ ଇଣ୍ଡିଆ ଏବେ ଏକଦମ ବିନ୍ଦାସ ମୁଡରେ। ଟିମ୍‌ ଇଣ୍ଡିଆର ଅଧିକାଂଶ ଖେଳାଳି ଫୁଟବଲ ଖେଳିବାକୁ ଭଲ ପାଉଥିବା ଆପଣ ନିଶ୍ଚୟ ଜାଣିଥିବେ। ଏହାର ଝଲକ ଗତକାଲି ମଧ୍ୟ ଦେଖିବାକୁ ମିଳିଥିଲା। ଗତକାଲି ମୁମ୍ବାଇର ଅନ୍ଧେରୀ ସ୍ପୋଟ୍‌ସ କମପ୍ଲେକ୍ସରେ କ୍ରିକେଟର ଓ ବଲିଉଡ ଅଭିନେତାଙ୍କ ମଧ୍ୟରେ ଏକ ଚ୍ୟାରିଟି ମ୍ୟାଚ ଖେଳାଯାଇଥିଲା। ଏହି ମ୍ୟାଚରେ କୋହଲୀଙ୍କ ଟିମ୍‌ ଅଲ ହାର୍ଟ ଏଫସି ଓ ରଣବୀରଙ୍କ ଟିମ୍‌ ଅଲ ଷ୍ଟାର୍ସ ଏଫସି ମଧ୍ୟରେ ମ୍ୟାଚ ହୋଇଥିଲା। ଏହି ମ୍ୟାଚରେ ବିରାଟଙ୍କ ଟିମ୍‌ ରଣବୀରଙ୍କ ଟିମକୁ ୭-୩ ଗୋଲରେ ମାତ୍‌ ଦେଇଥିଲା। କିନ୍ତୁ ମ୍ୟାଚ ସମୟରେ ସମସ୍ତଙ୍କ ନଜର ଥିଲା ଧୋନିଙ୍କ ଝିଅ ଜିଭା ଉପରେ।

ବିରାଟଙ୍କ ଟିମ୍‌ ତରଫରୁ ଭାରତର ପୂର୍ବତନ କ୍ୟାପଟେନ ମହେନ୍ଦ୍ର ସିଂ ଧୋନି ଜବରଦସ୍ତ ପ୍ରର୍ଦଶନ କରିଥିଲେ। ଏହି ମ୍ୟାଚରେ ୨ଟି ଗୋଲ ଦେଇଥିଲେ ଧୋନି। କିନ୍ତୁ ଷ୍ଟାଡିୟମ ଭିତରେ ଅଲ ହାର୍ଟ ଏଫସି ଟିମର ସମର୍ଥକ ଜିଭା ଦର୍ଶକଙ୍କ ହୃଦୟକୁ ବେଶ ଛୁଇଁପାରିଥିଲେ। ମ୍ୟାଚ ଶେଷ ହେବା ପରେ ଜିଭା ପାଣି ବୋତଲ ଧରି ପଡ଼ିଆ ଭିତରକୁ ଯାଇଥିଲେ। କେହି କିଛି ବୁଝିବା ଆଗରୁ ଧୋନିଙ୍କୁ ପାଣି ପିଆଇଥିଲେ। ଫୁଟବଲ ଖେଳି ସାରି ଧୋନି ମଧ୍ୟ ଥକି ଯାଇଥିଲେ। ତେଣୁ ଝିଅ ଜିଭାର ହାତରୁ ପାଣି ପିଇ ନିଜ ଶୋଷ ମେଣ୍ଟାଇଥିଲେ ଧୋନି। ଜିଭାଙ୍କ ଏହି କାରନାମା ଦର୍ଶକଙ୍କୁ ବେଶ ଆମୋଦିତ କରିଥିଲା।

ମ୍ୟାଚ ସମୟରେ ଷ୍ଟାଡିୟମ ଭିତରେ ଫୁଟବଲ ଖେଳୁଥିବାର ନଜରକୁ ଆସିଥିଲେ ଜିଭା। ଜିଭାଙ୍କ ଖେଳ ଦେଖି ଦର୍ଶକ ମଧ୍ୟ ବେଶ ମଜା ନେଇଥିଲେ। ଏହି ମ୍ୟାଚରେ ଦୁଇଟି ଗୋଲ କରିଥିବା ମହେନ୍ଦ୍ର ସିଂ ଧୋନିଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଆୱାର୍ଡ ଦିଆଯାଇଥିଲା। ସେହିଭଳି ବିରାଟ କୋହଲିଙ୍କୁ ବିଜୟୀ ଟ୍ରଫି ଓ ଅଭିଷେକ ବଚ୍ଚନଙ୍କୁ ରନର୍ସ ଅପ ଟ୍ରଫି ଦିଆଯାଇଥିଲା।

ସମ୍ବନ୍ଧିତ ଖବର