ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଲାଗି, ଉମ୍ରନ୍ ମଲିକ ଭାରତୀୟ ଦଳ ନେଟ୍ ବୋଲର୍‌

ନୂଆଦିଲ୍ଲୀ: ଆସନ୍ତା ସପ୍ତାହରୁ ଆରମ୍ଭ‌ ହେବାକୁ ଯାଉଥିବା ଆଇସିସି ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଲାଗି ଘୋଷିତ ଭାରତୀୟ ଦଳରେ ଜମ୍ମୁ କଶ୍ମୀର ଉମ୍ରନ ମଲିକଙ୍କୁ ନେଟ୍‌ ବୋଲର ଭାବେ ସାମିଲ କରାଯାଇଛି। ଚଳିତ ଆଇପିଏଲ୍‌ରେ ସନ୍‌ରାଇଜର୍ସ ହାଇଦ୍ରାବାଦର ଶେଷ ୩ ଲିଗ୍‌ ମ୍ୟାଚ୍‌ରେ ଖେଳିଥିବା ଉମ୍ରନ ସମସ୍ତଙ୍କୁ ପ୍ରଭାବିତ କରିଥିବାରୁ ଏଭଳି ଅପ୍ରତ୍ୟାଶିତ ସୁଯୋଗ ପାଇଛନ୍ତି। ରବିବାର ଆଇସିସିକୁ ପରିବର୍ତ୍ତିତ ତାଲିକା ଦେବାକୁ ଦିନ ଧାର୍ଯ୍ୟଥିବାରୁ ଭାରତ ଏହି ଏକମାତ୍ର ସଂଯୋଗ କରିଛି। ଆଇପିଏଲ୍‌ରେ ଛାପ ଛାଡ଼ିବା ପରେ ‌ହର୍ଷଲ୍ ପଟେଲ୍‌ଙ୍କ ନାମ ଉଠିଥିଲେ ମଧ୍ୟ ତାଙ୍କୁ ଉପେକ୍ଷା କରାଯାଇଛି। ତେବେ ଚଳିତ ଆଇପିଏଲ୍‌ରେ ଦ୍ରୁତତମ‌ ବଲ୍ (ଘଣ୍ଟା ପ୍ରତି ୧୫୩ କିଲୋମ‌ିଟର୍‌) ବୋଲିଂ କରିଥିବା ଉମ୍ରନ୍ ମଲ୍ଲିକଙ୍କୁ ନେଟ୍ ବୋଲର କରିବାକୁ ପସନ୍ଦ କରିଥିଲେ। ସନ୍‌ରାଇଜର୍ସର ଆଇପିଏଲ୍‌ ଅଭିଯାନ ‌ନୈରାଶ୍ୟଜନକ ଭାବେ ଅଷ୍ଟମ ସ୍ଥାନରେ ଶେଷ ହୋଇଥିଲେ ମଧ୍ୟ ଉମ୍ରନଙ୍କ ଉତ୍‌ଥାନ ଘଟିଛି।

ସେ ଏବେ ୟୁଏଇରେ ଅଟକି ରହି ଭାରତୀୟ ଶିବିରରେ ସାମିଲ ହେବେ। ଉମ୍ରନଙ୍କ ପେସ୍‌ ମଧ୍ୟ ଅଧିନାୟକ ବିରାଟ କୋହଲିଙ୍କୁ ପ୍ରଭାବିତ କରିଥିଲା। ଆର୍‌ସିବି ବିପକ୍ଷରେ ଉମ୍ରନ୍‌ ଘଣ୍ଟା ପ୍ରତି ୧୫୩ କିଲୋମିଟର ବେଗରେ ବୋଲିଂ କରିଥିଲେ। ୧୯ ବ‌ର୍ଷରୁ କମ୍ ବୟସ ବର୍ଗରୁ ମୁଁ ଦ୍ରୁତ ବେଗରେ ବୋଲିଂ କରି ଆସୁଛି। ୨୦୧୮ରୁ ନିୟମିତ ଭାବେ ଅଭ୍ୟାସ କରିଛି ଏବଂ ୨୩ ବର୍ଷରୁ କମ୍‌, ବିଜୟ ହଜାରେ ଟ୍ରଫି ଓ ରଣଜୀ ଟ୍ରଫି ଖେଳିଥିଲି। ମୋତେ ସୁଯୋଗ ଦେଇଥିବାରୁ ସନ୍‌ରାଇଜର୍ସ ହାଇଦ୍ରାବାଦକୁ କୃତଜ୍ଞତା ଜଣାଉଛି। କିଭଳି ଉନ୍ନତି କରିବାକୁ ହେବ ମୋତେ ଇର୍‌ଫାନ ପଠାନ ପରାମର୍ଶ ଦେଇଛନ୍ତି। ନେଟ୍ସରେ ମୁଁ ୱାର୍ଣ୍ଣର ଓ ୱିଲିୟମ୍‌ସନ୍‌ଙ୍କୁ ବୋଲିଂ କରିବା ବେଳେ ନର୍ଭସ ଲାଗୁଥିଲା। ଈଶ୍ବରଙ୍କୁ ପ୍ରାର୍ଥନା କରି ଭଲ ବଲ୍ ବୋଲିଂ କରିଥିଲି। ଶିଖିବା ବନ୍ଦ କରିନଥିଲି, ଏହା ମୋତେ ସହାୟକ ହୋଇଛି।’ ବୋଲି ପ୍ରକାଶ କରିଥିଲେ ଉମ୍ରନ୍ ମଲିକ। ସୂଚନାଯୋଗ୍ୟ, ଆଇସିସି‌ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ପ୍ରଥମ ରାଉଣ୍ଡ ଅକ୍ଟୋବର ୧୭ରୁ ଆରମ୍ଭ ହେଉଥିଲେ ମଧ୍ୟ ମୁଖ୍ୟ ପର୍ଯ୍ୟାୟରେ ଭାରତ ୨୪ ତାରିଖରେ ପାକିସ୍ତାନ ସହ ଖେଳି ଅଭିଯାନ ଆରମ୍ଭ କରିବ।

ସମ୍ବନ୍ଧିତ ଖବର