ଗାଙ୍ଗୁଲିଙ୍କ ପଦାର୍ପଣ ଟେଷ୍ଟ୍‌ ଶତକକୁ ୨୫ ବର୍ଷ

ନୂଆଦିଲ୍ଲୀ: ଆଜିର ତାରିଖ (୨୨ ଜୁନ୍‌, ୧୯୯୬)ରେ ୨୫ ବର୍ଷ ତଳେ ପୂର୍ବତନ ଭାରତୀୟ ଅଧିନାୟକ ତଥା ବର୍ତମାନର ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଚମତ୍କର ଢଙ୍ଗରେ ଟେଷ୍ଟ୍ କ୍ରିକେଟକୁ ଆସିଥିଲେ। ଐତିହାସିକ ଲର୍ଡସ ପଡିଆରେ ପଦାର୍ପଣ ଟେଷ୍ଟରେ ଶତକ ଜମାଇଥିଲେ ଏହି ବାମହାତୀ ବ୍ୟାଟ୍ସମ୍ୟାନ୍‌। ଲର୍ଡସ କ୍ରିକେଟ୍ ଗ୍ରାଉଣ୍ଡରେ ଭାରତ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ୍‌ର ତୃତୀୟ ଦିବସରେ ସେ ଏହି ଗୌରବ ଆଣିଥିଲେ। ଭେଙ୍କଟେଶ ପ୍ରସାଦଙ୍କ ୫ ୱିକେଟ୍‌ ସଫଳତା ବଳରେ ଇଂଲଣ୍ଡ ପାଳିକୁ ଭାରତ ୩୪୪ ରନ୍‌ରେ ସୀମିତ କରି ଦେଇଥିଲା। ଏହାର ଜବାବରେ ଗାଙ୍ଗୁଲି ୩୦୧ ବଲ୍‌ରୁ ୧୩୧ ରନ୍‌ କରିଥିଲେ। ଏହି ପାଳିରେ ୨୦ ଚୌକା ସାମିଲ ଥିଲା। ରାହୁଲ ଦ୍ରାବିଡ଼ଙ୍କ ସହ ସେ ଷଷ୍ଠ ୱିକେଟ୍ ପାଇଁ ୯୪ ରନ୍‌ର ଭାଗୀଦାରି ମଧ୍ୟ ଗଢ଼ିଥିଲେ। ଶେଷରେ ଆଲାନ ମୁଲାଲୀଙ୍କ ବଲ୍‌ରେ ଗାଙ୍ଗୁଲି ଆଉଟ୍ ହେବା ବେଳକୁ ଭାରତ ୨୯୬/୬ରେ ପହଞ୍ଚିଥିଲା। ଏହି ଟେ‌ଷ୍ଟ୍‌ରେ ମଧ୍ୟ ଦ୍ରାବିଡ଼ ପଦାର୍ପଣ କରିଥିଲେ। କିନ୍ତୁ ସେ ୫ ରନ୍‌ ପାଇଁ ଶତକରୁ ବଞ୍ଚିତ ହୋଇଥିଲେ। ଭାରତ ପ୍ରଥମ ପାଳିରେ ୪୨୯ ରନ୍‌ କରିବା ପରେ ୮୫ ରନ୍‌ ଅଗ୍ରଣୀ ନେଇଥିଲା। ଇଂଲଣ୍ଡ କିନ୍ତୁ ୨୭୮/୯ରେ ସୀମିତ ରହିବାରୁ ମ୍ୟାଚ୍‌ ଅମୀମାଂସିତ ରହିଥିଲା।

ଏହା ପରେ ଗାଙ୍ଗୁଲି ଲମ୍ବା ସମୟ ପାଇଁ ଭାରତର ପ୍ରତିନିଧିତ୍ବ କରିବା ସହ ନେତୃତ୍ବ ବି ନେଇଥିଲେ। ଦେଶର ଅନ୍ୟତମ ସଫଳ ଅଧିନାୟକ ବି ହୋଇଥିଲେ। ପାକିସ୍ତାନରେ ପାକିସ୍ତାନକୁ ହରାଇବାର ଗୌରବ ଆଣି ଦେଇଥିଲେ। ୨୦୦୩ ବିଶ୍ବକପ୍‌ ଫାଇନାଲ୍ ଖେଳିବା ତାଙ୍କ ଖେଳ ଜୀବନର ଅନ୍ୟତମ ଶ୍ରେଷ୍ଠ ମୁହୂର୍ତ ଥିଲା। ପ୍ରିନ୍ସ ଅଫ୍‌ କୋଲକାତା, ଦାଦା ଓ ବେଙ୍ଗଲ ଟାଇଗର୍‌ ଭାବେ ବିଭିନ୍ନ ସମୟରେ ପରିଚିତ ହୋଇଥିବା ଗାଙ୍ଗୁଲି ଦେଶ ପାଇଁ ୧୧୩ ଟେଷ୍ଟ୍ ଓ ୩୧୧ ଦିନିକିଆ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଥିଲେ। ସମସ୍ତ ଅନ୍ତର୍ଜାତୀୟ ଫର୍ମାଟରୁ ସେ ମୋଟ ୧୮,୫୭୫ ରନ୍‌ ସଂଗ୍ରହ କରିଥିଲେ। ୨୦୧୯ ଅକ୍ଟୋବର ମାସରୁ ସେ ବିସିସିଆଇର ସଭାପତି ପଦରେ ରହିଛନ୍ତି।

ସମ୍ବନ୍ଧିତ ଖବର