ଈଶାନ୍ତ ଟେଷ୍ଟ୍‌ ଶୃଙ୍ଖଳାରୁ ବାଦ୍‌; ରୋହିତଙ୍କ ଚୂଡ଼ାନ୍ତ ନିଷ୍ପତ୍ତି ୧୧ରେ

କୋହଲିଙ୍କ ଦ୍ବନ୍ଦ୍ବ ଦୂର କଲା ବିସିସିଆଇ

ସିଡ୍‌ନି : ବରିଷ୍ଠ ଦ୍ରୁତ ବୋଲର ଈଶାନ୍ତ ଶର୍ମା ଅଷ୍ଟ୍ରେଲିଆ ବିପକ୍ଷ ଆଗାମୀ ଟେଷ୍ଟ୍‌ ଶୃଙ୍ଖଳାରୁ ବାଦ୍‌ ପଡ଼ିଛନ୍ତି। ସେ ଠିକ୍‌ ସମୟରେ ମ୍ୟାଚ୍‌ ଫିଟ୍‌ ହୋଇପାରିବେନି। ତେବେ ରୋହିତ ଶର୍ମାଙ୍କ ଆହତ ଡିସେମ୍ବର ୧୧ ତାରିଖରେ ଚୂଡ଼ାନ୍ତ ଆକଳନ କରାଯିବା ପରେ ତାଙ୍କ ସଂପର୍କରେ ଶେଷ ନିଷ୍ପତ୍ତି ନିଆଯିବ ବୋଲି ଗୁରୁବାର କହିଛନ୍ତି ବିସିସିଆଇ (ଭାରତୀୟ କ୍ରିକେଟ୍‌ ବୋର୍ଡ) ସଂପାଦକ ଜୟ ଶାହା। ଅଧିନାୟକ ବିରାଟ କୋହଲିଙ୍କ ଦ୍ବାରା ଅନ୍‌ଲାଇନ୍‌ରେ ଏକ ମିଡିଆ ବାର୍ତାଳାପ ପରେ ବୁଧବାର ମଧ୍ୟରାତ୍ରି ସୁଦ୍ଧା ଏହି ଦୁଇ ବରିଷ୍ଠ ଖେଳାଳିଙ୍କ ଆହତ ସଂପର୍କରେ ତାଜା ଖବର ବିସିସିଆଇ ଜାରି କରିଥିଲା। ଯେଉଁଥିରେ କି ଉଭୟଙ୍କ ଆହତ ପ୍ରସଙ୍ଗକୁ କେନ୍ଦ୍ର କରି ସ୍ବଚ୍ଛତା ଏବଂ ଯୋଗାଯୋଗର ଅଭାବକୁ ନେଇ କୋହଲି ଅସନ୍ତୋଷ ପ୍ରକାଶ କରିଥିଲେ। ରୋହିତ କାହିଁକି ରିଦ୍ଧିମାନ ଶାହାଙ୍କ ସହିତ ଅଷ୍ଟ୍ରେଲିଆରେ ସୁସ୍ଥତା ପାଇଁ ଆଗ୍ରହ ପ୍ରକାଶ କଲେନି ସେଥିପାଇଁ କୋହଲି ପ୍ରଶ୍ନ ଉଠାଇଥିଲେ। ରୋହିତ କାହିଁକି ଆଇପିଏଲ୍‌ ପରେ ୟୁଏଇରୁ ସ୍ବଦେଶ ଫେରିଗଲେ ବୋଲି ଜୟ ଶାହ ମଧ୍ୟ ଏକ ପ୍ରେସ୍‌ ବିଜ୍ଞପ୍ତି ଜରିଆରେ ସ୍ପଷ୍ଟୀକରଣ ଦେଇଥିଲେ। ତାଙ୍କ ପିତାଙ୍କ ଅସୁସ୍ଥତା ଯୋଗୁଁ ରୋହିତ ଭାରତ ଫେରିଥିଲା ବେଳେ ସୁସ୍ଥତା ପାଇଁ ଏନ୍‌ସିଏରେ ଯୋଗ ଦେଇଥିଲେ ବୋଲି ଶାହ କହିଥଲେ। ରୋହିତ ଏବେ ଏନ୍‌ସିଏରେ ଫିଟ୍‌ନେସ୍‌ କାର୍ଯ୍ୟକ୍ରମରେ ରହିଛନ୍ତି। ଆସନ୍ତା ୧୧ ତାରିଖ ଦିନ ତାଙ୍କ ଫିଟ୍‌ନେସ୍‌ର ପରବର୍ତୀ ଆକଳନ କରାଯିବା ପରେ ଟେଷ୍ଟ୍‌ ଶୃଙ୍ଖଳା ପାଇଁ ଅଷ୍ଟ୍ରେଲିଆ ଗସ୍ତ କରିବେ ନା ନାହିଁ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ଶାହ କହିଛନ୍ତି।

