ହକି ବିଶ୍ୱକପ୍‌ ପାଇଁ ବ୍ୟାପକ ପ୍ରସ୍ତୁତି: ଭୁବନେଶ୍ୱରକୁ ଭୁଲି ପାରିବେନି ଅତିଥି

ଭୁବନେଶ୍ୱର: ହକି ବିଶ୍ୱକପ୍‌କୁ ନେଇ ଓଡ଼ିଶାରେ ଏବେଠାରୁ ପ୍ରବଳ ଉତ୍ସାହ ପରିଲକ୍ଷିତ ହେଲାଣି। ହକିର ସର୍ବବୃହତ୍‌ ମେଳାକୁ ଓଡ଼ିଶା କ୍ରୀଡ଼ାପ୍ରମୀ ଯେମିତି ଚାତକ ଭଳି ଚାହିଁ ରହିଛନ୍ତି। ସରକାର ମଧ୍ୟ ବିଶ୍ୱକପ୍‌ ଆୟୋଜନକୁ ସମ୍ମାନର ପ୍ରଶ୍ନ ଭାବେ ନେଇ ଏହାକୁ ସବୁଦୃଷ୍ଟିରୁ ସଫଳ କରିବା ଲାଗି ବେଶ୍‌ ତତ୍ପର ହୋଇ ପଡ଼ିଛନ୍ତି। ବିଶ୍ୱକପ୍‌ ଲାଗି ଏବେ ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତି ଚାଲିଛି। ବିଶ୍ଵସ୍ତରୀୟ ଆତିଥେୟତା ଦେଇ ଏହି ସମ୍ମାନଜନକ ପ୍ରତିଯୋଗିତାକୁ ହକି ପର୍ବରେ ପରିଣତ କରିବା ଲାଗି ସରକାରୀ ଅଧିକାରୀମାନେ ପୂରା ଦମ୍‌ରେ ଲାଗି ପଡ଼ିଛନ୍ତି।

ରାସ୍ତା ସଫା ପାଇଁ ମେସିନ
ବହୁ ପ୍ରତୀକ୍ଷିତ ଭୁବନେଶ୍ୱର ହକି ବିଶ୍ୱକପ୍‌ ଲାଗି ଜୋରଦାର ପ୍ରସ୍ତୁତି ଚାଲିଛି। ନଭେମ୍ବର ୨୮ରୁ ଡିସେମ୍ବର ୧୬ ତାରିଖ ପର୍ଯ୍ୟନ୍ତ କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହେବାକୁ ଥିବା ବିଶ୍ୱକପ୍‌ ଲାଗି ଓଡ଼ିଶା ସରକାର ଏବଂ ଭୁବନେଶ୍ୱର ମହାନଗର ନିଗମ କର୍ତୃପକ୍ଷ ବ୍ୟାପକ ଯୋଜନା କରିଛନ୍ତି। ବିଶେଷ କରି ଭୁବନେଶ୍ୱରକୁ ଆହୁରି ସରସ ସୁନ୍ଦର କରିବା ଲାଗି ଭିତ୍ତିଭୂମି, ପରିବହନ ଏବଂ ସ୍ୱଚ୍ଛତା ଉପରେ ବିଶେଷ ଧ୍ୟାନ ଦିଆ ଯାଉଛି। ଗତବର୍ଷ ପୁରୁଷ ହକି ବିଶ୍ୱଲିଗ୍‌ର ସଫଳ ଆୟୋଜନ ପରେ ଭୁବନେଶ୍ୱର ପ୍ରଥମ ଥର ପାଇଁ ବିଶ୍ୱକପ୍‌ ଭଳି ବଡ଼ ପ୍ରତିଯୋଗିତା ଆୟୋଜନ କରିବାକୁ ଯାଉଛି। ସେଥିପାଇଁ ଏଠାକୁ ସାରା ବିଶ୍ୱରୁ ଆସିବାକୁ ଥିବା ହକି ପ୍ରେମୀଙ୍କୁ ନିଆରା ଅନୁଭୂତି ପ୍ରଦାନ କରିବାକୁ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଲାଗି ପଡ଼ିଛି। ସହରର ମୂଳ ଭିତ୍ତିଭୂମିର ନିର୍ମାଣ ଏବଂ ସୌନ୍ଦର୍ଯ୍ୟକରଣ ଲାଗି ବିଏମ୍‌ସି ତିନିଟି ମୁଖ୍ୟ ପ୍ରକଳ୍ପ ହାତକୁ ନେଇଛି। ସେଥିମଧ୍ୟରୁ ପ୍ରମୁଖ ହେଉଛି କଳିଙ୍ଗ ଷ୍ଟାଡିୟମକୁ ସଂଯୋଗ କରୁଥିବା ୮୦ କିଲୋମିଟରର ମୁଖ୍ୟ ରାସ୍ତାର ସଫେଇ ମେସିନ ଦ୍ୱାରା କରିବା।

