ଲଣ୍ଡନ୍: ଚଳିତ ବର୍ଷର ତୃତୀୟ ଗ୍ରାଣ୍ଡ୍ ସ୍ଲାମ୍ ଟେନିସ୍ ପ୍ରତିଯୋଗିତା ‘ଓ୍ଵିମ୍ବଲ୍ଡନ୍ ଓପନ’ ସୋମବାରଠାରୁ ଆରମ୍ଭ ହୋଇଛି। ପ୍ରଥମ ଦିନରେ ଚଳିତ ବର୍ଷର ଫ୍ରେଞ୍ଚ୍ ଓପନ୍ ଉପ-ବିଜୟିନୀ ଆମେରିକାର ସ୍ଲୋଆନି ଷ୍ଟିଫେନ୍ସ ପ୍ରଥମ ପର୍ଯ୍ୟାୟରୁ ବିଦାୟ ନେଇଛନ୍ତି। ମହିଳା ଏକକ ମୁକାବିଲାରେ ଚତୁର୍ଥ ମାନ୍ୟତା ଷ୍ଟିଫେନ୍ସ ସିଧାସଳଖ ୬-୧, ୬-୩ ସେଟ୍ରେ କ୍ରୋଏସିଆର ଡୋନା ଭେକିକ୍ଙ୍କଠୁ ହାରି ଯାଇଥିଲେ। ତେବେ ଦ୍ୱିତୀୟ ମାନ୍ୟତା କାରୋଲିନ୍ ଓ୍ଵଜ୍ନିଆକି, ସପ୍ତମ ମାନ୍ୟତା କାରୋଲିନା ପ୍ଲିସ୍କୋଭା, ନବମ ମାନ୍ୟତା ଭେନସ୍ ଓ୍ଵିଲିୟମ୍ସ, ଦଶମ ମାନ୍ୟତା ମାଡିସନ୍ କିଜ୍ ଏବଂ ୨୫ ମାନ୍ୟତା ସେରେନା ଓ୍ଵିଲିୟମ୍ସ ପ୍ରଥମ ପର୍ଯ୍ୟାୟ ବାଧା ପାରି କରିଛନ୍ତି। ସେହିଭଳି ପୁରୁଷ ଏକକରେ ଶୀର୍ଷ ମାନ୍ୟତା ରୋଜର ଫେଡେରର୍, ତୃତୀୟ ମାନ୍ୟତା ମାରିନ୍ ସିଲିକ୍, ଏକାଦଶ ମାନ୍ୟତା ସାମ୍ କ୍ୱେରି ନିଜ ନିଜ ମ୍ୟାଚ୍ ଜିତି ଦ୍ୱିତୀୟ ପର୍ଯ୍ୟାୟରେ ପହଞ୍ଚିଛନ୍ତି।
ମହିଳା ଏକକ ମୁକାବିଲାରେ ଓ୍ଵଜନିଆକି ୬-୦, ୬-୩ରେ ଆମେରିକାର ଭର୍ଭରା ଲେପଚେଙ୍କୋଙ୍କୁ, ପ୍ଲିସକୋଭା ୭-୬, ୨-୬, ୬-୧ ସେଟ୍ରେ ସ୍ଥାନୀୟ ଖେଳାଳି ହାରିଏଟ୍ ଡାର୍ଟଙ୍କୁ, ଭେନସ୍ ୬-୭, ୬-୨, ୬-୧ ସେଟ୍ରେ ସ୍ୱିଜରଲାଣ୍ଡ୍ର ଜୋହନା ଲାର୍ସନ୍ଙ୍କୁ, ସେରେନା ୭-୫, ୬-୩ ସେଟ୍ରେ ନେଦରଲାଣ୍ଡ୍ର ଆରାସ୍କା ରୁସ୍ଙ୍କୁ ଏବଂ କିଜ୍ ୬-୪, ୬-୨ ସେଟ୍ରେ ଅଷ୍ଟ୍ରେଲିଆର ଆଜଲା ତୋମଲଜାନଭିକ୍ଙ୍କୁ ହରାଇଥିଲେ। ପୁରୁଷ ଏକକରେ ଫେଡେରର୍ ୬-୧, ୬-୩, ୬-୪ ସେଟ୍ରେ ସର୍ବିଆର ଦୁସାନ ଲାଜୋଭିକ୍ଙ୍କୁ, ସିଲିକ୍ ୬-୧, ୬-୪, ୬-୪ ସେଟ୍ରେ ଜାପାନ୍ର ୟୋସିହିତୋ ନିସିହୋକାଙ୍କୁ ଏବଂ କ୍ୱେରି ୬-୨, ୬-୪, ୬-୩ ସେଟ୍ରେ ଅଷ୍ଟ୍ରେଲିଆର ଜୋର୍ଡାନ୍ ଥମ୍ପ୍ସନ୍ଙ୍କୁ ପରାସ୍ତ କରିଥିଲେ।
ପୁଣି ପ୍ରଥମ ପର୍ଯ୍ୟାୟରେ ଭାମ୍ବ୍ରି ଅଟକିଗଲେ
ଭାରତୀୟ ଟେନିସ୍ ତାରକା ୟୁକି ଭାମ୍ବ୍ରିଙ୍କ ଓ୍ଵିମ୍ବଲ୍ଡନ୍ ପ୍ରତିଯୋଗିତାର ପ୍ରଥମ ପର୍ଯ୍ୟାୟରୁ ବିଦାୟ ନେଇଛନ୍ତି। ସୋମବାର ପୁରୁଷ ଏକକ ମୁକାବିଲାରେ ୮୫ ମାନ୍ୟତା ଭାମ୍ବ୍ରି ୬-୨, ୩-୬, ୩-୬, ୨-୬ ସେଟ୍ରେ ୧୨୧ ମାନ୍ୟତା ଥୋମାସ ଫାବିଆନୋଙ୍କଠୁ ହାରି ଯାଇଥିଲେ। ଭାମ୍ବ୍ରିଙ୍କ ଏହା ପଞ୍ଚମ ଗ୍ରାଣ୍ଡ୍ସ୍ଲାମ୍ ହୋଇଥିଲେ ମଧ୍ୟ ପ୍ରତ୍ୟେକ ଥର ପ୍ରଥମ ପର୍ଯ୍ୟାୟ ବାଧା ପାରି ହେବାରେ ବିଫଳ ହୋଇଛନ୍ତି।
ସମ୍ବନ୍ଧିତ ଖବର