କୋହଲିଙ୍କ ଦ୍ବନ୍ଦ୍ବ ଦୂର କଲା ବିସିସିଆଇ
ଅଷ୍ଟ୍ରେଲିଆ ଗସ୍ତରେ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ତଥା ସୀମିତ ଓଭର ଉପଅଧିନାୟକ ରୋହିତ ଶର୍ମାଙ୍କ ଅନୁପସ୍ଥିତି ନେଇ ତାଙ୍କ ପାଖରେ କୌଣସି ସୂଚନା ନଥିବା ଅଧିନାୟକ ବିରାଟ କୋହଲି ଖୋଲାଖୋଲି ଭାବେ କହିବା ପରେ ବିସିସିଆଇ ଏଥିନେଇ ସୃଷ୍ଟି ହୋଇଥିବା ଦ୍ବନ୍ଦ୍ବ ଓ ସଂଶୟ ଦୂର କରିବାକୁ ଚେଷ୍ଟା କରିଛି। ରୋହିତ ରୋଗଗ୍ରସ୍ତ ପିତାଙ୍କ ପାଖରେ ରହିବା ପାଇଁ ୟୁଏଇରୁ ସିଧାସଳଖ ଅଷ୍ଟ୍ରେଲିଆ ନଯାଇ ମୁମ୍ବାଇ ଫେରିବାକୁ ବାଧ୍ୟ ହୋଇଥିଲେ ମଧ୍ୟ ବିସିସିଆଇ ଶୁକ୍ରବାର କହିଛି। ‘‘ପିତାଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବାରୁ ରୋହିତ ଆଇପିଏଲ୍ ପରେ ପରେ ମୁମ୍ବାଇ ଫେରି ଆସିଥିଲେ। ତାଙ୍କ ପିତାଙ୍କ ସ୍ବାସ୍ଥାବସ୍ଥା ଏବେ ଭଲ ରହିଛି ଏବଂ ରୋହିତଙ୍କୁ ବେଙ୍ଗାଲୁରୁ ସ୍ଥିତ ଏନ୍‌ସିଏ ଯାଇ ଅଭ୍ୟାସ କରିବାକୁ ରୋହିତଙ୍କୁ ସେ ଅନୁମତି ଦେଇଛନ୍ତି’’ ବୋଲି ବିସିସିଆଇ ସଂପାଦକ ଆଜି ଏକ ପ୍ରେସ୍ ବିଜ୍ଞପ୍ତି‌ରେ ସ୍ପଷ୍ଟ କରିଛନ୍ତି। ସେହିଭଳି ଡିସେମ୍ବର ୧୧ ତାରିଖରେ ରୋହିତଙ୍କ ଫିଟନେସ୍‌ର ପୁନଃ ମୂଲ୍ୟାୟନ କରାଯିବ ବୋଲି ଶାହା ଦୋହରାଇଛନ୍ତି। ରୋହିତ ଫିଟ୍‌ଥିଲେ ଅଷ୍ଟ୍ରେଲିଆ ଯାଇ ଶେଷ ଦୁଇ ଟେଷ୍ଟ୍ ଖେଳିପାରନ୍ତି। ଏଥିପାଇଁ ସଙ୍ଗରୋଧ ବେଳେ ଅଭ୍ୟାସ କରିବାର ସୁଯୋଗ ଦେବାକୁ କ୍ରିକେଟ୍ ଅଷ୍ଟ୍ରେଲିଆ ମୁଖ୍ୟ କାର୍ଯ୍ୟନିର୍ବାହୀ ନିକ୍ ହକଲେଙ୍କୁ ବିସିସିଆଇ ସଭାପତି ସୌରଭ ଭାଙ୍ଗୁଲି ଅନୁରୋଧ କରି‌ବେ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର