ଡିଏଗୋଙ୍କ ଡବଲ୍‌: ଓଡ଼ିଶା ଏଫ୍‌ସି ଖାତା ଖୋଲିଲା

ଭୁବନେଶ୍ବର: ବ୍ରାଜିଲୀୟ ଷ୍ଟ୍ରାଇକର ଡିଏଗୋ ମାରିସିଓଙ୍କ ଯୁଗଳ ଗୋଲ୍ ବଳରେ ଚଳିତ ଆଇଏସଏଲ୍‌ରେ ଓଡ଼ିଶା ଏଫ୍‌ସି ନିଜ ଦ୍ବିତୀୟ ମ୍ୟାଚ୍‌ରୁ ପଏଣ୍ଟ୍‌ ଖାତା ଖୋଲିଛି। ଗୋଆର ତିଲକ ମଇଦାନରେ ଖେଳାଯାଇଥିବା ଜାମସେଦପୁର ଏଫ୍‌ସି ବିପକ୍ଷ ଏହି ମ୍ୟାଚ୍‌କୁ ଓଡ଼ିଶା ଏଫ୍‌ସି ଦ୍ବିତୀୟାର୍ଧର ଯୁଗଳ ଗୋଲ୍ ବଳରେ ୨-୨ରେ ଅମୀମାଂସିତ ରଖିଥିଲା। ରବିବାର ସଂଧ୍ୟାରେ ଖେଳାଯାଇଥିବା ଏହି ମ୍ୟାଚ୍‌ର ଉଭୟାର୍ଧ ଭିନ୍ନ ମାହୋଲରେ ବିତିଥିଲା। ପ୍ରଥମାର୍ଧ ଜା‌ମସେଦପୁର ସପକ୍ଷରେ ବିତିଥିବା ବ‌େଳେ ସଙ୍କଳ୍ପବଦ୍ଧ ଓଡ଼ିଶା ଏଫ୍‌ସି ଦ୍ବିତୀୟାର୍ଧରେ ପ୍ରଧାନ୍ୟ ବିସ୍ତାର କରିଥିଲା। ଓଡ଼ିଶା ଡିଫେଣ୍ଡର ଗୌରବ ଭୋରାଙ୍କ ହାତରେ ବଲ୍‌ ବାଜିବାରୁ ୧୨ତମ ମିନିଟରେ ଜାମସେଦପୁରକୁ ମିଳିଥିବା ‌ପେନାଲଟିକୁ ନେରିଜସ୍‌ ଭଲକିସ୍‌ ଭୁଲ୍ କରିନଥିଲେ। ୨୭ତମ ମିନିଟରେ‌ ଦଳ ପାଇଁ ଚମତ୍କାର ଗୋଲ୍‌ ଦେବାରୁ ଜାମସେଦପୁର ୨-୦ରେ ଆଗୁଆ ରହିଥିଲା। ଅଧଘଣ୍ଟା ଖେଳ ହୋଇଥିବା ବ‌େଳେ ଶୁଭମ ଷଡ଼ଙ୍ଗୀ ମଧ୍ୟ ଏକ କ୍ରିସ୍‌କୁ କ୍ଲିୟର୍ କରୁଥିଲେ ମଧ୍ୟ ଭଲକିସ୍ ଏହାକୁ ଗୋଲରେ ପରିଣତ କରିଥିଲେ।

ଦ୍ବିତୀୟାର୍ଧରେ ଓଡ଼ିଶା ଏଫ୍‌ସି ଚମତ୍କାର ଖେଳିଥିଲା। ଷ୍ଟ୍ରାଇକର ମାନୁଏଲ୍ ଓନୁ ଦୁଇ ଥର ସୁଯୋଗ ସୃଷ୍ଟି କରିଥିଲେ ମଧ୍ୟ ଗୋଲ୍ ଦେବାରେ ନିଷ୍ଫଳ ରହିଥିଲେ। ୭୪ତମ ମିନିଟରେ କିନ୍ତ ଜାମ‌ସେଦପୁର ଏଫ୍‌ସି ଗୋଲରକ୍ଷକ ଟିପି ରେହନେଶଙ୍କୁ ଲାଲ୍ କାର୍ଡ ମିଳିବାରୁ ୧୦ ଜଣିଆ ଦଳ ବିପକ୍ଷରେ ଓଡ଼ିଶା ଏଫ୍‌ସି ଚମତ୍କାର ଖେଳିଥିଲା। ୭୭ତମ ମିନିଟରେ ବଦଳ ଖେଳାଳି ଡିଏଗୋ ମରିସିଓଙ୍କ ଓଡ଼ିଶାକୁ ଋତୁର ପ୍ରଥମ‌ ଗୋଲ୍‌ ଦେଇଥିଲେ। ୯୦ତମ ମିନିଟରେ ଡିଏଗୋ କିନ୍ତୁ ସବୁଠାରୁ ସୁନ୍ଦର‌ ଗୋଲ୍‌ଟି ଦେଇ ପଏଣ୍ଟ ଭାଗର ଅବସର ଆଣିଥିଲେ। ବକ୍ସ ଅଞ୍ଚଳ ପାଖାପାଖିରୁ ମାରିଥିବା ଡିଏଗୋଙ୍କ ଶକ୍ତିଶାଳୀ ସଟ୍‌କୁ ରୋକିବା ବଦଳ ଗୋଲିରକ୍ଷକଙ୍କ ପାଇଁ ମୁସ୍କିଲ ଥିଲା। ଏଥି ସହିତ ହାଇଦ୍ରାବାଦ ଏଫ୍‌ସି ନିକଟରୁ ନିଜ ପ୍ରଥମ ମ୍ୟାଚ୍‌ ହାରିଥିବା ଓଡ଼ିଶା ଏଫ୍‌ସି ୧ ପଏଣ୍ଟରୁ ଅଭିଯାନ ଆରମ୍ଭ କରିଛି। ଆଲେକଜାଣ୍ଡର ମଣ୍ଟେଇରୋ ଶ୍ରେଷ୍ଠ ପାସ୍‌ ଏବଂ ଡିଏଗୋ ମାରିସିଓ ଶ୍ରେଷ୍ଠ ‌ଖେଳାଳି ସମ୍ମାନ ପାଇଥିଲେ।

ଚେନ୍ନାୟିନ୍‌-କେରଳ ୦-୦
ରବିବାର ଖେଳା ଯାଇଥିବା ଏକାଦଶତମ ମ୍ୟାଚ୍‌ ଗୋଲ୍‌ ଶୂନ୍ୟ ଭାବେ ଶେଷ ହୋଇଛି। ଚେନ୍ନାୟିନ୍‌ ଏଫ୍‌ସି ଓ କେରଳ ବ୍ଲାଷ୍ଟର୍ସ ମଧ୍ୟରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ କୌଣସି ଦଳ ଗୋଲ୍‌ ଦେବାକୁ ସକ୍ଷମ ହୋଇନଥିଲେ। ଫଳରେ ମ୍ୟାଚ୍‌ ଅମୀମାଂସିତ‌ ରହିଥିଲା ଏବଂ ଉଭୟ ଦଳ ଗୋଟିଏ ଲେଖାଏଁ ପଏଣ୍ଟରେ ସନ୍ତୁଷ୍ଟ ରହିଥିଲେ।

ସମ୍ବନ୍ଧିତ ଖବର