ଗାଙ୍ଗୁଲି ଆଇସିସି କ୍ରିକେଟ୍ କମିଟି ଅଧ୍ୟକ୍ଷ: ୯ ବର୍ଷ ପରେ କୁମ୍ବଲେଙ୍କ କାର୍ଯ୍ୟକାଳ ଶେଷ

ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍ ଫର୍ମାଟ୍ ବଦଳିବନି, ମହିଳା କ୍ରିକେଟ୍‌ରେ ଲାଗୁହେବ ଲିଷ୍ଟ ଏ’ ମାନ୍ୟତା

ଦୁବାଇ: ପ୍ରିନ୍ସ ଅଫ୍ କୋଲ୍‌କାତା, ପୂର୍ବତନ ଭାରତୀୟ ଅଧିନାୟକ ତଥା ବିସିସିଆଇ ସଭାପତି ‌ସୌରଭ ଗାଙ୍ଗୁଲି ସମ୍ମାନଜନକ ଆଇସିସି କ୍ରିକେଟ୍ କମିଟିର ଅଧ୍ୟକ୍ଷ ନିଯୁକ୍ତ ହୋଇଛନ୍ତି। ଗାଙ୍ଗୁଲି ନିଜ ପୂର୍ବତନ ସାଥୀ ତଥା ପୂର୍ବତନ ଭାରତୀୟ ଅଧିନାୟକ ଅନିଲ କୁମ୍ବଲେଙ୍କ ସ୍ଥାନ ନେବେ। କୁମ୍ବଲେ ଗତ ୯ ବର୍ଷ ହେବ ଆଇସିସି କ୍ରିକେଟ୍ କମିଟିର ଅଧ୍ୟକ୍ଷ ପଦ ଅଳଙ୍କୃତ କରିଆସୁଥିଲେ। ହେଲେ ୩ ବର୍ଷୀୟା ଅବଧିର ସର୍ବାଧିକ ତିନିଟି କାର୍ଯ୍ୟକାଳ ପରେ ନିଜ ପଦରୁ ଅବ୍ୟା‌ହତି ନେଇଛନ୍ତି। କୁମ୍ବଲେ ୨୦୧୨ ମସିହାରେ ଏହି ସମ୍ମାନଜନକ ପଦ ହାସଲ କରିଥିଲେ। ଏବେ ସେ କରିଥିବା ଅନେକ ସ୍ମରଣୀୟ କାର୍ଯ୍ୟକୁ ଗାଙ୍ଗୁଲି ଆଗେଇ ନେବେ।

ବୁଧବାର ଆଇସିସି ଅଧ୍ୟକ୍ଷ ଗ୍ରେଗ୍ ବାର୍କଲେ ଟ୍ବିଟ୍ କରି ଗାଙ୍ଗୁଲିଙ୍କ ନିଯୁକ୍ତି ନେଇ ଆନୁଷ୍ଠାନିକ ଘୋଷଣା କରିଥିଲେ। ‘‘ଆଇସିସି ପୁରୁଷ କ୍ରିକେଟ୍ କମିଟିର ଅଧ୍ୟକ୍ଷ ଭାବେ ସୌରଭଙ୍କୁ ସ୍ବାଗତ କରି ମୁଁ ଉଲ୍ଲସିତ’’ ବୋଲି ନିଜ ଟ୍ବିଟର ପୃଷ୍ଠାରେ ଲେଖିଥିଲେ ସେ। ସେହିଭଳି ଜଣେ ଶ୍ରେଷ୍ଠ ଖେଳାଳି ଏବଂ ଦକ୍ଷ କ୍ରିକେଟ୍ ପ୍ରଶାସକ ଭା‌ବେ ଗାଙ୍ଗୁଲିଙ୍କର ଥିବା ଦୀର୍ଘ ଅଭିଜ୍ଞତାରୁ କ୍ରିକେଟ୍ ଜଗତ ଲାଭବାନ ହୋଇପାରିବ ବୋଲି ଆଶାପ୍ରକାଶ କରିଛନ୍ତି ବାର୍କଲେ। ଗତ ୯ ବର୍ଷ ଧରି କୁମ୍ବଲେ କରିଆସୁଥିବା ଅତୁଳନୀୟ କାର୍ଯ୍ୟ ଲାଗି ତାଙ୍କୁ ହୃଦୟର ଗଭୀରତମ କୋଣରୁ ଧନ୍ୟବାଦ ଅର୍ପଣ କରିଛନ୍ତି ବାର୍କଲେ। କୁମ୍ବଲେଙ୍କ କାର୍ଯ୍ୟକାଳ ସମୟରେ ଡିଆର୍‌ଏସ୍‌ର ନବୀକରଣ ହେବା ସହ ସନ୍ଦେହାତ୍ମକ ବୋଲିଂ ଶୈଳୀରେ ସୁଧାର ଆଣିବା ଲାଗି ବହୁତ କାମ ହୋଇଛି। ଏଣୁ ସେ ଧନ୍ୟବାଦର ପାତ୍ର ବୋଲି ବାର୍କଲେ କହିଛନ୍ତି। ଅନ୍ୟପକ୍ଷରେ ତାଲିବାନ ଶାସନ ଫେରିବା ପରେ ଆଫଗାନିସ୍ତାନରେ କ୍ରିକେଟ୍‌ର ସ୍ଥିତି ଓ ଗତିର ସମୀକ୍ଷା ପାଇଁ ଆଇସିସି ଏକ କାର୍ଯ୍ୟକାରୀ ଗୋଷ୍ଠୀ ଗଠନ କରିଛି।