ଲାଗିବ ୧୦୦ ଇ-ପାଇଖାନା
ବିଶ୍ୱକପ୍‌ ବେଳେ ଭୁବନେଶ୍ୱରର ପରିମଳ ବ୍ୟବସ୍ଥାକୁ ସୁଦୃଢ଼ କରିବା ଲାଗି ସହରରେ ୧୦୦ ଇ-ପାଇଖାନା ଲଗାଯିବ। ବାହାରୁ ଆସୁଥିବା ଅତିଥିମାନେ ଯେମିତି ସ୍ୱଚ୍ଛ ଏବଂ ସବୁଜ ପରିବେଶ ପାଇବେ ତା ଉପରେ ଅଧିକ ଧ୍ୟାନ ଦିଆଯିବ। ଏହି ଇ-ପାଇଖାନା କଳଙ୍କ ନିରୋଧୀ ଇସ୍ପାତରେ ତିଆରି ହେବା ସହ ଏହା ଆପେ ଆପେ ସଫା ହୋଇଯିବ। ସେହିଭଳି ବର୍ଷା ଋତୁକୁ ଆଖି ଆଗରେ ରଖି ସହରର ଜଳ ନିଷ୍କାସନ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରାଯିବ। ଏହା ଦ୍ୱାରା ପାଣି ଜମିବାର ସମସ୍ୟା ଦୂର ହୋଇଯିବ।

କାନ୍ଥବାଡ଼ରେ ଖେଳାଳିଙ୍କ ଚିତ୍ର
ଏସୀୟ ଦୌଡ଼କୁଦ ଭଳି ହକି ବିଶ୍ୱକପ୍‌ ଲାଗି ମଧ୍ୟ ଭୁବନେଶ୍ୱରର କାନ୍ଥବାଡ଼ରେ ତାରକା ଖେଳାଳିଙ୍କ ଚିତ୍ର ଅଙ୍କାଯିବ। ଏହା ଦ୍ୱାରା ସ୍ଥାନୀୟ ଜନତା ବିଶ୍ୱକପ୍‌ରେ ଯୋଡ଼ି ହେବାର ଅନୁଭୂତି ପାଇବେ। ଏହି କାର୍ଯ୍ୟରେ ବିଏମ୍‌ସି ବହୁ ଚିତ୍ରକରଙ୍କୁ ନିୟୋଜିତ କରିଛି। ହକି ସହ ବିଭିନ୍ନ ଖେଳର ସ୍ଥାନୀୟ ଏବଂ ଜାତୀୟ କ୍ରୀଡ଼ା ତାରକାଙ୍କ ଚିତ୍ର ଆଗକୁ ସାରା ସହରରେ ଦେଖିବାକୁ ମିଳିବ।

କଳିଙ୍ଗ କ୍ଷମତା ୧୫,୦୦୦କୁ ବଢ଼ିଲା

ହକି ବିଶ୍ୱ ଲିଗ୍‌ ଫାଇନାଲ୍‌ ବେଳେ କଳିଙ୍ଗ ଷ୍ଟାଡିୟମ୍‌ ହକି କଂପ୍ଲେକ୍ସର ଦର୍ଶକ କ୍ଷମତା ପାଖାପାଖି ୬,୦୦୦ ଥିଲା। ବିଶ୍ୱକପ୍‌ ଲାଗି ଏହାକୁ ୨୦,୦୦୦କୁ ବଢ଼ାଇ ଦିଆଯାଇଛି। ଦୁଇଟି ପୁରୁଣା ଗ୍ୟାଲେରି ସହ ଆଉ ଦୁଇଟି ନୂଆ ଗ୍ୟାଲେରି ମଧ୍ୟ ନିର୍ମାଣ ହୋଇଛି। ସେହିଭଳି ଭୁବନେଶ୍ୱରରେ ଥିବା ବିଭିନ୍ନ ହୋଟେଲଗୁଡ଼ିକୁ ନବୀକରଣ କରିବାକୁ ମଧ୍ୟ ନିର୍ଦେଶ ଦିଆଯାଇଛି। ଓଡ଼ିଶା ପର୍ଯ୍ୟଟନ ନିଗମ ପକ୍ଷରୁ ବାହାରୁ ଆସୁଥିବା ଅତିଥିଙ୍କ ଲାଗି ୨୪ ଘଣ୍ଟିଆ ହେଲ୍ପ ଲାଇନ୍‌ ନମ୍ବର ଜାରି ହୋଇଛି।

ଚାଲିବ ୨୦୦ ନୂଆ ବସ୍‌
ବିଶ୍ୱକପ୍‌ ବେଳେ ହଜାର ହଜାର ପର୍ଯ୍ୟଟକ ଭୁବନେଶ୍ୱର ଆସିବାକୁ ଥିବାରୁ ଗମନା ଗମନ ଏବଂ ପରିବହନ ନିଶ୍ଚିତ ଭାବେ ଏକ ଆହ୍ଵାନ ଭାବେ ଉଭା ହେବ। ଏଥିଲାଗି ଭୁବନେଶ୍ୱରରେ ୨୦୦ ନୂଆ ବସ୍‌ ଚଳାଇବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଏହି ବସ୍‌ଗୁଡ଼ିକୁ ଦୁଇଟି ପର୍ଯ୍ୟାୟରେ କାମରେ ଲଗାଯିବ। ୧୧୦ ପୁରୁଣା ବସ୍‌ ସହ ସହର ଭିତରେ ମୋଟ ୩୧୯ ବସ୍‌ ଚଳାଚଳ କରିବ। ଯାତ୍ରୀମାନେ ୨୦୦ ବସ୍‌ଷ୍ଟପ୍‌ ବ୍ୟବହାର କରି ଯାତାୟତର ଉପଯୋଗ କରିପାରିବେ।

