ସିଏସ୍‌କେ ଅଭିଯାନ ଶେଷ ହୋଇଯାଇଥିବା ସ୍ବୀକାର କଲେ ଫ୍ଲେମିଂ

ଦୁବାଇ: ଆଇପିଏଲ୍‌ର ଦୀର୍ଘ ୧୩ ବର୍ଷର ଘଟଣା ବହୁଳ ଇତିହାସ ମଧ୍ୟରେ ପ୍ରଥମ ଥର ପାଇଁ ପ୍ଲେ ଅଫ୍ ଦୌଡ଼ରୁ ବାଦ ପଡ଼ିବା ଦ୍ବାର ଦେଶରେ ରହିଛି ଚେନ୍ନାଇ ସୁପରକିଙ୍ଗ୍ସ (ସିଏସ୍‌କେ)। ତିନି ଥର ବିଜେତା ଏହି ଦଳ ସମ୍ଭବତଃ ପ୍ରଥମ ଥର ପାଇଁ ଘୋର ଅଶାନ୍ତ ସମୁଦ୍ର ଭିତରେ ନୌକା ଚଳାଉଛି। ଚଳିତ ଋତୁରେ ସିଏସ୍‌କେ ତା’ର ପୁରୁଣା ଚମକ ଫେରିପାଇବାକୁ ସଂଘର୍ଷ କରୁଥିବା, ଅନ୍ୟ କେହି ନୁହଁ ଏହି ଦଳର ମୁଖ୍ୟ ପ୍ରଶିକ୍ଷକ ଷ୍ଟିଫେନ୍ ଫ୍ଲେମିଂ ବି ସ୍ବୀକାର କରିଛନ୍ତି। ଏଥର ଚେନ୍ନାଇ ଅଭିଯାନ ଆପାତତଃ ଶେଷ ହୋଇଯାଇଥିବା ନ୍ୟୁଜିଲାଣ୍ଡ କ୍ରିକେଟ୍ ଦଳର ଏହି ପୂର୍ବତନ ଅଧିନାୟକ ଦୁଃଖ ଓ ପରିତାପର ସହ ମାନିଛନ୍ତି। ରାଜସ୍ଥାନ ରୟାଲ୍ସଠାରୁ ହାରିବା ପର ସାକ୍ଷାତକାରରେ ଫ୍ଲେମିଂ କହିଛନ୍ତି ‘‘ପଏଣ୍ଟ ତାଲିକାର ସ୍ଥିତିକୁ ତର୍ଜମା କଲେ ସ୍ପଷ୍ଟ ହୋଇଯାଉଛି ଯେ ଆମ ଗାଡ଼ିରୁ ପ୍ରାୟତଃ ପେଟ୍ରୋଲ ଶେଷ ହୋଇଯାଇଛି। ଆମ ଦଳର ଗତ ତିନି ବର୍ଷର ପ୍ରଦର୍ଶନ ଉପରେ ନଜର ପକାଇଲେ ଜଣାପଡ଼େ ଆମେ ପ୍ରଥମ ବର୍ଷ ଜିତିଥିଲୁ। ଦ୍ବିତୀୟରେ ପରାଜିତ ହୋଇଥିଲୁ। ଏକ ବୟସ୍କ ଦଳକୁ ନେଇ ଏବେ ତୃତୀୟ ବର୍ଷରେ ପୁଣି ବିଜୟ ମୁକୁଟ ପିନ୍ଧିବା ଆଦୌ ସହଜ ନୁହେଁ।

ରାଜସ୍ଥାନଠାରୁ ପରାଜିତ ହେବା ପରେ ଆମେ ପାଇଁ ନୂଆ ଆହ୍ବାନ ଓ ଆବଶ୍ୟକତା ରହିଥିବା ଅନୁଭବ କରୁଛୁ। ଆମେ ଦୁଇ ତିନିଟି ଉତ୍କଣ୍ଠାପୂର୍ଣ୍ଣ ମ୍ୟାଚ୍ ହାତଛଡ଼ା କରିଥିଲୁ। ହେଲେ ମହତ୍ବପୂର୍ଣ୍ଣ ମୋଡ଼ରେ ରାଜସ୍ଥାନଠାରୁ ହାରିବା ଦଳ ପାଇଁ ଶକ୍ତ ଧକ୍କା ହୋଇଛି। ଡ୍ରେସିଂ ରୁମ୍‌ର ଆତ୍ମବିଶ୍ବାସ ମଧ୍ୟ ଢେର କମି ଯାଇଛି। ଖେଳାଳିମାନେ ଏକପ୍ରକାର ହତୋତ୍ସାହିତ ଅଛନ୍ତି। ଯଦିଓ ଆମ ପାଇଁ ପ୍ଲେ ଅଫ୍ ଯିବାର ଛୋଟ କାଟିଆ ଓ ପରିସଂଖ୍ୟାନ ଭିତ୍ତିକ ସୁଯୋଗ ରହିଛି। ତଥାପି ଏଭଳି ସ୍ଥିତିରେ ସକାରାତ୍ମକ ରହିବା ଏବଂ ମନ ମୁତାବକ ଫଳାଫଳ ହାସଲ କରିବା ନିଶ୍ଚିତ ଭାବେ କଷ୍ଟକର’’। ଆସନ୍ତା ମ୍ୟାଚ୍‌ଗୁଡ଼ିକରେ ଦଳରେ କେତେକ ପରିବର୍ତ୍ତନ ଆଣିବାକୁ ସେ ଏବଂ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଚିନ୍ତା କରୁଥିବା ଏହି ଅବସରରେ ଫ୍ଲେମିଂ ସୂଚନା ଦେଇଥିଲେ। ଅର୍ଥାତ୍ ଶେଷ କିଛି ମ୍ୟାଚ୍‌ରେ ସିଏସ୍‌କେ ଯୁବ ଖେଳାଳିଙ୍କୁ ଅଧିକ ସୁଯୋଗ ଦେଇ ସେମାନଙ୍କୁ ନିଜ ପ୍ରତିଭାର ପରିପ୍ରକାଶ କରିବାକୁ ସୁଯୋଗ ଦେବ। ସୂଚନାଯୋଗ୍ୟ ଯେ ମଙ୍ଗଳବାର ସୁଦ୍ଧା ଚେନ୍ନାଇ ପଏଣ୍ଟ ତାଲିକାର ଶେଷ ସ୍ଥାନରେ ରହିଛି। ନିଜ ପରବର୍ତ୍ତୀ ମ୍ୟାଚ୍‌ରେ ଧୋନିଙ୍କ ଦଳ ଶୁକ୍ରବାର ଶକ୍ତିଶାଳୀ ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟିବାର ଅଛି। ଚେନ୍ନାଇର ଏଭଳି ସ୍ଥିତି କିନ୍ତୁ ପ୍ରଶଂସକଙ୍କୁ ବ୍ୟଥିତ କରୁଛି।

ସମ୍ବନ୍ଧିତ ଖବର