ଇମ୍ରାନ ଖୱାଜା ଏହି ଗୋଷ୍ଠୀର ଅଧ୍ୟକ୍ଷ ନିଯୁକ୍ତ ହୋଇଛନ୍ତି। ରସ୍ ମ୍ୟାକଲମ୍, ଲସନ୍ ନାୟୁଡୁ ଏବଂ ରମିଜ ରାଜା ଏହି ଗୋଷ୍ଠୀର ସଦସ୍ୟ ଅଛନ୍ତି। ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତିକ୍ରମେ ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍‌ (ଡବ୍ଲ୍ୟୁଟିସି)ର ଫର୍ମାଟ୍‌ରେ କୌଣସି ପରିବର୍ତ୍ତନ ନକରିବାକୁ ଆଇସିସି ନିଷ୍ପତ୍ତି ନେଇଛି। ତଦନୁଯାୟୀ ଏହି ପ୍ରତିଯୋଗିତା ୯ ଦଳକୁ ନେଇ ଆୟୋଜିତ ହେବ। ପୂର୍ବଭଳି ଦୁଇବର୍ଷର ସମୟ ମଧ୍ୟରେ ଡବ୍ଲ୍ୟୁଟିସି ଖେଳାଯିବା ସହ ପଏଣ୍ଟ ଟେବୁଲର ଶୀର୍ଷ ଦୁଇ ସ୍ଥାନରେ ରହିଥିବା ଶ୍ରେଷ୍ଠ ଦୁଇ ଦଳ ଫାଇନାଲ୍ ଖେଳିବାକୁ ଯୋଗ୍ୟ ବିବେଚିତ ହେବେ। ସେହିଭଳି ୨୦୨୭ ଏକଦିବସୀୟ ବିଶ୍ବକପ୍‌ର ଦଳସଂଖ୍ୟା ୧୪କୁ ବଢ଼ିଥିବାରୁ ଶେଷ ତାରିଖ ସୁଦ୍ଧା ମାନ୍ୟତାର ଶୀର୍ଷ ୧୦ରେ ଥିବା ଦଳ ଏହି ପ୍ରତିଯୋଗିତା ଲାଗି ସିଧାସଳଖ ଯୋଗ୍ୟତା ଅର୍ଜନ କରିବେ। ଅବଶିଷ୍ଟ ଚାରିଟି ଦଳ ଯୋଗ୍ୟତାପର୍ଯ୍ୟାୟରୁ ବଛାଯିବେ। ଆଇସିସି ବୋର୍ଡ ମଧ୍ୟ କ୍ରିକେଟ୍ ୱେଷ୍ଟଇଣ୍ଡିଜ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଭାବେ ଜନି ଗ୍ରେଭ୍‌ଙ୍କ ନିଯୁକ୍ତିକୁ ମଞ୍ଜୁରି ପ୍ରଦାନ କରିଛି। ଆଗାମୀ ସମୟରେ ମହିଳା କ୍ରିକେଟ୍‌ରେ ମଧ୍ୟ ପ୍ରଥମ ଶ୍ରେଣୀ ମାନ୍ୟତା ଏବଂ ଲିଷ୍ଟ ଏ’ କ୍ଲାସିଫିକେସନ୍ ଲାଗୁ ହେବ ବୋଲି ନିଷ୍ପତ୍ତି ନେଇଛି ଆଇସିସି।

ସମ୍ବନ୍ଧିତ ଖବର