ଇର୍ଫାନଙ୍କୁ ସଭିଏଁ ଆକ୍ରମଙ୍କ ସହ ତୁଳନା କରୁଥିଲେ: ରାଇନା

ନୂଆଦିଲ୍ଲୀ: ୨୦୦୨ ମସିହାରେ ମାତ୍ର ୧୯ ବର୍ଷ ବୟସରେ ଅଷ୍ଟ୍ରେଲିଆ ବିପକ୍ଷରେ ପୂର୍ବତନ ଭାରତୀୟ ଅଲରାଉଣ୍ଡର୍‌ ଇର୍ଫାନ୍ ପଠାନ୍‌ ପଦାର୍ପଣ କରିଥିଲେ। ନିଜ ଦକ୍ଷତା ବଳରେ ସେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିପାରିଥିଲେ। କିନ୍ତୁ ସୌରଭ ଗାଙ୍ଗୁଲିଙ୍କ ନେତୃତ୍ବରେ ୨୦୦୪ ମସିହାରେ ପାକିସ୍ତାନ ଗସ୍ତ କରିଥିବା ଭାରତୀୟ ଦଳରେ ଏହି ବାମହାତୀ ଅଲରାଉଣ୍ଡର୍ ମୁଲତାନରେ ଅନୁଷ୍ଠିତ ପ୍ରଥମ ଟେଷ୍ଟ୍‌ରେ ୬ ୱିକେଟ୍ ନେବା ପରେ ଲାହୋର ଓ ରାୱଲପିଣ୍ଡି ଟେଷ୍ଟ୍‌ରେ ମଧ୍ୟ ଖେଳିଥିଲେ। ଇର୍ଫାନଙ୍କ ପ୍ରାରମ୍ଭିକ ସଫଳତା ପରେ ସେ ଭାରତୀୟ କ୍ରିକେଟ୍‌ର ପୋଷ୍ଟର୍ ବୟ ପାଲଟିଯାଇଥିଲେ। ଶନିବାର ଇର୍ଫାନଙ୍କ ସହ ଇନ୍‌ଷ୍ଟାଗ୍ରାମ ଆଲୋଚନା ବେଳେ ଅନ୍ୟତମ ଅଲରାଉଣ୍ଡର୍‌ ସୁରେଶ ରାଇନା ବହୁ କଥା କହିଥିଲେ। ଇର୍ଫାନଙ୍କ ପ୍ରାରମ୍ଭିକ ସଫଳତା ପରେ ତାଙ୍କୁ ସଭିଏଁ ପାକିସ୍ତାନର କିଂବଦନ୍ତି ଅଲରାଉଣ୍ଡର୍‌ ୱାସିମ୍ ଆକ୍ରମଙ୍କ ସହ ତୁଳନା କରିଥିଲେ ବୋଲି ରାଇନା ପ୍ରକାଶ କରିଥିଲେ। ‘ତୁମକୁ (ଇର୍ଫାନ୍‌) ସମସ୍ତେ ୱାସିମ ଆକ୍ରମଙ୍କ ସହ ତୁଳନା କରୁଥିଲେ। ଲମ୍ବା ଓ କୁଞ୍ଚକୁଞ୍ଚିଆ ଚୁଟି ରଖିଥିଲ, ହେଡ୍‌ ଆଣ୍ଡ୍ ସୋଲଡର୍ ବ୍ରାଣ୍ଡ ଭଳି ଦେଖାଯାଉଥିଲ। ମୁଁ ୨୦୦୫ରେ ଭାରତୀୟ ଦଳକୁ ଆସିବା ବେଳକୁ ତୁମେ ତାରକା ବନି ସାରିଥିଲ’ ବୋଲି ରାଇନା ପ୍ରକାଶ କରିଥିଲେ।

୨୦୦୪ ପାକିସ୍ତାନ ଗସ୍ତ ପୂର୍ବରୁ ଘରୋଇ ଦଳର ମୁଖ୍ୟ ପ୍ରଶିକ୍ଷକ ଜାଭେଦ ମିଆଁଦାଦ କହିଥିଲେ, ‘ଇର୍ଫାନଙ୍କ ଭଳି ବୋଲର ପାକିସ୍ତାନର ଗଳିକନ୍ଦିରେ ମିଳନ୍ତି’। ‘ଏଭଳି ଖବର ପଢ଼ିବା ପରେ ସେତେବେଳେ ମୋତେ ଓ ମୋ ପିତାଙ୍କୁ ଭାରି ଖରାପ ଲାଗିଥିଲା’ ବୋଲି ଇର୍ଫାନ୍ ପ୍ରକାଶ କରିଥିଲେ। ଇର୍ଫାନ୍ କିନ୍ତୁ ପରବର୍ତୀ ପାକିସ୍ତାନ ଗସ୍ତରେ ଏହାର ଠିକଣା ଜବାବ ଦେଇଥିଲେ। ଦ୍ବିତୀୟ ଭାରତୀୟ ଏବଂ ପ୍ରଥମ ମଧ୍ୟମଗତି ବୋଲର ଭାବେ ହ୍ୟାଟ୍ରିକ୍ ନେଇଥିଲେ। ‌କରାଚୀ ଟେଷ୍ଟ୍‌ର ପ୍ରଥମ ଓଭରରେ ସେ ସଲମାନ ବଟ୍ଟ, ୟୁନିସ୍‌ ଖାନ୍ ଏବଂ ମହମ୍ମଦ ୟୁସୁଫଙ୍କ ୱିକେଟ୍‌ ନେଇ ମିଆଁଦାଦଙ୍କୁ ମୁହଁତୋଡ଼ ଜବାବ ଦେଇଥିଲେ। ଭାରତ ସେହି ଟେଷ୍ଟ୍ ହାରିଯାଇଥିଲା, କିନ୍ତୁ ପଠାନଙ୍କ ପ୍ରଦର୍ଶନ ଭାରତୀୟ କ୍ରିକେଟ୍ ପ୍ରଶଂସକଙ୍କ ପାଇଁ ଅନେକ ଦିନ ହେବ ମନେ ରହିଛି। ଗତବର୍ଷ ସମସ୍ତ ପ୍ରକାର କ୍ରିକେଟ୍‌ରୁ ଅବସର‌ ନେଇଥିବା ଇର୍ଫାନ୍‌ ଭାରତ ପାଇଁ ୨୯ ଟେଷ୍ଟ୍‌, ୧୨୦ ଦିନିକିଆ, ୨୪ ଟି-୨୦ ଅନ୍ତର୍ଜାତୀୟ ଖେଳି ଯଥାକ୍ରମେ ୧୦୦, ୧୭୩, ୨୮ ୱିକେଟ୍‌ ନେଇଥିଲେ। ଟେଷ୍ଟ୍‌ରେ ୧୧୦୫ ଏବଂ ଦିନିକିଆରେ ୧୫୪୪ ରନ୍ କରିଥିଲେ।

ସମ୍ବନ୍ଧିତ ଖବର