ଭଡ଼ାରେ ମିଳିବ ସାଇକେଲ୍‌
ବିଶ୍ୱକପ୍‌ ବେଳେ ଭୁବନେଶ୍ୱରକୁ ପ୍ରଦ୍ୟୁଷଣ ମୁକ୍ତ କରିବା ଲାଗି ଅତିଥି ଓ ସାଧାରଣ ଜନତାଙ୍କୁ ଭଡ଼ାରେ ବାଇସାଇକେଲ୍‌ ମିଳିବ। ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍‌ ପକ୍ଷରୁ ଏଥିଲାଗି ୧୫୦୦ ସାଇକେଲ୍‌ ଯୋଗାଇ ଦିଆଯିବ। ମୋବାଇଲ୍‌ ଆପ୍‌ ଜରିଆରେ ପର୍ଯ୍ୟଟକମାନେ ସାଇକେଲ୍‌ ବୁକ୍‌ କରିପାରିବେ। ସାଇକେଲ୍‌ ଚାଳନାକୁ ପ୍ରୋତ୍ସାହନ ଦେଇ ଭୁବନେଶ୍ୱରର ପ୍ରଦ୍ୟୁଷଣକୁ ନିୟନ୍ତ୍ରଣରେ ରଖିବାର ଚେଷ୍ଟା କରାଯିବ।

ଏଲ୍‌ଇଡି ସ୍କ୍ରିନ୍‌ରେ ପ୍ରସାରଣ
ବିଶ୍ୱକପ୍‌ ବେଳେ ପଡ଼ିଆ ବାହାର ଦର୍ଶକଙ୍କୁ ହକି ମହାସମରର ମଜା ଦେବା ଲାଗି ରାଜଧାନୀ ଭୁବନେଶ୍ୱରର ଅନେକ ଜନ ଗହଳିପୂର୍ଣ୍ଣ ସ୍ଥାନରେ ଏଲଇଡି ସ୍କ୍ରିନ୍‌ ଲଗାଯିବ। ଏଥିରେ ସାଧାରଣ ଜନତା କଳିଙ୍ଗ କଂପ୍ଲେକ୍ସରେ ଚାଲିଥିବା ମ୍ୟାଚର ସିଧାପ୍ରସାରଣ ଦେଖି ପାରିବେ। ଏଥିଲାଗି ସ୍ଥାନ ଚିହ୍ନଟ ସରିଥିଲା ବେଳେ ବିଶ୍ୱକପ୍‌ ଆରମ୍ଭ ହେବାର କିଛି ଦିନ ପୂର୍ବରୁ ଏଲ୍‌ଇଡି ଟିଭି ଲାଗିବ। ସପିଂ ଏବଂ ଅନ୍ୟାନ୍ୟ କାମ କଲା ବେଳେ ମଧ୍ୟ ରାଜଧାନୀବାସୀ ହକି ଦେଖିବାର ସୁଯୋଗ ହାସଲ କରିବେ। ବିଶ୍ୱକପକୁ ସଫଳ କରିବା ଲାଗି ଓଡ଼ିଶା ସରକାରଙ୍କ ବିଭିନ୍ନ ବିଭାଗ ଏବେ କାମରେ ଲାଗି ଯାଇଛନ୍ତି। ଏସୀୟ ଦୌଡ଼କୁଦ ଏବଂ ବିଶ୍ୱହକି ଲିଗ୍‌ ଭଳି ଏହି ପ୍ରତିଯୋଗିତା ମଧ୍ୟ ଅନ୍ତର୍ଜାତୀୟ ସ୍ତରରେ ଓଡ଼ିଶାର ମାନ ବଢ଼ାଇବ ବୋଲି ଆଶା କରାଯାଇଛି। ଭୁବନେଶ୍ୱର ବିଶ୍ୱକପ୍‌ରେ ବିଶ୍ୱ ଓଡ଼ିଶାର ଆତିଥେୟତା ଦେଖିବ। ଶ୍ରେଷ୍ଠ ମାନର ହକି ସହ ଓଡ଼ିଶାର କଳା ସଂସ୍କୃତିର ଅପାସୋରା ଅନୁଭୂତି ନେଇ ନିଜ ଦେଶକୁ ଫେରନ୍ତୁ ବୋଲି ଆମେ ଚାହୁଁଥିବା କ୍ରୀଡ଼ା ସଚିବ ବିଶାଲ ଦେବ କହିଛନ୍ତି।

ସମ୍ବନ୍ଧିତ ଖବର